ରାଜ୍ୟ ପୁଲିସ ପକ୍ଷରୁ ରାଜ୍ୟବ୍ୟାପୀ ‘ନିଶାନିବାରଣ’ ଶପଥ ପାଠ

ରାଜ୍ୟ
Spread the love

କଟକ: ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ନିଶାମୁକ୍ତ ସମାଜ ଗଠନ ଏବଂ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି (ମଙ୍ଗଳବାର) କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟ ସମେତ ରାଜ୍ୟର ୩୫ଟି ପୁଲିସ ଜିଲ୍ଲାର ସମସ୍ତ ଥାନା ଓ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ସାମୂହିକ ନିଶାମୁକ୍ତି ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇ ନିଶାଦ୍ରବ୍ୟର କୁପ୍ରଭାବରୁ ନିଜକୁ, ପରିବାରକୁ ଓ ସମାଜକୁ ସୁରକ୍ଷିତ ରଖିବା ପାଇଁ ଦୃଢ଼ ସଙ୍କଳ୍ପ ନେଇଥିଲେ। ନିଜେ ନିଶାଦ୍ରବ୍ୟ ସେବନରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ସହ ବନ୍ଧୁବର୍ଗ, ପରିବାର ସଦସ୍ୟ ଓ ସମାଜର ଅନ୍ୟମାନଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ଏବଂ ଓଡ଼ିଶାକୁ ନିଶାମୁକ୍ତ କରିବା ଦିଗରେ ସକ୍ରିୟ ଭୂମିକା ନେବା ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ।
ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଅନୁଷ୍ଠିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଆଇଜିପି (କାର୍ମିକ) ପ୍ରବୀଣ କୁମାର, ଆଇଜିପି (କେନ୍ଦ୍ରାଞ୍ଚଳ) ସତ୍ୟଜିତ ନାୟକ, ଡିଆଇଜିପି (ପ୍ରୋଭିଜନିଂ) ଚରଣ ସିଂ ମିନା, ଡିଆଇଜିପି (କାର୍ମିକ) ଯୁଗଳ କିଶୋର ବୋନଥଙ୍କ ସମେତ ପୋଲିସ ମୁଖ୍ୟାଳୟର ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସାମୂହିକ ଭାବେ ନିଶାମୁକ୍ତି ଶପଥ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *