ନେମାଳ, ୩୦ ଜୁନ୍: ପଞ୍ଚସଖା ପୀଠ ପଦ୍ମବନ ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଇଷ୍ଟଦେବୀ ପୀଠ ମା’ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ସ୍ନାନ ପୂର୍ଣ୍ଣିମା ମହୋତ୍ସବ ଅତି ଆନନ୍ଦ ଉଲ୍ଲାସ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ‘ଟାଡିସରୁ ମିଶନ’ ଆନୁକୂଲ୍ୟରେ ଏକ ଭବ୍ୟ ‘ଶ୍ରୀ ଭାଗବତ ଅଭିଯାନ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ, ସାରସ୍ୱତ ସାଧକ ତଥା ପ୍ରଫେସର ଡକ୍ଟର ବନୋଜ କୁମାର ରାୟ ମୁଖ୍ୟ ଉପଦେଷ୍ଟା ଭାବେ ଯୋଗଦେଇ ଶ୍ରୀ ଭାଗବତ ପଠନ ଓ ଏହାର ଆଧ୍ୟାତ୍ମିକ ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ମନୋଜ କୁମାର ରାୟ, ସତ୍ୟ ସାର୍ ଏବଂ ଶ୍ରୀମାନ ରାଜେଶଙ୍କ ମିଳିତ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ଓ ଶ୍ରୋତା ଏକତ୍ରିତ ହୋଇ ଓଡ଼ିଆ ଭାଷା ଏବଂ ସଂସ୍କୃତିର ସୁରକ୍ଷା ପାଇଁ ଶପଥ ଗ୍ରହଣ କରିଥିଲେ। ଅଭିଯାନ ଅନ୍ତର୍ଗତ ପୀଠରେ ଶ୍ରୀଭାଗବତ ଗ୍ରନ୍ଥ ବଣ୍ଟନ, ପଠନ ସହ ପାରମ୍ପରିକ ଶ୍ରୀଚିଟାଉ ଲିଖନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଧାର୍ମିକ ଜାଗରଣ ସୃଷ୍ଟି କରିଥିଲା।

ଦିନସାରା ଚାଲିଥିବା ଏହି ଆଧ୍ୟାତ୍ମିକ ସମାରୋହରେ ଭଜନ, ଭୋଜନ ଓ ପ୍ରବଚନର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥିଲା। ପରିବେଶ ସୁରକ୍ଷାର ବାର୍ତ୍ତା ନେଇ କାର୍ଯ୍ୟକ୍ରମରେ ବୃକ୍ଷ କଥା ଆଲୋଚନା ହେବା ସହ ବୃକ୍ଷ ଚାରା ପୂଜନ କରାଯାଇଥିଲା ଏବଂ ଶ୍ରଦ୍ଧାଳୁମାନଙ୍କୁ ‘ଠାକୁର ଗଛ’ (ପବିତ୍ର ଚାରା) ବିତରଣ କରାଯାଇଥିଲା। ଏହି ମହତ କାର୍ଯ୍ୟରେ ଶତାଧିକ ସାଧୁସନ୍ଥ ଓ ସନ୍ନ୍ୟାସୀ ଯୋଗଦେଇ କାର୍ଯ୍ୟକ୍ରମର ଗୌରବ ବଢ଼ାଇଥିଲେ। ସ୍ନାନ ପୂର୍ଣ୍ଣିମାର ଏହି ପବିତ୍ର ଦିନରେ ସକାଳ ୯ ଘଟିକାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ସେବା ଅବ୍ୟାହତ ରହିଥିଲା। ମହାପୁରୁଷଙ୍କ ପୀଠରେ ଭକ୍ତିର ଅମୃତ ରସ ସାଙ୍ଗକୁ ସଂସ୍କୃତି ଓ ପ୍ରକୃତିର ଏହି ଅପୂର୍ବ ମିଳନ ସମଗ୍ର ଅଞ୍ଚଳରେ ଏକ ଦିବ୍ୟ ଆଧ୍ୟାତ୍ମିକ ଆଲୋଡ଼ନ ସୃଷ୍ଟି କରିଛି।
