ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଚିନ୍ତା ବଢ଼ାଇଲା ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (CAG)ଙ୍କ ରିପୋର୍ଟ। ଭାରତୀୟ ରେଳ ଷ୍ଟେସନରେ ଥିବା କିଛି ୱାଟର କୁଲରରୁ ସଂଗ୍ରହ କରାଯାଇଥିବା ପାଣି ନମୁନାରେ E. coli ବ୍ୟାକ୍ଟେରିଆ ମିଳିଥିବା ଜଣାପଡ଼ିଛି। ସିଏଜିଙ୍କ ରିପୋର୍ଟରେ ଏହି ଚିନ୍ତାଜନକ ତଥ୍ୟ ଆସିବା ପରେ ରେଳଯାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ବଡ଼ ପ୍ରଶ୍ନ ଉଠିଛି। ପାଣିରେ ମିଳିଥିବା E. coli ବ୍ୟାକ୍ଟେରିଆ ଖାଦ୍ୟ ବିଷାକ୍ତ ପରିସ୍ଥିତି, ଝାଡ଼ା ଏବଂ ଗୁରୁତର କ୍ଷେତ୍ରରେ କିଡନୀ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ।
ସିଏଜି ପକ୍ଷରୁ ଭାରତୀୟ ରେଳର ବିଭିନ୍ନ ଜୋନ୍ର ୫୧୨ଟି ନନ୍-ସବଅର୍ବାନ୍ ଗ୍ରେଡ୍ ରେଳ ଷ୍ଟେସନରେ ଯାତ୍ରୀ ସୁବିଧା ଓ ପରିମଳ ବ୍ୟବସ୍ଥାର ଯାଞ୍ଚ କରାଯାଇଥିଲା। ଏହି ସମୟରେ ୪ଟି ରେଳ ଜୋନର ୮ଟି ଷ୍ଟେସନର ୱାଟର କୁଲରରୁ ନିଆଯାଇଥିବା ପାଣି ନମୁନାରେ ଇ. କୋଲି ବ୍ୟାକ୍ଟେରିଆ ମିଳିଥିଲା।
ରିପୋର୍ଟ ଅନୁସାରେ ସାଉଥର୍ଣ୍ଣ ରେଳୱେରେ କୋଏମ୍ବାଟୋର ଓ ପାଲକ୍କାଡ୍ ଜଙ୍କସନ୍, ସାଉଥ ସେଣ୍ଟ୍ରାଲ୍ ରେଳୱେରେ ହାଇଦ୍ରାବାଦ, ସେଣ୍ଟ୍ରାଲ୍ ରେଳୱେରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍, ଭିୱାଣ୍ଡି ରୋଡ୍, କଲ୍ୟାଣ ଓ ଲୋନାଭାଲା ସେହିପରି ଇଷ୍ଟର୍ଣ୍ଣ ରେଳୱେ ମଧୁପୁର ରେଲ ଷ୍ଟେସନରେ ଲାଗିଥିବା ୱାଟର କୁଲରରୁ ଏହି ବ୍ୟକ୍ଟେରିଆ ମିଳିଛି। ଏହି ଷ୍ଟେସନଗୁଡ଼ିକର ୱାଟର କୁଲରରୁ ନିଆଯାଇଥିବା ପାଣିର ନମୁନା ପରୀକ୍ଷା ବେଳେ ଇ. କୋଲି ବ୍ୟକ୍ଟେରିଆ ଥିବା ଚିହ୍ନଟ ହୋଇଥିଲା।
କେବଳ ପାଣିର ମାନ ନୁହେଁ, ଷ୍ଟେସନଗୁଡ଼ିକର ମୌଳିକ ଯାତ୍ରୀ ସୁବିଧାକୁ ନେଇ ମଧ୍ୟ ସିଏଡି ରିପୋର୍ଟରେ ଗୁରୁତର ତ୍ରୁଟି ସାମ୍ନାକୁ ଆସିଛି। ଯାଞ୍ଚ କରାଯାଇଥିବା ୫୧୨ଟି ଷ୍ଟେସନ ମଧ୍ୟରୁ ୪୫୮ଟି ଷ୍ଟେସନରେ, ଅର୍ଥାତ୍ ୮୯ ପ୍ରତିଶତରୁ ଅଧିକ ଷ୍ଟେସନରେ ସର୍ବନିମ୍ନ ଅତ୍ୟାବଶ୍ୟକ ସୁବିଧା (MEA) ବ୍ୟବସ୍ଥାରେ ତ୍ରୁଟି ଥିଲା। କେତେକ ସ୍ଥାନରେ ସୁବିଧା ନଥିଲା, ଆଉ କେତେକ ସ୍ଥାନରେ ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ସୁବିଧା ମିଳୁନଥିଲା।
