ପଞ୍ଚାୟତକୁ ବର୍ଷକୁ ଦେଢ଼ କୋଟିରୁ ୩କୋଟି ପର୍ଯ୍ୟନ୍ତ ମିଳିବ: ମନ୍ତ୍ରୀ

ରାଜ୍ୟ
Spread the love

ଭୁବନେଶ୍ବର: ଆସନ୍ତାବର୍ଷ ଏପ୍ରିଲ, ମେ’ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ତେଣୁ ଗ୍ରାମପଞ୍ଚାୟତଗୁଡ଼ିକୁ ସମୃଦ୍ଧ କରିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ‘ଗ୍ରାମ ସମ୍ପଦ’ ବା ‘ବହୁମୁଖୀ ପଞ୍ଚାୟତ ସୁବିଧା ଏବଂ ଗ୍ରାମାଞ୍ଚଳ ବିକାଶ ପାଇଁ ସ୍ଥାୟୀ ସମ୍ପଦର ସବୁଜ, ସୁରକ୍ଷିତ ଏବଂ ସୁଗମ ମଡେଲ୍’ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ପଞ୍ଚାୟତସ୍ତରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯଥା ବିଜିବିଓ, ସିଏଫ୍‌ସି, ଏସ୍‌ଏଫ୍‌ସି, ସିଏସ୍‌ଆର୍‌, ଡିଏମ୍‌ଏଫ୍‌, ବିଧାୟକ ପାଣ୍ଠି, ଭିଭିଜି ରାମ୍‌ଜୀ ଆଦିକୁ ସମନ୍ବିତ କରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଲୋକଙ୍କ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବ ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି।
ଏହି କାର୍ଯ୍ୟକ୍ରମ‌ ସମ୍ପର୍କରେ ଅଧିକ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ଯେ ପଞ୍ଚାୟତର ଜନସଂଖ୍ୟାକୁ ଆଧାର କରି ଗ୍ରାମପଞ୍ଚାୟତଗୁଡ଼ିକୁ ବର୍ଷକୁ ଦେଢ଼ରୁ ତିନି କୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦିଆଯିବ। ଆସନ୍ତା ୫ବର୍ଷକୁ ନଜରରେ ରଖି ଏହା କାର୍ଯ୍ୟକ୍ଷମ ହେବ। ‌ଲୋକ ସେମାନଙ୍କ ଗାଁରେ କ’ଣ କରିବାକୁ ଚାହୁଁଛନ୍ତି ତାହା ଗ୍ରାମ ସଭାରେ ଚୂଡ଼ାନ୍ତ କରି ପ୍ରସ୍ତାବ ଦେବେ। ଏଥିରେ ଗାଁରେ ଗାଁ ଗାଁରେ ମନୋରଞ୍ଜନ, କ୍ରୀଡ଼ା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ସୁବିଧାକୁ ସୁଦୃଢ଼ କରାଯିବ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଗାଁରେ ଲୋକଙ୍କୁ ସହରାଞ୍ଚଳ ଭଳି ସବୁ ସୁବିଧା ଓ ଆନୁଷଙ୍ଗିକ ଭିତ୍ତିଭୂମି ହାତପାହନ୍ତାରେ ଉପଲବ୍ଧ କରାଇବା।
ଗ୍ରାମ ସମ୍ପଦରେ ମୁଖ୍ୟତଃ ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳପଡ଼ିଆ ପାଇଁ ୬୫.୭୫ଲକ୍ଷ, ଆଦର୍ଶ କଲ୍ୟାଣ ମଣ୍ଡପ ପାଇଁ ୪୯ଲକ୍ଷ, ଆଦର୍ଶ ପୋଖରୀ ପାଇଁ ୩୪ଲକ୍ଷ, ଆଦର୍ଶ ଶ୍ମଶାନ ପାଇଁ ୨୨ଲକ୍ଷ, ଆଦର୍ଶ ଗ୍ରାମୀଣ ପାର୍କ ପାଇଁ ୨୦ଲକ୍ଷ, ଆଦର୍ଶ ଗ୍ରାମୀଣ ହାଟ ପାଇଁ ୧୬.୫୦ଲକ୍ଷ, ଆଦର୍ଶ ପଞ୍ଚାୟତ ପାଠାଗାର ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ।
