୮ ମାସ ହେଲା ମିଳୁନି ନିର୍ମାଣ ଶ୍ରମିକ ଭତ୍ତା: ପ୍ରଶାସନିକ ଅବହେଳାର ଶିକାର ବୃଦ୍ଧ ବିଶ୍ୱନାଥ

କଟକ ରାଜ୍ୟ
Spread the love

କଟକ ସଦର, ୨୩/୦୧  : ସରକାର ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କରୁଥିବା ବେଳେ ପ୍ରଶାସନିକ ସ୍ତରରେ ଅବହେଳା ଯୋଗୁଁ ଅନେକ ସମୟରେ ଯୋଗ୍ୟ ହିତାଧିକାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ସଦର ବ୍ଲକ ୪୨ ମୌଜା ଅଞ୍ଚଳରେ। ଦଧିବାମନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଇତଳଙ୍ଗ ଗ୍ରାମର ଜଣେ ବୃଦ୍ଧ ନିର୍ମାଣ ଶ୍ରମିକ ବିଗତ ୮ ମାସ ହେଲା ନିଜର ପ୍ରାପ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ଆଇତଳଙ୍ଗ ଗ୍ରାମର ବାସିନ୍ଦା ବିଶ୍ୱନାଥ ବେହେରା (୭୨) ଜଣେ ପଞ୍ଜିକୃତ ନିର୍ମାଣ ଶ୍ରମିକ ଭାବେ ନିୟମିତ ନିର୍ମାଣ ଶ୍ରମିକ ଭତ୍ତା ପାଇ ଆସୁଥିଲେ। ବୟସର ଅପରାହ୍ନରେ ଏହି ଅର୍ଥ ରାଶି ତାଙ୍କ ପାଇଁ ଏକ ବଡ଼ ସାହାରା ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ, ବିଗତ ୮ ମାସ ହେଲା କୌଣସି ଅଜଣା କାରଣରୁ ତାଙ୍କର ଏହି ଭତ୍ତା ଟଙ୍କା ବନ୍ଦ ହୋଇଯାଇଛି। ଫଳରେ ବାର୍ଦ୍ଧକ୍ୟ ଅବସ୍ଥାରେ ନିଜର ଗୁଜୁରାଣ ମେଣ୍ଟାଇବା ଏବଂ ଔଷଧ ଖର୍ଚ୍ଚ ତୁଲାଇବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି।

ଏହି ସମସ୍ୟା ନେଇ ବିଶ୍ୱନାଥ ବାରମ୍ବାର କଟକ ସଦର ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଅଧିକାରୀମାନଙ୍କୁ ନିଜର ଦୁଃଖ ଜଣାଇବା ସହ ଭତ୍ତା ପୁନର୍ବାର ଚାଲୁ କରିବାକୁ ଅନୁରୋଧ କରିଛନ୍ତି। ମାତ୍ର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ସୁଫଳ ମିଳିପାରି ନାହିଁ। ବାରମ୍ବାର ଅଫିସ ଦୌଡ଼ି ଦୌଡ଼ି ହତାଶ ହୋଇପଡ଼ିବା ପରେ ସେ ଏବେ ଗଣମାଧ୍ୟମ ଜରିଆରେ ନିଜର ଗୁହାରି ଜଣାଇଛନ୍ତି।

ନିର୍ମାଣ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ସୁରକ୍ଷା ଯୋଜନାରେ ଏଭଳି ବ୍ୟତିକ୍ରମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଜଣେ ୭୨ ବର୍ଷର ବୃଦ୍ଧଙ୍କୁ ନିଜର ହକ ପାଇଁ ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବା ପ୍ରଶାସନିକ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏଥିପ୍ରତି ଜିଲ୍ଲା ପ୍ରଶାସନ, କଟକ ସାଂସଦ ଏବଂ କଟକ ସଦର ବିଧାୟକ ଦୃଷ୍ଟି ଦେଇ ତୁରନ୍ତ ତାଙ୍କର ବକେୟା ଭତ୍ତା ପ୍ରଦାନ କରିବା ସହ ସମସ୍ୟାର ସମାଧାନ କରିବାକୁ ବିଶ୍ୱନାଥ ବେହେରା ବିନମ୍ର ନିବେଦନ କରିଛନ୍ତି। ଯଦି ଜଣେ ଯୋଗ୍ୟ ହିତାଧିକାରୀ ଏମିତି ଭତ୍ତାରୁ ବଞ୍ଚିତ ହୁଅନ୍ତି, ତେବେ ସରକାରଙ୍କ କଲ୍ୟାଣକାରୀ ଯୋଜନାର ପ୍ରକୃତ ଲକ୍ଷ୍ୟ କେମିତି ପୂରଣ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *