ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରବୃତ୍ତି ହାର ବୃଦ୍ଧି

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର,୨୨/୧୧: ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କ ଉନ୍ନତି ପାଇଁ ସରକାର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଲୋକସେବାଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରୀଛାତ୍ରମାନଙ୍କ ପାଇଁ ପ୍ରାକ୍‌-ମାଟ୍ରିକ ଛାତ୍ରବୃତ୍ତି ଏବଂ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ହାର ବୃଦ୍ଧି କରାଯାଇଛି।

ଏ ସଂକ୍ରାନ୍ତରେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ରାଜ୍ୟରେ ଖାଦ୍ୟ ସାମଗ୍ରୀ ଏବଂ ଦୈନିକ ବ୍ୟବହାର କରାଯାଇଥିବା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧିକୁୁ ଲକ୍ଷ୍ୟକରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ, ଛାତ୍ରମାନଙ୍କ ପାଇଁ ଏହି ରାଶି ୧୦,୫୦୦ରୁ ୧୬ହଜାରକୁ ବୃଦ୍ଧି କରାଯାଇଥିବାବେଳେ ଛାତ୍ରୀମାନଙ୍କ କ୍ଷେତ୍ରରେ ୧୧ହଜାରରୁ ୧୭,୦୦୦ ଟଙ୍କା(ସର୍ବାଧିକ ୧୦ ମାସ ପାଇଁ) ବୃଦ୍ଧି କରାଯାଇଛି। ଏହି ଛାତ୍ରବୃତ୍ତି ଶିଶୁବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍ତେବାସୀ ଛାତ୍ରୀଛାତ୍ରମାନଙ୍କୁ ମିଳିବ।ମାତ୍ର ଅନ୍ବେଷା ଛାତ୍ରାବାସରେ ଅଧ୍ୟୟନରତ ଛାତ୍ରୀଛାତ୍ରମାନେ ପ୍ରାକ୍‌- ମାଟ୍ରିକ ଛାତ୍ରବୃତ୍ତି ବାବଦକୁ ବାର୍ଷିକ ୧୧,୦୦୦ ଟଙ୍କା ପରିବର୍ତ୍ତେ ୧୭,୦୦୦ ଟଙ୍କା ପାଇବେ। ସେହିପରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀର ଅନ୍ତେବାସୀ ଛାତ୍ରୀଛାତ୍ରମାନଙ୍କ ପାଇଁ ପ୍ରଦାନ କରାଯାଇଥିବା ମେସ୍‌ ପରିଚାଳନା ଖର୍ଚ୍ଚ ଯଥା ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ହାରକୁ ମଧ୍ୟ ବୃଦ୍ଧି କରାଯାଇଛି। ଏହି ଯୋଜନା ମାଧ୍ୟମରେ ପ୍ରତିଛାତ୍ର ବାର୍ଷିକ ୧୧ହଜାରରୁ ୧୬,୦୦୦ ଟଙ୍କା ପାଇବାକୁ ରହିଥିବାବେଳେ ଛାତ୍ରୀମାନେ ୧୭,୦୦୦ ଟଙ୍କା ବାର୍ଷିକ(୧୦ମାସ ପାଇଁ) ପାଇବେ। ଏହି ଛାତ୍ରବୃତ୍ତି ସଂଶୋଧନ ଦ୍ବାରା ବିଦ୍ୟାଳୟରେ ଅଧ୍ୟୟନରତ ଅନୁସୂଚିତ ଜନଜାତି ବର୍ଗର ଅନ୍ତେବାସୀ ଛାତ୍ରୀଛାତ୍ରମାନେ ଉନ୍ନତମାନର ଓ ପୁଷ୍ଟିକର ଖାଦ୍ୟ ପାଇପାରିବେ। ଏହି ବର୍ଦ୍ଧିତ ଛାତ୍ରବୃତ୍ତି ୨୦୨୫-୨୬ ଶିକ୍ଷାବର୍ଷର ଡିସେମ୍ବର ମାସ ପହିଲାଠାରୁ ଲାଗୁ କରାଯିବ ବୋଲି ମୁଖ୍ୟଶାସନ ସଚିବ କହିଛନ୍ତି।

Leave a Reply

Your email address will not be published. Required fields are marked *