୨୦୧୮ ଏପ୍ରିଲରେ ରେଳ ବୋର୍ଡ ପକ୍ଷରୁ ଏନଏସଜି-୧ରୁ ଏନଏସଜି-୬ ଶ୍ରେଣୀର ଷ୍ଟେସନ ପାଇଁ ସର୍ବନିମ୍ନ ଅତ୍ୟାବଶ୍ୟକ ସୁବିଧା, ସୁପାରିଶ କରାଯାଇଥିବା ସୁବିଧାଗୁଡ଼ିକ, (RA) ଓ ଆଶା ଅନୁସାରେ ସୁବିଧା (DA) ସମ୍ପର୍କରେ ନିର୍ଦ୍ଦେଶ ଜାରି କରାଯାଇଥିଲା। ରେଳ ବୋର୍ଡ ଅନୁସାରେ, ୩୧ ଅଗଷ୍ଟ ୨୦୧୮ ସୁଦ୍ଧା ସମସ୍ତ ଷ୍ଟେସନରେ ମୌଳିକ ଆବଶ୍ୟକତା ପୂରଣ କରିବାର ଲକ୍ଷ୍ୟ ରଖାଯାଇଥିଲା।
ଏହି ମୌଳିକ ସୁବିଧା ମଧ୍ୟରେ ପାନୀୟ ଜଳ, ୱେଟିଂ ହଲ୍, ବସିବା ପାଇଁ ସ୍ଥାନ, ପ୍ଲାଟଫର୍ମ ସେଲ୍ଟର, ଶୌଚାଳୟ, ଉଚ୍ଚ ପ୍ଲାଟଫର୍ମ, ପଙ୍ଖା, ଫୁଟ୍ ଓଭର ବ୍ରିଜ୍, ଡଷ୍ଟବିନ୍, ଘଣ୍ଟା ଏବଂ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍ ଭଳି ସୁବିଧା ସାମିଲ ରହିଛି।
ଆଶ୍ଚର୍ଯ୍ୟର କଥା ହେଉଛି, ଦେଶର କିଛି ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ମଧ୍ୟ ଏଭଳି ଅଭାବ ଦେଖାଯାଇଛି। ମୁମ୍ବାଇର CSMT ଓ ମୁମ୍ବାଇ ସେଣ୍ଟ୍ରାଲ୍, ପଶ୍ଚିମବଙ୍ଗର ହାୱଡ଼ା ଓ ସିଆଲଦାହ ଏବଂ ନୂଆଦିଲ୍ଲୀ ଷ୍ଟେସନରେ ମଧ୍ୟ କିଛି ମୌଳିକ ସୁବିଧାରେ ଅଭାବ ଥିବା ସିଏଜି ଯାଞ୍ଚରେ ଜଣାପଡ଼ିଛି। ବିଶେଷ କରି ବସିବା ବ୍ୟବସ୍ଥା, ୟୁରିନାଲ୍ ଓ ଶୌଚାଳୟ, ଡଷ୍ଟବିନ୍ ଏବଂ ଇଲେକ୍ଟ୍ରୋନିକ୍ ଟ୍ରେନ୍ ଇଣ୍ଡିକେଟର ବୋର୍ଡ ଭଳି ସୁବିଧାରେ ତ୍ରୁଟି ଚିହ୍ନଟ ହୋଇଛି।
ସିଏଜିଙ୍କ ରିପୋର୍ଟ ଅନୁସାରେ, ଭାରତୀୟ ରେଳରେ ୫,୯୦୮ଟି ନନ୍-ସବଅର୍ବାନ୍ ଗ୍ରୁପ୍ (NSG) ଷ୍ଟେସନ ରହିଛି। ଏହାସହ ପ୍ରତିଦିନ ୭,୪୨୪ରୁ ଅଧିକ ନନ୍-ସବଅର୍ବାନ୍ ପାସେଞ୍ଜର ଟ୍ରେନ୍ ଚାଲୁଥିବା ବେଳେ ୨୦୨୩-୨୪ରେ ପ୍ରାୟ ୨୯୨.୪ କୋଟି ନନ୍-ସବଅର୍ବାନ୍ ଯାତ୍ରୀ ରେଳରେ ଯାତ୍ରା କରିଥିଲେ। ଯାତ୍ରୀଙ୍କୁ ଉତ୍ତମ ପାନୀୟ ଜଳ, ପରିମଳ ବ୍ୟବସ୍ଥା ଓ ଅନ୍ୟ ମୌଳିକ ସୁବିଧା ଯୋଗାଇବା ଲକ୍ଷ୍ୟରେ ରେଳ ବୋର୍ଡ ପକ୍ଷରୁ ବିଭିନ୍ନ ନିୟମ ଓ ନିର୍ଦ୍ଦେଶ ରହିଛି। କିନ୍ତୁ ସିଏଜିର ଯାଞ୍ଚ ଏହି ନିୟମଗୁଡ଼ିକର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି।
ଏବେ ପ୍ରଶ୍ନ ହେଉଛି ଯେଉଁଠାରେ ପ୍ରତିଦିନ କୋଟି କୋଟି ଯାତ୍ରୀ ରେଳ ଉପରେ ନିର୍ଭର କରୁଛନ୍ତି, ସେଠାରେ ପାନୀୟ ଜଳ ଓ ମୌଳିକ ପରିମଳ ବ୍ୟବସ୍ଥା କେବେ ସୁରକ୍ଷିତ ଓ ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ହେବ?। ପୂର୍ବରୁ ଭାରତରେ ନିମ୍ନ ମାନର ଖାଦ୍ୟ ସାମଗ୍ରୀ, ଅପମିଶ୍ରଣ ନେଇ ଚିନ୍ତାଜନକ ସ୍ଥିତି ଲାଗି ରହିଥିବା ବେଳେ ରେଳବାଇରେ ଏଭଳି ଦୂଷିତ ପାଣି ପିଇ ରୋଗ ଡାକି ଆଣିବା ଭଳି ପରିସ୍ଥିତି ଭାରତୀୟ ରେଳାବାଇର କାର୍ଯ୍ୟ କରିବା ଉଚ୍ଚା ଉପରେ ପ୍ରଶ୍ନ ଉଠାଇଛି।
