୪ ଲକ୍ଷ ଟଙ୍କାର ଜାଲ ନୋଟ୍‌ ଜବତ

ଅପରାଧ ଜିଲା ଖବର ରାଜ୍ୟ ସୋନପୁର
Spread the love

ବିନିକା, ୨୬/୧୦: ସୁବର୍ଣ୍ଣପୁରଜିଲ୍ଲା ବିନିକା ଅଞ୍ଚଳରେ ଜାଲ୍‌ ନୋଟ୍‌ ରାକେଟ୍‌ ସକ୍ରିୟ ଦେଖାଯାଇଛି। ଏନେଇ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବଡ଼ ଖୁଲାସା କରିଛନ୍ତି। ଜାଲ ନୋଟ୍‌ କାରବାରରେ ଲିପ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିନିକା ପୁଲିସକୁ ଏକ ବଡ଼ ସଫଳତା ମିଳି ପାରିଛି। ବିନିକା ଥାନାରେ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି।

ଶ୍ରୀ ନାୟକ ଆହୁରି କହିଛନ୍ତି ଯେ, ଏହି ଜାଲ୍‌ ନୋଟ୍‌ର ତାର ପଡ଼ୋଶୀ ବରଗଡ଼ ଜିଲ୍ଲାକୁ ମଧ୍ୟ ଲମ୍ବିଛି। ଏଥିରେ ସମ୍ପୃକ୍ତ ଥିବା ବିନିକା ପୁଲିସ ୩ ଜଣକୁ ଗିରଫ କରିଛି। ସେମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ଅଞ୍ଚଳ ରେଙ୍ଗାଲି ଗ୍ରାମର ଜୟନାରାୟଣ ବସ୍ତିଆ(୨୭), ବିନିକା ଥାନା ଫୁଲମୁଠୀ ଗ୍ରାମର ଅଭିଷେକ ହୋତା(୨୩) ଏବଂ ବିନିକା ସହର ବେତ୍ରାପଡ଼ାର ଅଶୋକ ନାଏକ(୨୮)। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନଙ୍କ ଠାରୁ ପୁଲିସ ସର୍ବମୋଟ ୮୦୩ଟି ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌, ଯାହାରକି ସମୁଦାୟ ମୂଲ୍ୟ ୪ ଲକ୍ଷ ୧ ହଜାର ୫ ପାଞ୍ଚ ଶହ ଟଙ୍କା ବୋଲି ଏସପି ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କ ଠାରୁ ୩ଟି ମୋବାଇଲକୁ ମଧ୍ୟ ପୁଲିସ ଜବତ କରିଛି।

ସୁଚନାରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ଜାଲ୍‌ ନୋଟ୍‌ କାରବାର ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ନାୟକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲେ। ଏନେଇ ସେ ବିନିକା ଥାନା ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କୁ ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଟିମ୍‌ ତତ୍ପରତା ପ୍ରକାଶ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା।

ଅଭିଯୁକ୍ତମାନଙ୍କୁ ପୁଲିସ ଥାନାକୁ ଆଣିବା ପରେ ଏନେଇ ଜେରା କରିଥିଲା। ଏନେଇ ବିନିକା ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ଏହି ଘଟଣାରେ ସମ୍ପୃକ୍ତ ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବିନିକା ଥାନାରେ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଏହି ଚଢଉରେ ଥାନା ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କ ସମେତ ଥାନା ଏସଆଇ ତ୍ରିନାଥ ସାହୁ ଏବଂ ଷ୍ଟାଫ ସାମିଲ ହୋଇଥିଲେ। ଏହି କେସର ତଦନ୍ତ ଦାୟିତ୍ବ ବିନିକା ଥାନା ଏସଆଇ ପ୍ରସନ୍ନଜିତ ବେହେରାଙ୍କୁ ଦିଆ ଯାଇଥିବା ନେଇ ଏସପି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *