ଭୁବନେଶ୍ବର: ସଂସଦରେ ଗୃହୀତ ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍, ୨୦୨୬କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦ୍ବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି।
ଲେଖିଥିବା ଚିଠିରେ ସେ ଦର୍ଶାଇଛନ୍ତି, ଏହି ବିଲ୍ ଓଡ଼ିଶାର ବିତ୍ତୀୟ ସ୍ବାଧୀନତା ଓ ଏହାର ପ୍ରାକୃତିକ ସମ୍ବଳ ଉପରେ ଥିବା ସାମ୍ବିଧାନିକ ଅଧିକାର ପ୍ରତି ଏକ ବଡ଼ ବିପଦ। ଏହି ବିଲ୍ ପ୍ରଭାବରେ ଓଡ଼ିଶାର ବ୍ୟାପକ ରାଜସ୍ବ ହାନି ହେବ ଯାହା ବିକାଶମୂଳକ କାର୍ଯ୍ୟକୁ ପ୍ରଭାବିତ ହେବ। ରାଜ୍ୟର ସଂଘୀୟ ଅଧିକାର ଓ ଖଣିଜ ରାଜସ୍ବର ସୁରକ୍ଷା ପାଇଁ ମିଳିତ ସହମତି ହାସଲ କରିବା ନିମନ୍ତେ ତୁରନ୍ତ ସର୍ବଦଳୀୟ ବୈଠକ ଡକାଇବା ଓ ବିଲ୍କୁ ବିରୋଧ କରିବା ଲାଗି ସର୍ବସମ୍ମତିକ୍ରମେ ସଂକଳ୍ପ ହାସଲ କରିବା ନିମନ୍ତେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇବାକୁ ସେ ଦାବି କରିଛନ୍ତି।
କେନ୍ଦ୍ର ସରକାର ରାଜ୍ୟଠାରୁ କ୍ଷମତା ଛଡ଼ାଇନେଲେ ଓଡ଼ିଶାରେ କେବଳ ପ୍ରଦୂଷଣ, ବିସ୍ଥାପନ ଓ ଖଣି ଜନିତ ବୋଝ ରହିଯିବ। ତେଣୁ ରାଜ୍ୟବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି।
