UPSC: ପ୍ରିଲିମ ପରୀକ୍ଷା ପେପର ଲିକ୍‌ ହୋଇଥିବା ଅଭି‌ଯୋଗ

ଦେଶବିଦେଶ
Spread the love

ନୂଆଦିଲ୍ଲୀ: ୟୁପିଏସ୍‌ସି ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ୨୦୨୬କୁ ନେଇ ଏକ ସଦ୍ୟ ବିବାଦ ଆରମ୍ଭ ହୋଇଛି। କଂଗ୍ରେସ ଦଳର ଛାତ୍ର ଶାଖା ଏନ୍‌ଏସୟୁଆଇ ( ନ୍ୟାସନାଲ ଷ୍ଟୁଡେଣ୍ଟ୍‌ସ ୟୁନିଅନ ଅଫ ଇଣ୍ଡିଆ) ପରୀକ୍ଷାରେ ଅନିୟମିତତା ଏବଂ ଏକ ସମ୍ଭାବ୍ୟ ପେପର ଲିକ୍‌କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।
ଏନ୍‌ଏସୟୁଆଇ ଏହି ପ୍ରସଙ୍ଗରେ ୟୁପିଏସ୍‌ସି ( ୟୁନିଅନ ପବ୍ଲିକ ସର୍ଭିସ କମିସନ୍‌) ଠାରୁ ସ୍ପଷ୍ଟୀକରଣ ମାଗିଛି ଏବଂ ଘଟଣାରେ ଏକ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛି। ଏନ୍‌ଏସୟୁଆଇ ଜାତୀୟ ସଭାପତି ବିନୋଦ ଜାଖର ଅଭିଯୋଗ କରିଛନ୍ତି ଯେ ୟୁପିଏସ୍‌ସି ପ୍ରିଲିମ୍‌ ୨୦୨୬ ପରୀକ୍ଷାରେ ପଡ଼ିଥିବା ୧୦୦ଟି ପ୍ରଶ୍ନରୁ ୮୨ଟି ପ୍ରଶ୍ନ ଅନନ୍ତମ ଆଇଏଏସ୍‌ କୋଚିଂ ଅନୁଷ୍ଠାନ ଦ୍ବାରା ପ୍ରସ୍ତୁତ କରାଯାଇଥିବା ନୋଟ୍‌ ସହ ମେଳ ଖାଉଛି।
ବିନୋଦ ଜାଖର ଅଭିଯୋଗ କରିଛନ୍ତି ଯେ କୋଚିଂ ଅନୁଷ୍ଠାନର ନୋଟ୍‌କୁ ପରୀକ୍ଷା ପରେ ପରିବର୍ତ୍ତନ କରାଯାଇଥିଲା ଏବଂ ତାରିଖ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଏହି ଘଟଣା ଅତ୍ୟନ୍ତ ସାଂଘାତିକ ବୋଲି କହିବା ସହ ଏନ୍‌ଏସୟୁଆଇ ଏହି ଘଟଣାରେ ଏକ ନିରପେକ୍ଷ ତଦନ୍ତ ଦାବି କରିଛି। ଅଭିଯୋଗର ନିରପେକ୍ଷ ତଦନ୍ତ ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ୟୁପିଏସ୍‌ସି ଏଯାବତ ଏହି ଅଭିଯୋଗ ଉପରେ କିଛି ଟିପ୍ପଣୀ ଦେଇନାହିଁ।

Leave a Reply

Your email address will not be published. Required fields are marked *