ଆୟୂଷ୍ମାନ କାର୍ଡରେ ସୁବିଧା; ଆଡ୍‌ମିଟର ୩ ଦିନ ପୂର୍ବରୁ ପରୀକ୍ଷାର ଖର୍ଚ୍ଚ ଭରଣ

ରାଜ୍ୟ
Spread the love

ଭୁବନେଶ୍ୱର: ‘ରୋଗୀ ହସ୍ପିଟାଲରେ ଆଡମିଟ୍‌ ହେବାର ୩ ଦିନ ପୂର୍ବରୁ ମେଡିକାଲ୍‌ ପରୀକ୍ଷା ଆୟୂଷ୍ମାନ କାର୍ଡରେ ହେବ। ଆଡମିଟ ହେବାର ୩ ଦିନ ପୂର୍ବରୁ ଟେଷ୍ଟ ହେଲେ ତାହା ଆୟୂଷ୍ମାନ ପ୍ୟାକେଜରୁ ବହନ କରାଯିବ। ଗାଇଡ୍‌ଲାଇନ୍‌ ଅମାନ୍ୟ କଲେ ସମ୍ପୃକ୍ତ ହସ୍ପିଟାଲ୍‌ ବିରୋଧରେ ଆକ୍ସନ ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ। ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା–ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବୈଠକରେ ଉପସ୍ଥିତ ସମସ୍ତ ତାଲିକାଭୁକ୍ତ ବେସରକାରୀ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ମନ୍ତ୍ରୀ ଡ଼. ମହାଲିଙ୍ଗ।
ଆୟୁଷ୍ମାନ ଯୋଜନାର ହିତାଧିକାରୀଙ୍କୁ ଭଲ ବ୍ୟବହାର ଓ ଆତିଥ୍ୟ ପ୍ରଦାନ ପୂର୍ବକ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ସମସ୍ତ ବେସରକାରୀ ହସ୍ପିଟାଲଗୁଡିକୁ ମାନ୍ୟବର ମନ୍ତ୍ରୀ କହିଛନ୍ତି। ମେଡିକାଲକୁ ଆସୁଥିବା ଅଧିକ ପ୍ରତିଶତ ଲୋକ ଆୟୁଷ୍ମାନ ଯୋଜନା ହିତାଧିକାରୀ। ସେମାନଙ୍କ ସୁବିଧା ପାଇଁ ହେଲ୍ପ ଡେସ୍କ କରିବାକୁ ସମସ୍ତ ମେଡିକାଲକୁ କହିଥିଲେ। ସାହାଯ୍ୟପୂର୍ଣ୍ଣ ପରିବେଶରେ ଚିକିତ୍ସା ପାଇଲେ ହସ୍ପିଟାଲର ସୁନାମ ବଢିବ। ବୈଠକରେ ଯୋଜନା ଅଧୀନରେ ରୋଗୀମାନଙ୍କୁ ଗୁଣାତ୍ମକ ଏବଂ କ୍ୟାଶଲେସ୍ ଚିକିତ୍ସା ସେବା ନିଶ୍ଚିତ କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ରାଜ୍ୟର କୋଟି କୋଟି ଲୋକ ଉପକୃତ ହେଉଛନ୍ତି। ତେଣୁ ଯୋଜନାର ସଫଳତା ପାଇଁ ହସ୍ପିଟାଲମାନଙ୍କ ସହଯୋଗ ଅତ୍ୟାବଶ୍ୟକ। ଯୋଜନା ଅଧୀନରେ ଚିକିତ୍ସା ପାଇଁ ଆସୁଥିବା ପ୍ରତ୍ୟେକ ହିତାଧିକାରୀଙ୍କୁ ସମ୍ମାନଜନକ ଓ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାକୁ ସେ ସମସ୍ତ ହସ୍ପିଟାଲକୁ ଆହ୍ୱାନ କରିଛନ୍ତି।
ବେସରକାରୀ ହସ୍ପିଟାଲ ପ୍ରତିନିଧିମାନେ ଯୋଜନା କାର୍ଯ୍ୟାନ୍ୱୟନ ସମ୍ବନ୍ଧୀୟ ବିଭିନ୍ନ ଅଭିଜ୍ଞତା, ସମସ୍ୟା ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ସରକାରଙ୍କ ପକ୍ଷରୁ ସେ ଦିଗଗୁଡିକ ଉପରେ ଆଲୋଚନା ହେବ ବୋଲି କୁହାଯାଇଛି। ବୈଠକରେ ସ୍ୱାସ୍ଥ୍ୟ ବିଭାଗର ସଚିବ ତଥା କମିସନର ଅଶ୍ଵତୀ ଏସ. , ଜାତୀୟ ସ୍ୱାସ୍ଥ୍ୟ ମିସନ ଏମ ଡି ଡ଼. ବୃନ୍ଦା ଡ଼ି, ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ବେସରକାରୀ ହସ୍ପିଟାଲର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *