ଭାରତକୁ ଧମକ ଦେଇ ଅଧିକ ଶୁଳ୍କ ଲାଗୁ କରିବାକୁ କହିଲେ

ଦେଶବିଦେଶ
Spread the love

ୱାଶିଂଟନ, ୨୧/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣି ଥରେ ଭାରତ ଉପରେ ଅଧିକ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍ ଚେତାବନୀ ଦେଇଛନ୍ତି, ଯଦି ଭାରତ ରୁଷୀୟ ତୈଳ କ୍ରୟକୁ ସୀମିତ ନ କରେ, ତେବେ ଭାରତକୁ ଭାରୀ ଶୁଳ୍କ ଦେବାକୁ ପଡିବ। ଗତ ଗୁରୁବାର ଦିନ କରିଥିବା ତାଙ୍କ ଦାବିକୁ ଦୋହରାଇ ଟ୍ରମ୍ପ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ,ଆମେ ରୁଷୀୟ ତେଲ କିଣିବା ବନ୍ଦ କରିଦେବୁ। ଯଦି ସେମାନେ ଏପରି ନ କରନ୍ତି, ତେବେ ସେମାନଙ୍କୁ ଭାରୀ ଶୁଳ୍କ ଦେବାକୁ ପଡିବ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଏପରି କୌଣସି ଆଲୋଚନା ହୋଇନାହିଁ ବୋଲି ଭାରତ ସରକାରଙ୍କ ଦାବି ବିଷୟରେ ପଚରାଯିବାରୁ, ଟ୍ରମ୍ପ୍ ପୁଣି କହିଥିଲେ ଯେ, ଯଦି ସେ ଏପରି କୁହନ୍ତି, ତେବେ ତାଙ୍କୁ ଆହୁରି ଶୁଳ୍କ ଦେବାକୁ ପଡ଼ିପାରେ।

ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ସେ ରୁଷିଆରୁ ତେଲ କିଣିବା ବନ୍ଦ କରିବେ। ଏଥିରେ ଏକ ପ୍ରକ୍ରିୟା ଜଡିତ, ଯାହାକୁ ସମାପ୍ତ କରିବାକୁ ସମୟ ଲାଗିବ, କିନ୍ତୁ ତେଲ ବାଣିଜ୍ୟ ହ୍ରାସ ପ୍ରକ୍ରିୟା ଶୀଘ୍ର ସମାପ୍ତ ହେବ।

ରାଷ୍ଟ୍ରପତି ଟ୍ରମ୍ପ୍ ଏହି ଦାବିକୁ ଆହୁରି ଆଗକୁ ବଢ଼ାଇ ଭାରତକୁ ଚେତାବନୀ ଦେଇଛନ୍ତି, ଯଦି ଭାରତ ରୁଷିଆରୁ ତେଲ କିଣିବା ଜାରି ରଖେ, ତେବେ ଭାରତକୁ ଆହୁରି ଅଧିକ ଶୁଳ୍କ ଦେବାକୁ ପଡିବ। ଏହା ଉଲ୍ଲେଖନୀୟ ଯେ, ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଦାବି ପରେ ଭାରତର ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ।ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମଇଏ) ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି ଏବଂ ଏକ ବିବୃତି ଜାରି କରି କହିଛି ଯେ, ରାଷ୍ଟ୍ରପତି ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ସେପରି କୌଣସି ଆଲୋଚନା ହୋଇନାହିଁ ଯେପରି ଆମେରିକା ରାଷ୍ଟ୍ରପତି ଦାବି କରୁଛନ୍ତି।ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ଶକ୍ତି ସହଯୋଗ ଉପରେ ଆଲୋଚନା ଚାଲିଥିବା ବେଳେ, ରୁଷିଆ ସହିତ ଜାରି ରହିଥିବା ତୈଳ ବାଣିଜ୍ୟ ସମ୍ପର୍କରେ କୌଣସି ଆଲୋଚନା କିମ୍ବା ପ୍ରତିଶ୍ରୁତି ହୋଇନାହିଁ। ଟ୍ରମ୍ପ୍ ପୂର୍ବରୁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଭାରତ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ତୈଳ ବାଣିଜ୍ୟ ଯୋଗୁ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ମଧ୍ୟ ଲାଗୁ ହୋଇଛି।

Leave a Reply

Your email address will not be published. Required fields are marked *