କଟକ : ଆଜିକାଲିର ଚାକଚକ୍ୟ ଓ ନାଚ-ଗୀତର କୋଳାହଳପୂର୍ଣ୍ଣ ବିବାହ ଉତ୍ସବ ମଧ୍ୟରେ ବଲାଙ୍ଗୀର ସହରରେ ଦେଖିବାକୁ ମିଳିଛି ଏକ ସଂପୂର୍ଣ୍ଣ ନିଆରା ତଥା ଭକ୍ତିମୟ ପରିବେଶ। ରେଳବାଇ ଆରକ୍ଷୀ ଅଧିକ୍ଷକ ତଥା ପୂର୍ବତନ ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଉଦଗାତା ଓ ସୁହାସିନୀ ଦାସ ଉଦଗାତାଙ୍କ ଜ୍ୟେଷ୍ଠ ପୁତ୍ର ପ୍ରିତିଶଙ୍କ ସହିତ ବଲାଙ୍ଗୀରର ଭକ୍ତ ବନ୍ଧୁ ମିଶ୍ର ଓ ବିଦ୍ୟୁତ ପ୍ରଭା ମିଶ୍ରଙ୍କ କନ୍ୟା ଶ୍ଵେତାଙ୍କ ଶୁଭ ପରିଣୟ ଉତ୍ସବ ଏକ ଅଲୌକିକ ଆଧ୍ୟାତ୍ମିକ ଅନୁଭୂତି ସୃଷ୍ଟି କରିଛି। ବଲାଙ୍ଗୀର ସୁଦପଡାସ୍ଥିତ ରେନବୋ ବିବାହ ମଣ୍ଡପରେ ଆୟୋଜିତ ଏହି ଉତ୍ସବରେ ପାରମ୍ପରିକ ଆମୋଦ-ପ୍ରମୋଦ ପରିବର୍ତ୍ତେ ଦେଖିବାକୁ ମିଳିଥିଲା ଶୁଦ୍ଧ ଭକ୍ତିର ପରିପ୍ରକାଶ।

ବର-କନ୍ୟାଙ୍କ ସ୍ୱାଗତ ସମୟରେ ସମଗ୍ର ପରିବେଶ ପବିତ୍ର ମନ୍ତ୍ରଧ୍ୱନୀ ଓ ଶଙ୍ଖନାଦରେ ପ୍ରକମ୍ପିତ ହେଉଥିଲା। ବିଶେଷ କରି କାଶୀ ବା ହରିଦ୍ୱାରର ଗଙ୍ଗାକୂଳରେ ହେଉଥିବା ଭବ୍ୟ ଆଳତୀ ଶୈଳୀରେ, ମଞ୍ଚ ଉପରେ ଦେବାଦିଦେବ ମହାଦେବଙ୍କ ଶକ୍ତିଶାଳୀ ସ୍ତୋତ୍ର ପାଠ ସହ ଆଳତୀ କରାଯାଇଥିଲା। ଧୂପ, ଦୀପ ଓ ଚନ୍ଦନର ସୁବାସ ସାଙ୍ଗକୁ ଆଧ୍ୟାତ୍ମିକତାର ଏହି ପରିବେଶ ଉପସ୍ଥିତ ଅତିଥିମାନଙ୍କ ମନରେ ଏକ ଦିବ୍ୟ ଶାନ୍ତି ଭରି ଦେଇଥିଲା।

ବିବାହ ଭଳି ଏକ ପବିତ୍ର ସାମାଜିକ ବନ୍ଧନକୁ କେବଳ ଉତ୍ସବରେ ସୀମିତ ନ ରଖି ଏକ ଆଧ୍ୟାତ୍ମିକ ସଂସ୍କାରର ରୂପ ଦେବା ପାଇଁ ଉଭୟ ପରିବାରର ଏହି ପ୍ରୟାସ ବାସ୍ତବରେ ପ୍ରଶଂସନୀୟ। ମନ୍ତ୍ରଧ୍ୱନୀର ଗୁଞ୍ଜରଣ ଓ ଭଗବତ ଭକ୍ତିର ଏହି ନିଆରା ସମାବେଶ ସମାଜ ପାଇଁ ଏକ ସୁନ୍ଦର ମାର୍ଗଦର୍ଶନ ସାଜିଛି। ଏହି ବିବାହ ଉତ୍ସବ ପ୍ରମାଣ କରିଛି ଯେ, ସଂସ୍କାର ଓ ପରମ୍ପରାକୁ ପାଥେୟ କରି ଭଗବାନଙ୍କ ଆଶୀର୍ବାଦ ମଧ୍ୟରେ ଜୀବନର ନୂତନ ପଥ ଆରମ୍ଭ କରିବା ହିଁ ପ୍ରକୃତ ସୁଖ। ଏହି ଆଧ୍ୟାତ୍ମିକ ପରିବେଶ ଭିତରେ ସଂପନ୍ନ ହୋଇଥିବା ନିଆରା ବିବାହରେ ନଗରଖବର ପରିବାର ତରଫରୁ ନବଦମ୍ପତିଙ୍କର ଜଗତର ନାଥ ଜଗନ୍ନାଥ ଚଲାପଥ କୁସୁମିତ କରନ୍ତୁ ବୋଲି ପ୍ରତିଷ୍ଠାତା ସଂପାଦକ ପ୍ରଦୀପ ଦାସ କାମନା କରିଛନ୍ତି |
