ଅପରେସନ୍‌ ସିନ୍ଦୂରରେ କମାଲ କରିଥିଲେ ଏୟାର୍ ମାର୍ଶାଲ ଜିତେନ୍ଦ୍ର ମିଶ୍ର, ରାମମନ୍ଦିରରେ ମିଳିଲା ବଡ଼ ଦାୟିତ୍ବ

ଦେଶବିଦେଶ
Spread the love

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାସ୍ଥିତ ରାମମନ୍ଦିର ଟ୍ରଷ୍ଟର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଅବସରପ୍ରାପ୍ତ ଏୟାର୍ ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କୁ ଚୟନ କରାଯାଇଛି। ଟ୍ରଷ୍ଟରେ ସାଂଗଠନିକ ପରିବର୍ତ୍ତନ ଆଣିବା ପ୍ରକ୍ରିୟାର ଅଂଶ ଭାବେ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ମନ୍ଦିର ପରିଚାଳନା ଓ ଆର୍ଥିକ ଉତ୍ତରଦାୟିତ୍ବକୁ ଅଧିକ ସୁଦୃଢ଼ କରିବା ତାଙ୍କର ପ୍ରମୁଖ ଦାୟିତ୍ବ ହେବ।
ଏହି ପଦ ପାଇଁ ଟ୍ରଷ୍ଟ ପାଖରେ ମୋଟ ୫,୫୮୫ଟି ଆବେଦନ ପହଞ୍ଚିଥିଲା। ଅବସରପ୍ରାପ୍ତ ବିଚାରପତି ପ୍ରମୋଦ କୋହଲିଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ବିଷ୍ଣୁକାନ୍ତ ଚତୁର୍ବେଦୀ ଓ ପୂର୍ବତନ ବୈଜ୍ଞାନିକ ସୁରେଶ ହାୱାରେ ଥିଲେ। ୬୦୦ ନମ୍ବରର ମାନଦଣ୍ଡ ଆଧାରରେ ପ୍ରାର୍ଥୀମାନଙ୍କ ମୂଲ୍ୟାୟନ କରାଯାଇଥିଲା। ଅଗଷ୍ଟ ୧୧ ଓ ୧୨ ତାରିଖରେ ଅଯୋଧ୍ୟାରେ ୧୬ ଜଣ ପ୍ରାର୍ଥୀଙ୍କ ଶେଷ ପର୍ଯ୍ୟାୟ ସାକ୍ଷାତ୍‌କାର ହୋଇଥିଲା। ଚୟନରେ ନେତୃତ୍ବ ଦକ୍ଷତା, ପରିଚାଳନା ଅଭିଜ୍ଞତା, ସଚ୍ଚୋଟତା ଓ ଜାତୀୟ-ଅନ୍ତର୍ଜାତୀୟ ଗୁରୁତ୍ବ ଥିବା ଅନୁଷ୍ଠାନର ନେତୃତ୍ବ ନେବାର ଦୃଷ୍ଟିକୋଣକୁ ଗୁରୁତ୍ବ ଦିଆଯାଇଥିଲା। ଟ୍ରଷ୍ଟ ପକ୍ଷରୁ ତିନିଜଣ ଅତ୍ୟନ୍ତ ଯୋଗ୍ୟ ବ୍ୟକ୍ତିଙ୍କ ନାମ ସୁପାରିସ କରାଯାଇଥିବାବେଳେ ମିଶ୍ର ଏହି ସମସ୍ତ ମାନଦଣ୍ଡ ପୂରଣ କରିଥିଲେ।
ଜିତେନ୍ଦ୍ର ମିଶ୍ର ୧୯୮୬ ଡିସେମ୍ବରରେ ଭାରତୀୟ ବାୟୁସେନାରେ ଯୁଦ୍ଧବିମାନ ପାଇଲଟ୍‌ ଭାବେ ଯୋଗ ଦେଇଥିଲେ। ୩୮ ବର୍ଷରୁ ଅଧିକ ସମୟର ସେବା ପରେ ୨୦୨୬ ମେ’ରେ ଅବସର ନେଇଥିଲେ। ସେ ଅପରେସନ୍‌ ସିନ୍ଦୂର ସମୟରେ ବାୟୁସେନାର ପଶ୍ଚିମ କମାଣ୍ଡ୍‌ର ମୁଖ୍ୟ ଥିଲେ। ଏହାଛଡ଼ା ସେ ବାୟୁସେନାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦରେ କାର୍ଯ୍ୟ କରିଛନ୍ତି। ଜିତେନ୍ଦ୍ର ମିଶ୍ର ନ୍ୟାସନାଲ ଡିଫେନ୍ସ ଏକାଡେମି, ପୁଣେ, ଏୟାର୍‌ଫୋର୍ସ ଟେଷ୍ଟ ପାଇଲଟ୍‌ ସ୍କୁଲ, ବେଙ୍ଗାଲୁରୁ, ଆମେରିକାର ଏୟାର୍ କମାଣ୍ଡ୍ ଆଣ୍ଡ୍ ଷ୍ଟାଫ୍‌ କଲେଜ ଏବଂ ବ୍ରିଟେନ୍‌ର ରୟାଲ କଲେଜ ଅଫ୍‌ ଡିଫେନ୍ସ ଷ୍ଟଡିଜ୍‌ର ପୂର୍ବତନ ଛାତ୍ର। ଉଲ୍ଲେଖନୀୟ ସେବା ପାଇଁ ସେ ସର୍ବୋତ୍ତମ ଯୁଦ୍ଧ ସେବା ପଦକ, ଅତି ବିଶିଷ୍ଟ ସେବା ପଦକ ଓ ବିଶିଷ୍ଟ ସେବା ପଦକ ପାଇଛନ୍ତି।
ଏଥି ସହ ଅଯୋଧ୍ୟାର ମଦନ ମୋହନ ପାଣ୍ଡେ, ଦିଲ୍ଲୀର ମହେଶ ଭଗଚନ୍ଦକା ଓ ଶିକୋହାବାଦର ନିର୍ମଳା ଯାଦବ ରାମମନ୍ଦିର ଟ୍ରଷ୍ଟର ନୂଆ ସଦସ୍ୟ ହୋଇଛନ୍ତି। ଅଯୋଧ୍ୟାରେ ଦାନ ଅର୍ଥ ଚୋରି ନେଇ ବିବାଦ ପରେ ଏହି ପରିବର୍ତ୍ତନ କରାଯାଇଛି। ଦାନ ଅର୍ଥ ଗଣନା ସହ ଜଡ଼ିତ ଅଧିକାଂଶ ବ୍ୟକ୍ତିଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଛି। ଏହି ବିବାଦ ପରେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ମଧ୍ୟ ପଦରୁ ଇସ୍ତଫା ଦେଇଥିଲେ।

Leave a Reply

Your email address will not be published. Required fields are marked *