ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନରେ ରବିବାର ଏକ ୫ ମହଲା କୋଠା ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଦିଲ୍ଲୀ ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସୋମବାର ମାମଲାର ଶୁଣାଣି କରି ହାଇକୋର୍ଟ ଦିଲ୍ଲୀ ନଗର ନିଗମ (ଏମ୍ସିଡି)କୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ କହିଛନ୍ତି। ଭୁଶୁଡ଼ିଥିବା କୋଠା ଆବଶ୍ୟକ ଅନୁମତି ନେଇ ନିର୍ମାଣ ହୋଇଥିଲା କି ନାହିଁ, ତାହା ଯାଞ୍ଚ କରିବା ସହ ନିୟମ ଉଲ୍ଲଂଘନ ହୋଇଥିଲେ ଦାୟୀ ଅଧିକାରୀଙ୍କ ଉତ୍ତରଦାୟିତ୍ବ ଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ମାମଲାରେ ସତ୍ୟ ନିକେତନର ପେଇଂ ଗେଷ୍ଟ୍ (ପିଜି) ବ୍ୟବସ୍ଥା ଉପରେ ମଧ୍ୟ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଦିଲ୍ଲୀର ସମସ୍ତ ପିଜି ହଷ୍ଟେଲ୍ର ଯାଞ୍ଚ କରି ସେଗୁଡ଼ିକର ନିର୍ମାଣ ନିୟମ ଓ ଅନୁମତି ଅନୁସାରେ ହୋଇଛି କି ନାହିଁ, ତାହାର ରିପୋର୍ଟ ଦେବାକୁ ଏମ୍ସିଡିକୁ କୁହାଯାଇଛି। ଏହାସହ ପିଜିରେ କେତେ ଛାତ୍ର ରହୁଛନ୍ତି, ସେ ସମ୍ପର୍କିତ ତଥ୍ୟ ମଧ୍ୟ ମଗାଯାଇଛି। ଶୁଣାଣି ବେଳେ ଅଦାଲତ କହିଛନ୍ତି, ଛାତ୍ରମାନେ ଫ୍ଲାଟ୍ ଭଡ଼ା ନେଇ ମଧ୍ୟ ରହୁଛନ୍ତି। ତେଣୁ କେଉଁ ଭଡ଼ା ଘର ପିଜି ଭାବେ ବ୍ୟବହାର ହେଉଛି, ତାହା କିପରି ଚିହ୍ନଟ କରାଯିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ପିଜି ପାଇଁ ନିର୍ଦ୍ଦିଷ୍ଟ ନିୟମ ନ ଥିଲେ ସରକାର ତାହା ପ୍ରସ୍ତୁତ କରିବା ଉଚିତ ବୋଲି କୋର୍ଟ କହିଛନ୍ତି। ପିଜିର ଆକାର, ବିଦ୍ୟୁତ୍ ବ୍ୟବସ୍ଥା ଓ ସୁରକ୍ଷା ଭଳି ବିଷୟରେ ନିୟମ ରହିବା ଆବଶ୍ୟକ ବୋଲି ଅଦାଲତ ମତ ଦେଇଛନ୍ତି।
ଅନୁମତିଠାରୁ ଅଧିକ ମହଲା ନିର୍ମାଣ କରାଯାଉଥିବା ନେଇ ମଧ୍ୟ କୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି। ୨ ମହଲା ପାଇଁ ଅନୁମତି ନେଇ ୭ ମହଲା ନିର୍ମାଣ କରାଯିବା ଭଳି ଅଭିଯୋଗ ଯଦି ସତ ହୁଏ, ତେବେ ଏପରି ଅନିୟମିତତା ଦୁର୍ଘଟଣାର କାରଣ ହୋଇପାରେ। ଦେଶର ବିଭିନ୍ନ ସ୍ଥାନରୁ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ଆସୁଥିବା ଯୁବକଯୁବତୀଙ୍କ ପାଇଁ ଅଧିକ ହଷ୍ଟେଲ୍ ନିର୍ମାଣ ଉପରେ ନିବେଶ କରିବା ଦେଶର ଭବିଷ୍ୟତ ପାଇଁ ନିବେଶ ସଦୃଶ ବୋଲି ଅଦାଲତ କହିଛନ୍ତି। ସରକାରଙ୍କ ପକ୍ଷରୁ ଛାତ୍ରାବାସ ସୁବିଧା ବଢ଼ାଇବା ପାଇଁ ସଲିସିଟର ଜେନେରାଲ୍ଙ୍କୁ କେନ୍ଦ୍ର ସରକାରଙ୍କ ନିକଟରେ ବିଷୟ ଉଠାଇବାକୁ କୁହାଯାଇଛି।
ଘଟଣା ନେଇ କେନ୍ଦ୍ର, ଦିଲ୍ଲୀ ସରକାର, ଏମ୍ସିଡି ଓ ଜାତୀୟ ମାନବାଧିକାର କମିସନ୍ (ଏନ୍ଏଚ୍ଆର୍ସି)ଠାରୁ ରିପୋର୍ଟ ମଗାଯାଇଛି। ଉଦ୍ଧାର କାର୍ଯ୍ୟକୁ ଦୁଇଗୁଣ କରି ଅଧିକ ଜୀବନ ବଞ୍ଚାଇବାକୁ କୋର୍ଟ ଆଶା ପ୍ରକାଶ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୬ରେ ହେବ। ଏପର୍ଯ୍ୟନ୍ତ ଘଟଣାସ୍ଥଳରୁ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଏମ୍ସିଡି ଦକ୍ଷିଣ ଜୋନ୍ର ଡେପୁଟି କମିସନର୍ ରାକେଶ କୁମାରଙ୍କ ସମେତ ୪ ଜଣ ଇଞ୍ଜିନିୟରଙ୍କୁ ନିଲମ୍ବିତ କରାଯାଇଛି। କୋଠାର ମାଲିକଙ୍କୁ ରାଜସ୍ଥାନର ଭିୱାଡ଼ିରୁ ପୁଲିସ ଗିରଫ କରିଛି।
ଅନ୍ୟପଟେ ଦିଲ୍ଲୀ ନଗର ନିଗମ (ଏମ୍ସିଡି) କମିସନର୍ ସଞ୍ଜୀବ ଖିରୱାରଙ୍କୁ ନେଇ ବିବାଦ ତୀବ୍ର ହୋଇଛି। ଛାତ୍ର ସଂଗଠନଗୁଡ଼ିକ ତାଙ୍କ ଇସ୍ତଫା ଦାବି କରିବା ସହ ଏହି ଦୁର୍ଘଟଣା ପାଇଁ ନଗର ପ୍ରଶାସନର ଦାୟିତ୍ବ ନିର୍ଦ୍ଧାରଣ କରିବାକୁ ଦାବି କରିଛନ୍ତି।
ଏହା ପୂର୍ବରୁ ୨୦୨୨ରେ ଖିରୱାର ଦିଲ୍ଲୀର ରାଜସ୍ୱ ବିଭାଗର ପ୍ରଧାନ ସଚିବ ଥିବାବେଳେ ତ୍ୟାଗରାଜ ଷ୍ଟାଡିୟମ୍ରେ ନିଜ କୁକୁରକୁ ବୁଲାଇବା ନେଇ ବିବାଦରେ ପଡ଼ିଥିଲେ। ଆଥ୍ଲେଟ୍ ଓ ପ୍ରଶିକ୍ଷକମାନଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଷ୍ଟାଡିୟମ୍ ଛାଡ଼ିବାକୁ କୁହାଯାଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କୁ ଲଦାଖ ଓ ତାଙ୍କ ପତ୍ନୀ ରିଙ୍କୁ ଦୁଗ୍ଗାଙ୍କୁ ଅରୁଣାଚଳ ପ୍ରଦେଶକୁ ବଦଳି କରାଯାଇଥିଲା। ଚଳିତ ବର୍ଷ ଦିଲ୍ଲୀ ଫେରି ଖିରୱାର ଜାନୁଆରିରୁ ଏମ୍ସିଡି କମିସନର୍ ଦାୟିତ୍ବ ନେଇଥିଲେ।
ସତ୍ୟ ନିକେତନରେ ଭୁଶୁଡ଼ିଥିବା ୫ ମହଲା କୋଠାଟି ଛାତ୍ରଙ୍କ ପାଇଁ ପେଇଂ ଗେଷ୍ଟ୍ (ପିଜି) ଭାବେ ବ୍ୟବହାର ହେଉଥିଲା। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଖିରୱାରଙ୍କ ଇସ୍ତଫା ଦାବି କରିଛି। ଏବିଭିପିର ଜାତୀୟ ସୋସିଆଲ୍ ମିଡିଆ ସଂଯୋଜକ ପ୍ରେରଣା ଭରଦ୍ୱାଜ କହିଛନ୍ତି, ରାଜଧାନୀରେ ଛାତ୍ରମାନଙ୍କ ସୁରକ୍ଷା ନେଇ ନଗର ପ୍ରଶାସନ ଉତ୍ତରଦାୟିତ୍ବ ନେବା ଆବଶ୍ୟକ। ସଂଗଠନ ପକ୍ଷରୁ ଏମ୍ସିଡି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ମଧ୍ୟ କରାଯାଇଛି। ନ୍ୟାସନାଲ ଷ୍ଟୁଡେଣ୍ଟସ ୟୁନିୟନ ଅଫ୍ ଇଣ୍ଡିଆ (ଏନ୍ଏସ୍ୟୁଆଇ) ମଧ୍ୟ ପ୍ରତିବାଦ କରିଛି। ଏନ୍ଏସ୍ୟୁଆଇ ସଭାପତି ବିନୋଦ ଝାକର ଉଦ୍ଧାର କାର୍ଯ୍ୟରେ ବିପର୍ଯ୍ୟୟ ପ୍ରସ୍ତୁତି, ଉପକରଣ ଓ ପରିଚାଳନାର ଅଭାବ ଥିବା ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏମ୍ସିଡିର ଅନେକ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ଏଥିରେ ଡେପୁଟି କମିସନର୍, ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର୍, ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର୍, ଆସିଷ୍ଟାଣ୍ଟ ଇଞ୍ଜିନିୟର୍ ଓ ଜୁନିୟର ଇଞ୍ଜିନିୟର୍ ଅଛନ୍ତି। ମାଜିଷ୍ଟ୍ରେଟ୍ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅବହେଳା କିମ୍ବା ତଦାରଖରେ ତ୍ରୁଟି ଥିବା ଜଣାପଡ଼ିଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଭୁଶୁଡ଼ିଥିବା କୋଠାଟି ୪୦ ବର୍ଷରୁ ଅଧିକ ପୁରୁଣା ଥିଲା। ଏହାର ବେସ୍ମେଣ୍ଟରେ ପାଣି ଜମିବା ସହ ମରାମତି କାମ ଚାଲିଥିବାରୁ ପୁରୁଣା ଢାଞ୍ଚା ଦୁର୍ବଳ ହୋଇଥିବା କୁହାଯାଇଛି। ଘଟଣା ପରେ ପିଜି, ନର୍ସିଂହୋମ୍, ସ୍କୁଲ୍ ଓ ଅନ୍ୟ ପ୍ରତିଷ୍ଠାନ ଭାବେ ବ୍ୟବହୃତ ପୁରୁଣା ଓ ବିପଜ୍ଜନକ କୋଠାଗୁଡ଼ିକର ସୁରକ୍ଷା ଯାଞ୍ଚ ନେଇ ସରକାର ବିଚାର କରୁଛନ୍ତି। ଏପରି କୋଠାର ନିୟମିତ ଢାଞ୍ଚାଗତ ଯାଞ୍ଚ ଓ ସୁରକ୍ଷା ପ୍ରମାଣପତ୍ର ବାଧ୍ୟତାମୂଳକ କରିବାକୁ ନୀତି ଆଣିବା ଉପରେ ମଧ୍ୟ କାମ ଚାