କଟକ ବାଲିଯାତ୍ରା ପୂର୍ବ ଭାରତର ସର୍ବବୃହତ୍‌ ବାଣିଜ୍ୟିକ ଓ ସାଂସ୍କୃତିକ ମେଳା : ମୁଖ୍ୟମନ୍ତ୍ରୀ

କଟକ ଜିଲା ଖବର ମନୋରଞ୍ଜନ ରାଜ୍ୟ
Spread the love

କଟକ, ୬/୧୧ : ଓଡ଼ିଶାର ଗୌରବମୟ ଇତିହାସର ସୁନ୍ଦର ପରିଚୟ ଐତିହାସିକ ବାଲିଯାତ୍ରା। ଏହା କେବଳ ମେଳା ନୁହେଁ; ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଓ ଓଡ଼ିଆ ସାଧବ ପୁଅଙ୍କ ସାହସ ଆଉ ବାଣିଜ୍ୟର ଜୀବନ ସ୍ମୃତି। ବାଲିଯାତ୍ରା ପୂର୍ବ ଭାରତର ସବୁଠାରୁ ବଡ଼ ସାଂସ୍କୃତିକ ମୁକ୍ତାକାଶ ବାଣିଜ୍ୟିକ ମେଳା। ବାଲିଯାତ୍ରା ଅାୟୋଜନ ପାଇଁ ପୂର୍ବରୁ ୨ କୋଟି ଟଙ୍କା ସରକାରୀ ଅନୁଦାନ ମିଳୁଥିବା ବେଳେ ଚଳିତ ବର୍ଷ ଐତିହାସିକ ଉତ୍ସବ ପାଇଁ ୧୦ କୋଟି ଟଙ୍କା ସରକାରୀ ଅନୁଦାନ ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏଥିସହିତ ରୌପ୍ୟ ନଗରୀ ଭାବେ ଖ୍ୟାତି ଅର୍ଜନ କରିଥିବା କଟକ ସହରକୁ ତାରକସି ହବ୍‌ରେ ପରିଣତ କରାଯିବ। ଏବେର ନୌଯାତ୍ରା ସେବେର ନୌଯାତ୍ରା ଭଳି ହୋଇନାହିଁ। ଟେକ୍ନୋଲୋଜିର ବିକାଶ ଦ୍ବାରା ସୁଦୂର ଏବଂ ସହଜ ସାଧ୍ୟ ହୋଇପାରିଛି। ଓଡ଼ିଆ ସାଧବ ପୁଅଙ୍କ ବୀର ଗାଥାକୁ ବଖାଣୁଥିବା ଐତିହାସିକ ବାଲିଯାତ୍ରା ସାମୁଦ୍ରିକ ସଂସ୍କୃତିର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତିି।କଟକର ଐତିହାସିକ ବାଲିଯାତ୍ରା କାର୍ତ୍ତିକ ପୂର୍ଣ୍ଣିମାର ଶୀତୁଆ ସନ୍ଧ୍ୟାରେ ମହାନଦୀ ଅବବାହିକାରେ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ସବକୁ ଉଦ୍‌ଘାଟନ କରି କହିଲେ, ରାଜ୍ୟରେ ହର୍ଷ ଉଲ୍ଲାସରେ ବୋଇତ ବନ୍ଦାଣ ହେଉଛି।

ଐତିହାସିକ ବାଲିଯାତ୍ରା ଓଡ଼ିଆ ସାହିତ୍ୟ, ଲୋକ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ। ରିଭର ଫ୍ରଣ୍ଟ ଯୋଜନାରେ କଟକ ମହାନଦୀ ତଟର ସୋନ୍ଦର୍ଯ୍ୟକରଣ ପାଇଁ ୨୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଐତିହାସିକ ବାଲିଯାତ୍ରାକୁ ୟୁନେସ୍କୋ ୱାଲ୍ଡ ହେରିଟେଜ୍ ସାଇଟ ମାନ୍ୟତା ପ୍ରଦାନ ପାଇଁ ଉଦ୍ୟମ ଜାରିରହିଛି। ଆଗମୀ ଦିନରେ ମହାନଦୀ ପଠାରେ ଥିବା ଧବଳେଶ୍ବର ପୀଠ ଓ ନନ୍ଦୀକେଶ୍ବର ପଠାର ବିକାଶ କାର୍ଯ୍ୟ ହାତକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହ ପାରାଦ୍ବୀପ, ଧାମରା, ଗୋପାଳପୁର ବ୍ୟତୀତ ରାଜ୍ୟ ରେ ଆଗାମୀ ଦିନରେ ୧୪ଟି ଛୋଟ ଛୋଟ ବନ୍ଦର ନିର୍ମାଣ ହେବ। ସୁବର୍ଣ୍ଣରେଖା, ଅସ୍ତରଙ୍ଗ, ଜଟାଧାରୀ ମୁହାଣରେ ବନ୍ଦର ବିକାଶ ଯୋଜନା କାର୍ଯ୍ୟକାରୀ ହେଉଛି। ବାହୁଦା ବନ୍ଦରର ବିକାଶ ପାଇଁ ୨୧ ହଜାର ୫୦୦ କୋଟି ଟଙ୍କାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି।

Leave a Reply

Your email address will not be published. Required fields are marked *