ଆଦର୍ଶ କଲ୍ୟାଣ ମଣ୍ଡପଗୁଡ଼ିକୁ ଏମିତି ନିର୍ମାଣ କରାଯିବ ଯେପରି ସେଠାରେ କେବଳ ବିବାହ ଓ ବ୍ରତଘର ନୁହେଁ, ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ। ଏଥିରେ ବଡ଼ ହଲ୍‌ ସହ ପେଣ୍ଡାଲ ଓ ଦୁଇଟି ଗ୍ରିନ ରୁମ୍ ରହିବ। ନାଚ, ଗୀତ, ଡ୍ରାମା ସହ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ ଆୟୋଜନ କରାଯାଇପାରିବ। ଭୋଜିଭାତ ପାଇଁ ମଧ୍ୟ ସୁବିଧା ରହିବ। ପଞ୍ଚାୟତ ପକ୍ଷରୁ ପାଇପ୍ ପାଣି ଯୋଗାଇ ଦିଆଯିବ। ଆଗାମୀ ଦିନ‌େର ପ୍ରତିବର୍ଷ ‌ଗୋଟିଏ ପଞ୍ଚାୟତରେ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ଯୋଜନା ହୋଇଛି।
ସେହିପରି ଆଦର୍ଶ ପୋଖରୀର ଚାରିପଟେ ପଥର ବନ୍ଧେଇ ସହ ପେଭର ବ୍ଲକ୍‌ ଖଞ୍ଜି ଚଲା ପଥ ନିର୍ମାଣ କରାଯିବ। ଏହା ସହ ମୁକ୍ତାକାଶ ବ୍ୟାୟାମଶାଳା ହେବ। ଆଦର୍ଶ ଶ୍ମଶାନରେ ଶବଦାହ ଗୃହ, ଗାଧୋଇବା ବ୍ୟବସ୍ଥା, ପୋଷାକ ବଦଳାଇବା ଗୃହ ଆଦି ରହିବ। ଶ୍ମଶାନ ଯେପରି ଜବରଦଖଲ ହେବନି ସେଥିପାଇଁ ତାହା ଚାରିକଡ଼େ ପାଚେରି ନିର୍ମାଣ କରାଯିବ। ଆଦର୍ଶ ଗ୍ରାମୀଣ ପାର୍କରେ ବିଭିନ୍ନ ପ୍ରକାରର ଗଛ ସହ ଆଲୋକୀକରଣ ବ୍ୟବସ୍ଥା ହେବ। ଜିମ୍ ରହିବ, ଲୋକଙ୍କ ବସିବା ପାଇଁ ପିଣ୍ଡି ନିର୍ମାଣ ହେବ।
ଆଦର୍ଶ ଗ୍ରାମୀଣ ହାଟରେ ପାନୀୟ ଜଳର ବ୍ୟବସ୍ଥା ସହ ପ୍ରବେଶ ପାଇଁ ସୁନ୍ଦର ଗେଟ୍‌ ଓ ଆବଶ୍ୟକ ଭିତ୍ତିଭୂମି ବିକଶିତ କରାଯିବ। ବୃକ୍ଷରୋପଣ କାର୍ଯ୍ୟକ୍ରମ ଅଧୀନରେ ପ୍ରତି ଗ୍ରାମ ପଞ୍ଚାୟତରେ ୭୦୦ଟି ଗଛ ଲଗାଯିବ। ଏହାସହ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଓ ପାଠକଙ୍କ ପାଇଁ ଆଦର୍ଶ ପାଠାଗାର ନିର୍ମାଣ କରାଯିବ। ଏଠାରେ ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ବହି ଉପଲବ୍ଧ ହେବ। ଏହି ସବୁ ଭିତ୍ତିଭୂମିର ଯେପରି ଉପଯୁକ୍ତ ରକ୍ଷଣାବେକ୍ଷଣ ହେବ, ମରାମତି ହେବ, ଅଧିକରୁ ଅଧିକ ଲୋକ ବ୍ୟବହାର କରିବେ ସେନେଇ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

Leave a Reply

Your email address will not be published. Required fields are marked *