ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନରେ ଛାଡ଼ିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟ
Spread the love

କଟକ: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିିଛନ୍ତି। ଶ୍ରୀ ପଣ୍ଡାଙ୍କୁ ଗିରଫଦାରୀର ଆଧାର/କାରଣ ସଂକ୍ରାନ୍ତରେ ଗିରଫ ବେଳେ ଅବଗତ କରାଯାଇ ନଥିଲା ବୋଲି ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା।
ଗିରଫ କରିଥିବା ଅଧିକାରୀ ଏହି ପ୍ରସଂଗରେ ଆଇନରେ ଥିବା ବ୍ୟବସ୍ଥା ପାଳନ କରି ନଥିଲେ। ସମ୍ବିଧାନର ଧାରା ୨୧(୧) ଓ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୪୭ ଓ ୪୮ରେ ରହିଥିବା ବ୍ୟବସ୍ଥା ଅନୁସାରେ ତଥା ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଶ୍ରୀ ପଣ୍ଡାଙ୍କୁ ଗିରଫଦାରୀର କାରଣ ସଂକ୍ରାନ୍ତରେ ଅବଗତ କରାଯାଇ ନଥିଲା। ଏହା ସମ୍ବିଧାନର ଧାରା ୨୨(୧)ରେ ଆବେଦନକାରୀଙ୍କୁ ପ୍ରଦାନ କରାଯାଇଥିବା ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ହାଇକୋର୍ଟ କହିଛନ୍ତି। ଏପରି ଗିରଫଦାରୀ ଅବୈଧ ହୋଇଥିବାରୁ ଆବେଦନକାରୀଙ୍କୁ ଜାମିନରେ ଛାଡ଼ିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଅତିରିକ୍ତ ଦୌରା ଜଜ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଜାମିନ ପାଇଁ ବଣ୍ଡ୍‌ ଆବେଦନକାରୀ ଦାଖଲ କରିବେ। ଅତିରିକ୍ତ ଦୌରା ଜଜ ଅଦାଲତ ଜାମିନ ସର୍ତ୍ତ ଧାର୍ଯ୍ୟ କରିବେ। ଜାମିନରେ ଛାଡ଼ ପାଇବା ପରେ ଆବେଦନକାରୀ ପୀଡ଼ିତ ପରିବାର, ଏତଲାକାରୀ ଓ ଅନ୍ୟ ପ୍ରସିକ୍ୟୁସନ ସାକ୍ଷୀଙ୍କୁ ନିର୍ଯାତନା, ଧମକ ଓ ଭୟଭିତ କରିବା ଭଳି କୌଣସି ପ୍ରକାର କାର୍ଯ୍ୟ କରିବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି। ଯଦି ସର୍ତ୍ତ ଉଲ୍ଲଂଘନ ହୁଏ ତେବେ ଆବେଦନକାରୀଙ୍କୁ ପ୍ରଦାନ କରାଯାଇଥିବା ଜାମିନ ବାତିଲ ହେବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।
ସୁପ୍ରିମକୋର୍ଟଙ୍କ ଭିହାନ କୁମାର ଓ ମିହିର ରାଜେଶ ଶାହା ମାମଲାର ରାୟ ପରେ ମଧ୍ୟ ଅଭିଯୁକ୍ତଙ୍କ ଗିରଫଦାରୀ ବେଳେ ପୁଲିସ ପ୍ରଶାସନ ବାଧ୍ୟତାମୂଳକ ଆଇନଗତ ବ୍ୟବସ୍ଥା ଠିକ ଭାବେ ପାଳନ କରୁ ନାହିଁ। ତେଣୁ ଏହି ରାୟର କପି ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କୁ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟର କପି ପାଇବା ପରେ କର୍ତ୍ତୃପକ୍ଷ ସୁପ୍ରିମକୋର୍ଟଙ୍କ ରାୟରେ ରହିଥିବା ନିର୍ଦ୍ଦେଶନାମା ଓ ମାର୍ଗଦର୍ଶିକା ସଂକ୍ରାନ୍ତରେ ରାଜ୍ୟର ସମସ୍ତ ପୁଲିସ ଥାନାକୁ ଅବଗତ କରିବେ। ଏଥି ସହିତ ଆଇନ ଅନୁସାରେ ଗିରଫ ପାଇଁ କ୍ଷମତା ରହିଥିବା ଅନ୍ୟ ଅଧିକାରୀଙ୍କୁ ମଧ୍ୟ ଏ ନେଇ ଅବଗତ କରାଯିବ। ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ବେଳେ ଓ ତାଙ୍କ ସ୍ବାଧୀନତାକୁ ସଂକୁଚିତ କରିବା ବେଳେ ନି‌ର୍ଦ୍ଦେଶନାମା ପାଳନ ପାଇଁ ଆଦେଶ ଦିଆଯିବ ବୋଲି ହାଇକୋର୍ଟ କହିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୫, ଅକ୍ଟୋବର ୬ ରାତିରେ ବିଶିଷ୍ଟ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ଏହି ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ଶ୍ରୀ ପଣ୍ଡାଙ୍କୁ ବୈଦ୍ୟନାଥପୁର ଥାନା ପୁଲିସ ୨୦୨୫, ଅକ୍ଟୋବର ୨୨ ରାତିରେ ଗିରଫ କରିଥିଲା। ୨୦୨୬, ଜାନୁଆରି ୩ରେ ମାମଲାରେ ଚାର୍ଜସିଟ ଦାଖଲ ହୋଇଥିଲା। ବ୍ରହ୍ମପୁର ଅତିରିକ୍ତ ଦୌରା ଜଜ ଅଦାଲତରେ ଜାମିନ ଖାରଜ ହେବା ପରେ ଶ୍ରୀ ପଣ୍ଡା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶ୍ରୀ ପଣ୍ଡାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ଓ ସୁବିର ପାଲିତ ମାମଲା ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *