ଫୁଲବାଣୀ : ୨୦ ବର୍ଷ ଧରି ବିବାହ କରିଥିଲେ। କୋଳ ଭରପୂର ହେବ, ଘରେ ଛୁଆର କୁଆଁକୁଆଁ ଶୁଭିବ ବୋଲି ଆଶା ରଖିଥିଲେ କିନ୍ତୁ ସେହି ଆଶା କେବଳ ଆଶାରେ ରହିଗଲା। କାଳେ କୌଣସି ଉପାୟରେ ସନ୍ତାନଟିଏ ପାଇଯିବେ,ଏହି ଭରସାରେ ସେମାନେ ଅନେକ ଡାକ୍ତରଙ୍କ ନିକଟକୁ ଯାଇ ପରାମର୍ଶ ନେଇ ଔଷଧଖାଇଲେ, ସବୁଠାରେ ବିଫଳ ହୋଇଥିଲେ। ଶେଷରେ ଗାଁ ଗୁଣିଆ ଠାରେ ପହଞ୍ଚିଲେ, ନିଜ ନିକଟରେ ଯାହା ସଞ୍ଚିତ ଥିଲା, ଲକ୍ଷାଧିକ ଟଙ୍କା ତାହା ସମର୍ପିଦେଲେ। ବଇଦ କଥାରେ ବିଶ୍ବାସ କରି ଚେରମୂଳି ଖାଇଲେ। କିନ୍ତୁ ଏହି ବିଶ୍ବାସ ସେହି ଦମ୍ପତିଙ୍କ ଶେଷ ବିଶ୍ବାସ ଥିଲା, ସନ୍ତାନ କୋଳକୁ ଆସିଲା ନାହିଁ କିନ୍ତୁ ଚେରମୂଳିର ବିଷପ୍ରକ୍ରିୟାରେ ସବୁଦିନ ପାଇଁ ସେମାନଙ୍କ ଜୀବନ ଚାଲିଗଲା। ଏଭଳି ଏକ ଉଦ୍ବେଗଜନକ ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି।
ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତର ନେଡିପଙ୍ଗା ଗ୍ରାମର କାହ୍ନୁ ଈଶ୍ବର କହଁର ଏବଂ ତାଙ୍କ ପତ୍ନୀ ଲଳିତା କହଁର ସନ୍ତାନ ଆଶାରେ ସେମାନେ ସ୍ଥାନୀୟ ଅଞ୍ଚଳର ଜଣେ ଗୁଣିଆଠାରୁ ଚେରମୂଳି ଔଷଧ ଆଣି ଖାଇଥିଲେ। ଶନିବାର (୨୨ତାରିଖ) ରାତି ପ୍ରାୟ ୧୧ଟା ସମୟରେ ସ୍ବାମୀ-ସ୍ତ୍ରୀ ଦୁହେଁ ଏହି ବିଷାକ୍ତ ଚେରମୂଳି ଔଷଧ ସେବନ କରିଥିଲେ।
ସମ୍ପର୍କୀୟଙ୍କ କହିବାନୁସାରେ, ରାତିରେ ଉଭୟଙ୍କର ଦେହ ଅସୁସ୍ଥ ହୋଇ ପଡ଼ିଥିଲା। ବାନ୍ତି ହେବା ସାଙ୍ଗକୁ ମୁଣ୍ଡ ବୁଲାଇଥିଲା। ସକାଳେ ପଡ଼ୋଶୀମାନେ ଜାଣିବା ପରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଫୁଲବାଣୀ ମେଡିକାଲରେ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇ ପଡ଼ିବାରୁ ଉଭୟଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁର ଡାକ୍ତରଖାନାକୁ ନେବା ବାଟରେ ପତ୍ନୀ ଲଳିତା କହଁରଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ କାହ୍ନୁ ଈଶ୍ବର କହଁରଙ୍କର ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଗତକାଲି (ସୋମବାର) ଲଳିତାର ମୃତ ଦେହ ପୋଷ୍ଟମର୍ଟମ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ତେବେ ଆଜି (ମଙ୍ଗଳବାର) ସ୍ବାମୀ କାହ୍ନୁଙ୍କର ମୃତ୍ୟୁ ହେବା ପରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ।
ମୃତ କାହ୍ନୁ ଈଶ୍ବରଙ୍କ ଭଉଣୀ ରଞ୍ଜିତା କହଁର ଏବଂ ଭାଣିଜୀ ସକୁନ୍ତଳା କହଁର କହିଛନ୍ତି, ଚେରମୂଳି ଔଷଧ ଦେବା ବାବଦରେ ସମ୍ପୃକ୍ତ ଗୁଣିଆ କାହ୍ନୁଙ୍କ ଠାରୁ ଦୁଇ ଭରି ସୁନା ଓ ଏକ ଲକ୍ଷ ଟଙ୍କା ନେଇଛି। ଈଶ୍ବରଙ୍କର ଶାଳକ ପ୍ରଶାନ୍ତ କହଁର କହିଛନ୍ତି, ସେମାନଙ୍କ ଭଉଣୀ ଓ ଭିଣୋଇ ଯେଉଁ ଗୁଣିଆ ଠାରୁ ଚେରମୂଳି ଔଷଧ ଖାଇଥିଲେ ସେହି ଗୁଣିଆକୁ ତୁରନ୍ତ ଗିରଫ କରାଯାଉ।
ମୃତ କାହ୍ନୁ ଈଶ୍ବରଙ୍କ ବଡ଼ଭାଇ ବାବେଶ୍ବର କହଁର ଗୋଛାପଡ଼ା ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ଜାରି ରହିଛି ଏବଂ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୋଛାପଡ଼ା ଥାନାଧିକାରୀ ଶୁଭ୍ରଜିତ ସାମନ୍ତରାୟ ପ୍ରକାଶ କରିଛନ୍ତି।
