ପାଟିରେ ପଶିଗଲା ଜୀବନ୍ତ ମାଛ, ଚାଲିଗଲା ଯୁବକଙ୍କ ଜୀବନ

ରାଜ୍ୟ
Spread the love

ବାରିପଦା : ବନ୍ଧରେ ମାଛ ଧରିବା ବେଳେ ଏକ ଜୀବନ୍ତ କୋଇ ମାଛକୁ ପାଟିରେ କାମୁଡ଼ି ମାରିବାକୁ ଚେଷ୍ଟା କରୁଥିଲେ ଜଣେ ଯୁବକ। ହେଲେ ମାଛଟି ତାଙ୍କ ପାଟି ଭିତରକୁ ଗଳି ଯାଇଥିଲା ଓ ଶ୍ୱାସନଳୀରେ ଅଟକି ଯାଇଥିଲା। ଫଳରେ କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦିଘି ଗାଁରେ।
ମୃତ ଯୁବକଙ୍କ ନାଁ ଅବିନାଶ ବିଜୁଳି। ମାଛଟି ତାଙ୍କ ଶ୍ୱାସନଳୀରେ ଅଟକି ଯିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ବାଙ୍ଗିରିପୋଷୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ସୂଚନା ଅନୁଯାୟୀ, ତାଙ୍କର ସେତେବେଳକୁ ମୃତ୍ୟୁ ହୋଇସାରିଥିଲା।
ଅନ୍ୟପକ୍ଷରେ ଡାକ୍ତରଙ୍କ ଅବହେଳା ଯୋଗୁ ଅବିନାଶଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ମୃତକଙ୍କ ଦଦା ତଥା ଦିଘି ଗ୍ରାମର ପୂର୍ବତନ ସରପଞ୍ଚ ବଙ୍କିମ ଚନ୍ଦ୍ର ବିଜୁଳିଙ୍କ କହିବା ଅନୁସାରେ, ବାରମ୍ବାର ଅନୁରୋଧ ସତ୍ତ୍ୱେ ଡାକ୍ତର ରୋଗୀଙ୍କ ପାଖକୁ ଆସିନଥିଲେ। କେବଳ ସେତିକି ନୁହେଁ, ଡାକ୍ତର ଜଣକ ଖରାପ ବ୍ୟବହାର କରିଥିଲେ। ଚିକିତ୍ସା କରିବା ପରିବର୍ତ୍ତେ ତୁରନ୍ତ ବାରିପଦା ରେଫର କରିଦେଇଥିଲେ ଡାକ୍ତର। ଠିକ୍ ସମୟରେ ଚିକିତ୍ସା ନପାଇ ଅବିନାଶଙ୍କ ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି।
ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା।

Leave a Reply

Your email address will not be published. Required fields are marked *