ମହାକାର୍ତ୍ତିକରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ଖାଡ଼ା ଉପାସ

ଖୋର୍ଦ୍ଧା ଜିଲା ଖବର ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୩୦/୧୦: ବୁଧବାର ମହାକାର୍ତ୍ତିକରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଘଟିଛି ମହାବିଭ୍ରାଟ। ଦୁର୍ଭାଗ୍ୟଜନକ ଭାବେ ଧର୍ମ ମାସରେ ଆଜି ଦିନ ସାରା ମହାପ୍ରଭୁଙ୍କୁ ଖାଡ଼ା ଉପାସ ରହିବାକୁ ପଡ଼ିଛି। ସମର୍ଥା ସେବାୟତଙ୍କ ନିଅଂଶ ପାଳି ନ ହେବାରୁ ପ୍ରଭୁଙ୍କ ବହୁ ନୀତି ବନ୍ଦ ହୋଇଯାଇଛି ଏବଂ ଶେଷରେ ଲିଙ୍ଗରାଜଙ୍କୁ ଉପାସରେ ରହିବାକୁ ପଡ଼ିଛି। ଆଜି ଅବଢ଼ା ବାହାରି ପାରିନଥିଲା କି ମନ୍ଦିରରେ ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ ନୀତି ମଧ୍ୟ ହୋଇପାରିନଥିଲା। ଅବଢ଼ା ନ ପାଇ ହବିଷ୍ୟାଳିମାନେ ହନ୍ତସନ୍ତ ହୋଇଥିଲେ। କେବଳ ଆଜି ନୁହେଁ, ଆସନ୍ତାକାଲି ମଧ୍ୟ ନିଅଂଶ ସେବା ପାଳି ଥିବାରୁ ଅନୁରୂପ ଅବସ୍ଥା ଉପୁଜିବାର ଆଶଙ୍କା ରହିଛି।

ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ ପ୍ରତ୍ୟେକ ଦିନ ସମର୍ଥା ସେବାୟତ ପାଳି କରି ମହାପ୍ରଭୁଙ୍କ କୋଠ ଭୋଗ ପାଇଁ ବିରି ବଟା କିମ୍ବା ବିରି ଚୂନା ସହ ଚାଉଳ ଚୂନା ଯୋଗାଇଥାନ୍ତି। ଆଜି ମନ୍ଦିର ଖୋଲିବା ପରେ ପ୍ରଥମେ ମଙ୍ଗଳ ଆଳତି ଓ ଅବକାଶ ନୀତି ହୋଇଥିଲା।ଏହାପରେ ସାହାଣମେଲା ଆରମ୍ଭ ହୋଇଥିଲା। ବିଧି ଅନୁସାରେ ଏହା ଭିତରେ ରୋଷ ହୋମ ବେଳେ ସମର୍ଥା ସେବାୟତମାନେ ବିରି ଚୂନା ଓ ଚାଉଳ ଚୂନା ଯୋଗାଇବା କଥା। ଆଜି ନିଅଂଶ ସେବା ପାଳି ଥିଲା। ସେହି ପାଳି ସମ୍ଭାଳିଥିବା ସେବାୟତ କାମରେ ସାମିଲ ହେଲେ ନାହିଁ। ତେଣୁ ରୋଷ ହୋମ ବିଧି ହୋଇପାରିଲାନାହିଁ। ଫଳରେ ଆଜି ସକାଳୁ ଆଉ କୌଣସି ନୀତି ହୋଇପାରିନଥିଲା। ସାହାଣମେଲା ଦର୍ଶନ ପାଇଁ ମନ୍ଦିର ଖୋଲା ରହିଲା ସିନ‌ା କୌଣସି ନୀତି ହୋଇପାରିନଥିଲା। ରୋଷ ହୋମ ବିଧି ବାଧାପ୍ରାପ୍ତ ହେବା ପରେ ମହାସୁଆର ସେବାୟତ, ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କୁ ଖବର ଦେଇଥିଲେ। ଶ୍ରୀ ପତି ଏ ସଂପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରପ୍ରସାଦ ମହାନ୍ତିଙ୍କୁ ଜଣାଇଥିଲେ। ପରେ ସମର୍ଥା ନିଯୋଗର ସମ୍ପାଦକ ପ୍ରଶାନ୍ତ ସମର୍ଥା ମଧ୍ୟ ଘଟଣା ସଂପର୍କରେ ଅବଗତ ହୋଇଥିଲେ। ନିଅଂଶ ପାଳିରେ ସେବା କରିବାକୁ ସେବାୟତମାନେ ଅରାଜି ହେବାରୁ ଏହି ପରିସ୍ଥିତି ଉପୁଜିଛି ବୋଲି ଶ୍ରୀ ସମର୍ଥା, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ। ଶ୍ରୀ ସମର୍ଥାଙ୍କ କହିବା କଥା, ନିଅଂଶ ପାଳିରେ ସେବା କରିବା ପ୍ରସଙ୍ଗ ସମର୍ଥା ନିଯୋଗକୁ ନ ଜଣାଇ କରାଯାଉଥିଲା।

