ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫

ରାଜ୍ୟ
Spread the love

ଭୁବନେଶ୍ୱର, ୨/୧୧: ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ତଥା ଜୀବନବ୍ୟାପୀ ଅବଦାନ ନିମନ୍ତେ ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମଭୂଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ ପ୍ରଦାନ କରାଯିବ।ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ନଭେମ୍ବର ୨୯ ତାରିଖରେ ଆୟୋଜିତ ହେବାକୁ ଥିବା ୨-ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏହି ପ୍ରଖ୍ୟାତ ସାହିତ୍ୟ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯିବ।

ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିଷ୍ଠିତ ସୋଆ ସାହିତ୍ୟ ସମ୍ମାନ ଦେଶରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଇଥାଏ। ବିଶିଷ୍ଟ ଲେଖକ, କବି ଓ ଚିନ୍ତକ ଯେଉଁମାନଙ୍କର ଏହି କ୍ଷେତ୍ରରେ ଉତ୍କର୍ଷତା, ସୃଜନଶୀଳତା ଓ ବୌଦ୍ଧିକ ଗଭୀରତା ରହିଛି ସେମାନଙ୍କୁ ସମ୍ମାନିତ କରିବା ହିଁ ସୋଆ ସାହିତ୍ୟ ସମ୍ମାନର ଉଦ୍ଦେଶ୍ୟ।ଅଖତର ଏକାଧାରରେ ଜଣେ ସଂଳାପ ଲେଖକ, ଗୀତିକାର, କବି ଏବଂ ଚିନ୍ତକ। ତାଙ୍କର ଲେଖନୀ ଆଧୁନିକ ଭାରତର ଭାବପ୍ରବଣ ଓ ସାଂସ୍କୃତିକ ଦୃଶ୍ୟପଟ୍ଟକୁ ସମୃଦ୍ଧ କରିଆସିଛି।

ଜଣେ ଉଚ୍ଚକୋଟୀର ଗୀତିକାର ଭାବେ ତାଙ୍କର କୃତି ଭାରତୀୟ ସିନେମାକୁ ଆହୁରି ସମୃଦ୍ଧ କରିବାରେ ସହାୟକ ହୋଇଛି।ପାଂଚ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୧୫ ଥର ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ ଅଖତରଙ୍କୁ ୧୯୯୯ ମସିହାରେ ପଦ୍ମଶ୍ରୀ, ୨୦୦୭ରେ ପଦ୍ମଭୂଷଣ ଓ ୨୦୧୪ରେ ସାହିତ୍ୟ ଅକାଦେମୀ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କର କବିତା ସଂକଳନ ‘ତର୍କଷ’ ଓ ‘ଲାଭା’ ଆଧୁନିକ ହିନ୍ଦୀ ସାହିତ୍ୟରେ ସର୍ବାଦୃତ ପୁସ୍ତକ ଭାବେ ପରିଗଣିତ ହେବା ସହ ବିଭିନ୍ନ ଭାରତୀୟ ଏବଂ ବିଦେଶୀ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି।ଭାରତୀୟ ସିନେମାର ଶବ୍ଦର ଯାଦୁକର ଭାବେ ପରିଚିତ ଜାଭେଦ ଅଖତରଙ୍କ ସାହିତ୍ୟ କୃତି ଯୁବପିଢ଼ିଙ୍କୁ ଉତ୍ସାହ ପ୍ରଦାନ କରିଆସିଛି।ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ପ୍ରଦାନ ଅବସରରେ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ମାନପତ୍ର, ଦେବୀ ସରସ୍ୱତୀଙ୍କ ରୌପ୍ୟ ମୂର୍ତ୍ତି ଓ ଉତ୍ତରୀୟ ପ୍ରଦାନ କରାଯିବ। ଭାରତୀୟ ସମ୍ବିଧାନ ଅନୁମୋଦିତ ଯେକୌଣସି ଭାରତୀୟ ଭାଷାର ସାହିତ୍ୟିକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ।

Leave a Reply

Your email address will not be published. Required fields are marked *