ଗାନ୍ଧୀନଗର, ୧୭/୧୦: ଗୁଜରାଟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ ପାଇଁ ପଥ ପ୍ରସ୍ତୁତ ହୋଇଛି। ଏହି ପ୍ରକ୍ରିୟାରେ ଆଜି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ବାଦ୍ ଦେଇ ରାଜ୍ୟର ସମସ୍ତ ୧୬ଜଣ ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହା ଏକ ପ୍ରକ୍ରିୟାଗତ ପଦକ୍ଷେପ, ଯାହା ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଓ ପୁନର୍ଗଠନ ପାଇଁ ରାସ୍ତା ଖୋଲିଛି। ନୂଆ ମନ୍ତ୍ରୀମାନେ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୩୦ରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କ ଦ୍ୱାରା ଶପଥ ଗ୍ରହଣ କରିବେ। ବର୍ତ୍ତମାନର ମନ୍ତ୍ରିମଣ୍ଡଳରେ ୭ ଜଣ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୯ ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି। ନୂଆ ମନ୍ତ୍ରିମଣ୍ଡଳର ଆକାର ୨୨ କିମ୍ବା ୨୩କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି।
