ମୁଖ୍ୟମନ୍ତ୍ରୀଙ୍କୁ ଗାଳିଦେଇ ଯୁବକ ଗିରଫ

ଅପରାଧ କେନ୍ଦୁଝର ଖୋର୍ଦ୍ଧା ରାଜ୍ୟ
Spread the love

ଖୋର୍ଦ୍ଧା, ୨୮/୧୨: ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ଗଣମାଧ୍ୟମରେ ଗାଳି ଦେଇଥିବା ଜଣେ ଯୁବକଙ୍କୁ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୁଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା କେନ୍ଦୁଝର ସଦର ଓଲ୍ଡଟାଉନ ଅଞ୍ଚଳର ସାଫିୱାଲ୍ଲା ଖାନ୍। ସେ ପିତା ସନାୱାଲ୍ଲାଙ୍କ ସହ ଗତ ୫ ବର୍ଷ ହେବ ଖୋର୍ଦ୍ଧା ପୌରାଞ୍ଚଳ ମୁକୁନ୍ଦପ୍ରସାଦରେ ଭଡାରେ ରହୁଥିଲା। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଆଇଆଇସି ଉମେଶ ସାହୁଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ସଦର ଥାନା ଅଞ୍ଚଳରେ ବିପ୍ଲବୀ ଧରଣୀଧର ନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟ ହେବାର ଥିଲା।ତେବେ ସ୍ଥାପନ ହୋଇଥିବା ପ୍ରତିମୂର୍ତ୍ତି ଫଟୋକୁ ସେଠାର ବିଜେପି କର୍ମୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଅଭିଯୁକ୍ତ ଯୁବକ ଫେସବୁକ୍‌ରେ ମୁଖ୍ୟମନ୍ତ୍ରୀଙ୍କୁ ଏତେ ଦିନପରେ ମନେ ପଡିଲା କି ବୋଲି ପ୍ରଶ୍ନ କରିବା ସହ ଅଶ୍ଳୀଳ ଭାଷାରେ ଇଙ୍ଗିତ କରିଥିଲା। ଏଥିରେ ଅସନ୍ତୋଷ ପ୍ରକାଶ କରି ଜଟଣୀ ନୂଆଗାଁ ଗ୍ରାମର ସବ୍ୟସାଚୀ ଦାସ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ସାଫିୱାଲ୍ଲାକୁ ଗିରଫ କରିଥିଲା। ଅଭିଯୁକ୍ତକୁ ଶନିବାର କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *