ମାହାଙ୍ଗା : ବିରୂପା ଗେଙ୍ଗୁଟୀ ଦୁଆବ ଅଞ୍ଚଳ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତ କୋଠପଦା ଗ୍ରାମର କଳାନୁରାଗୀ ପୁରୁଷ, ବିଶିଷ୍ଟ ବାଦ୍ୟକାର ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ଏକାଦଶାହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । କୁଣ୍ଡି ସେବା ସମବାୟ ସମିତି ସଭାପତି, ସମାଜସେବୀ ଅଖିଳେଶ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୁତି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ କଳାର ପୂଜାରୀ ସ୍ବର୍ଗତ ମଲ୍ଲିକଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଉତ୍ସବରେ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣକବିଙ୍କ ଯାତ୍ରା ନାଟକର ପ୍ରଚାର ପ୍ରସାର କ୍ଷେତ୍ରରେ ସ୍ବର୍ଗତ ମଲ୍ଲିକଙ୍କ ଯୋଗଦାନ ଅବିସ୍ମରଣୀୟ ବୋଲି କହିଥିଲେ ।
ମୁଖ୍ୟବକ୍ତା ଭାବେ ପ୍ରବାଚକ ଶୁକଦେବ ସ୍ୱାଇଁ ଜୀବନ ମୃତ୍ୟୁର ଗୁଢ ରହସ୍ୟ ଉପରେ ଆଲୋଚନା କରିବା ସହିତ ଅଲେଖଙ୍କ ଭଳି ଜଣେ କଳାକାରର ସଂଘର୍ଷ ଓ ସଂଘାତ ସମ୍ପର୍କରେ ନିଜ ଅନୁଭୂତ ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମହାନ୍ତି, ସାଂସ୍କୃତିକ ସଂଗଠକ ସୁଶାନ୍ତ କୁମାର ନନ୍ଦ, ଶିକ୍ଷକ ହୃଷିକେଶ ବେହେରା, ସଂଗଠକ ଗଣେଶ ବିହାରୀ ପ୍ରମୁଖ ଯୋଗଦେଇ ସ୍ବର୍ଗତ ମଲ୍ଲିକଙ୍କ କଳା ନୈପୁଣ୍ୟତାର ପଟ୍ଟାନ୍ତର ନାହିଁବୋଲି ମତ ପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାସବ ବେହେରା,ବିଶ୍ୱରଂଜନ ମହାନ୍ତି, ନିରଞ୍ଜନ ବେହାରୀ,ଭରତ ମଲ୍ଲିକ,ରବୀନ୍ଦ୍ର ବେହେରା,ଜୟଦେବ ମହାନ୍ତି,ରଂଜିତ ଦାସ,ନିରଞ୍ଜନ ମୁଦୁଲି, ପ୍ରଭାତ ଘଡେଇ ପ୍ରମୁଖ ଯୋଗଦେଇ ସ୍ବର୍ଗତ ମଲ୍ଲିକଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ।
