କଟକ, ୨୯/୧୨: ଶ୍ଵଶୁର ଘରୁ ଫେରିବା ବାଟରେ ବିଷ ପିଇ ଦମ୍ପତି ଆତ୍ମହତ୍ୟା କରିବା ଘଟଣାରେ ଜୀବିତ ଥିବା ଶିଶୁର ଅବସ୍ଥା ସ୍ଥିର ରହିଛି। ଏହି ୫ବର୍ଷର ଶିଶୁ ବାପା-ମା’ଙ୍କ କଳି ନିଜ ଆଖିରେ ଦେଖିଥିଲା। ବର୍ତ୍ତମାନ ସେ କଟକ ଶିଶୁଭବନରେ ଚିକିତ୍ସାଧୀନ ରହିଛି। ତା’ର ଅବସ୍ଥା ସ୍ଥିର ରହିଥିବା ଶିଶୁଭବନ ଅଧୀକ୍ଷକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶିଶୁଟିର ଚିକିତ୍ସା ପାଇଁ ଡାକ୍ତରୀ ଟିମ୍ ମୁତୟନ ହୋଇଛନ୍ତି। ତେବେ ଶିଶୁଟିକୁ ତା’ର ମା’ ଜବରଦସ୍ତି ବିଷ ଦେବାକୁ ଚେଷ୍ଟା କରିଥିଲା ବୋଲି ଶିଶୁଟି ପ୍ରକାଶ କରିଛି।ସୂଚନାଯୋଗ୍ୟ, ସ୍ବାମୀ ଜଣକ ନିଜ ସ୍ତ୍ରୀ ଓ ୫ବର୍ଷର ପୁଅକୁ ଧରି ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରେ ଥିବା ନିଜ ଶ୍ଵଶୁର ଘରୁ ଫେରିବା ସମୟରେ ଉଭୟଙ୍କ ମଧ୍ୟରେ କଳି ହୋଇଥିଲା। ଯାହାଫଳରେ ସେମାନେ ବାଟରେ ବାଇକ ରଖି ରାସ୍ତାପାର୍ଶ୍ବ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ। ସେଠାରେ ଉଭୟେ ବିଷ ପିଇଦେଇଥିଲେ। କିଛି ସମୟ ମଧ୍ୟରେ ଉଭୟେ ଚେତାଶୂନ୍ୟ ହୋଇପଡ଼ିଥିବାବେଳେ ପୁଅ ରାତି ସାରା ବାପା-ମା’ଙ୍କୁ ଜଗି ବସିଥିଲା। ସକାଳ ହେବାରୁ ରାସ୍ତାକୁ ଆସି ଲୋକଙ୍କୁ ସାହାଯ୍ୟ ମାଗିଥିଲା। ଯାହା ପରେ ଘଟଣା ପଦାକୁ ଆସିଥିଲା। ଦମ୍ପତିଙ୍କର ମୃତ୍ୟୁ ଘଟିଛି।
