ବେଜିଂ, ୩୧/୧୨: ସଲମାନ ଖାନ୍ଙ୍କ ଦ୍ବାରା ପ୍ରଯୋଜିତ ଏବଂ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ବ୍ୟାଟେଲ ଅଫ୍ ଗଲୱାନ’ ଆସନ୍ତା ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି। ୨୦୨୦ ଜୁନରେ ଗଲୱାନ ଘାଟିରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ଉପରେ ଏହି ଚଳଚ୍ଚିତ୍ରର ବିଷୟବସ୍ତୁ ପର୍ଯ୍ୟବସିତ। ନିକଟରେ ଏହି ଚଳଚ୍ଚିତ୍ରର ଟ୍ରେଲର ରିଲଜ୍ ହୋଇଥିବାବେଳେ ଚୀନ୍ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ରରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଛି ବୋଲି ଚୀନ୍ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଚଳଚ୍ଚିତ୍ରରେ ମନୋରଞ୍ଜନ ଭିତ୍ତିକ ଦୃଶ୍ୟ ପ୍ରଦର୍ଶିିତ ହୋଇଥିଲେ ସୁଦ୍ଧା ଏହା ସତ୍ୟତା ଉପରେ ଆଧାରିତ ନୁହେଁ ବୋଲି ଚୀନ କହିଛି। ଇଷ୍ଟର୍ଣ୍ଣ ଲଦାଖସ୍ଥିତ ଅକ୍ସାଇ ଚୀନରେ ଗଲୱାନ ଉପତ୍ୟକା ଅବସ୍ଥିତ।ତେବେ ଗଲୱାନା ଉପତ୍ୟକାକୁ ଚୀନ୍ ନିଜର ବୋଲି ଦାବି କରିଆସୁଛି। ୨୦୨୦ ଜୁନ୍ରେ ଗଲୱାନ ଉପତ୍ୟକାରେ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ନେତୃତ୍ବରେ ଭାରତୀୟ ଯବାନମାନେ ଚୀନ୍ ସୈନ୍ୟଙ୍କ କଡା ମୁକାବିଲା କରିଥିଲେ। ଏଥିରେ ଭାରତର ୨୦ ଯବାନ ସହିଦ ହୋଇଥିବାବେଳେ ଚୀନ ମଧ୍ୟ ୪୫ ଜଣ ସୈନ୍ୟଙ୍କୁ ହରାଇଥିଲା। ଉକ୍ତ ଚଳଚ୍ଚିତ୍ରରେ ସଲମାନ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ଚିତ୍ରାଙ୍ଗଦା ସିଂହ ତାଙ୍କର ନାୟିକା ଅଛନ୍ତି। ଚୀନ୍ ଅଭିଯୋଗ କରିଛି ଯେ ଏହି ସଂଘର୍ଷରେ ସେମାନଙ୍କର କେବଳ ଚାରିଜଣ ସୈନ୍ୟ ନିହତ ହୋଇଛନ୍ତି।
ବଲିଉଡ ଚଳଚ୍ଚିତ୍ର ମାଧ୍ୟମରେ ଭାରତ ନିଜର ସଫଳତାର କାହାଣୀକୁ ଅତିରଞ୍ଜିତ କରୁଥିବା ଚୀନ କହିଛି। ଅପରପକ୍ଷରେ ଭାରତ ପକ୍ଷରୁ କୁହାଯାଇଛି ଯେ ଏହି ଚଳଚ୍ଚିତ୍ରରେ ସରକାରଙ୍କର କୌଣସି ଭୂମିକା ନାହିଁ। ଯେଉଁମାନେ ଏହାକୁ ନେଇ ଆପତ୍ତି ଉଠାଉଛନ୍ତି, ସେମାନେ ସ୍ପଷ୍ଟୀକରଣ ପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି। ଭାରତୀୟ ସମ୍ବିଧାନରେ ପ୍ରତ୍ୟେକ ନାଗରିକଙ୍କର ବାକ୍ ସ୍ବାଧୀନତା ରହିଛି। ଏହି ପରିପ୍ରେକ୍ଷୀରେ ପ୍ରଯୋଜକମାନେ ଯେକୌଣସି ବିଷୟବସ୍ତକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିପାରିବେ ବୋଲି ଭାରତ ସରକାର କହିଛନ୍ତି।
