ଢାକା, ୩୦/୧୨: ବାଂଲାଦେଶର ପୂର୍ବତନ ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଚିକିତ୍ସିତ ହେୁଥିଲେ। ଆଜି ସକାଳ ପ୍ରାୟ ୬ଟାରେ ସେ ମୃତ୍ୟୁବରଣ କରିଛନ୍ତି। ସେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନପିର ପ୍ରମୁଖ ଥିଲେ । ତାଙ୍କ ମୃତ୍ୟୁ ଖବର ବିଏନପି ମିଡିଆ ସେଲର ଅଫିସିଆଲ୍ ଫେସବୁକ୍ ପେଜରେ ଘୋଷଣା କରାଯାଇଥିଲା। ଡାକ୍ତରଙ୍କ କହିବାନୁଯାୟୀ ଖାଲିଦା ଜିୟା ଲିଭର ସିରୋସିସ୍, ଆର୍ଥ୍ରାଇଟିସ୍, ମଧୁମେହ, ଛାତି ଏବଂ ହୃଦରୋଗରେ ପୀଡିତ ଥିଲେ। ନଭେମ୍ବର ୨୩ ତାରିଖରୁ ଢାକାର ଏଭରକେୟାର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଡିସେମ୍ବର ୧୧ ତାରିଖରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ତାଙ୍କର ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଡିସେମ୍ବର ମାସ ଆରମ୍ଭରେ ଲଣ୍ଡନ ପଠାଯାଇଥିଲା।
୧୫ ଅଗଷ୍ଟ ୧୯୪୫ ମସିହାରେ ପୂର୍ବ ବଙ୍ଗର ଦିନାଜପୁରରେ ସେ ଜନ୍ମଗ୍ରହଣ କରିଥିଲେ। ସେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ। ୧୯୯୧ ରୁ ୧୯୯୬ ଏବଂ ୨୦୦୧ ରୁ ୨୦୦୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ଜିୟା ଉର ରହମାନଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ, ତାରିକ ରହମାନ (୬୦) ଏବଂ ଆରାଫତ ରହମାନ ଅଛନ୍ତି। ତାରିକ ରହମାନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଜଣେ ପ୍ରମୁଖ ଦାବିଦାର ଭାବରେ ଉଭା ହୋଇଛନ୍ତି। ୧୯୭୭ ମସିହାରେ ଜିୟା ଉର ରହମାନ ବାଂଲାଦେଶର ରାଷ୍ଟ୍ରପତି ହୋଇଥିଲେ।
କିନ୍ତୁ, ୧୯୮୧ ମସିହାରେ ସେ ପଦବୀରେ ଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା। ୧୯୭୮ ମସିହାରେ ଜିୟା ଉର ରହମାନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ପ୍ରତିଷ୍ଠା କରିଥିଲେ ଏବଂ ତାଙ୍କ ଦଳ ୧୯୭୯ ନିର୍ବାଚନରେ ଏକ ବଡ଼ ବିଜୟ ହାସଲ କରିଥିଲା। ଏହାପରେ ସେ ଦେଶର ପ୍ରଥମ ନିର୍ବାଚିତ ରାଷ୍ଟ୍ରପତି ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏବଂ ସେ ୨୦୧୫ ମସିହାରେ ଢାକାରେ ଖାଲିଦା ଜିଆଙ୍କ ସହ ତାଙ୍କର ସାକ୍ଷାତକୁ ମନେ ପକାଇଛନ୍ତି।