ମନ୍ଦିର ପ୍ରଶାସନ ମନ୍ଦିର ଭିତରେ ସମର୍ଥା ସେବାୟତଙ୍କୁ ଯେଉଁ ଦୋକାନ କରିବାକୁ ଅନୁମତି ଦେଇଥିଲା, ଏହା ବଦଳରେ ନିଅଂଶ ପାଳିରେ ସେବା କରିବାକୁ କୁହାଯାଇଥିଲା। ଏ ନେଇ ସମର୍ଥା ନିଯୋଗ ସହିତ ଆଲୋଚନା କରାଯାଇନଥିଲା। ତେଣୁ ପ୍ରଶାସନ ଯାହା ସହିତ ଆଲୋଚନା କରି ନିଅଂଶ ପାଳି ସେବା ବ୍ୟବସ୍ଥା କରାଇଥିଲେ, ଏବେ ତାଙ୍କ ସହ ଆଲୋଚନା କରନ୍ତୁ। ସମର୍ଥା ସେବାୟତଙ୍କ ଅନେକ ଦାବି ପୂରଣ ହୋଇନି, କାରଣ ପ୍ରଶାସନ ଶୁଣୁନାହିଁ। ମନ୍ଦିର ସମ୍ମୁଖରେ ଉଠାଦୋକାନକୁ ନେଇ କେଁ ରହିଛି ବୋଲି ସେ ପରୋକ୍ଷରେ କହିଥିଲେ। ଆଜିର ସମସ୍ୟାକୁ ନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ଶ୍ରୀ ପତିଙ୍କ କହିବା କଥା ହେଲା, ଉଠାଦୋକାନ ବ୍ୟବସାୟକୁ ଢାଲ କରି ସମର୍ଥା ସେବାୟତମାନେ ନୀତି ବନ୍ଦ କରିଛନ୍ତି। ପ୍ରଶାସନ ଠିକଣା ସମୟରେ ପଦକ୍ଷେପ ନେଇଥିଲେ ଏଭଳି ଅଭାବନୀୟ ସ୍ଥିତି ହୋଇନଥାନ୍ତା। କାର୍ତ୍ତିକ ମାସରେ ମହାପ୍ରଭୁ ଉପାସ ରହିବା ବଡ଼ ଦୁର୍ଭାଗ୍ୟଜନକ କଥା। ଏ ନେଇ ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମହାନ୍ତି କହିଛନ୍ତି ଯେ ଏହି ନିଅଂଶ ପାଳି କରିବାକୁ ମନ୍ଦିର ଭିତରେ ସମର୍ଥା ସେବାୟତ ଦୋକାନ କରିଛନ୍ତି। ବାହାର ଉଠାଦୋକାନ ଭାଙ୍ଗିବା ସହିତ ଏହାର କିଛି ସମ୍ପର୍କ ନାହିଁ। ଏ ନେଇ ଟ୍ରଷ୍ଟ ବୋର୍ଡରେ ଆଲୋଚନା କରାଯିବ ଏବଂ ନୀତି ବନ୍ଦ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *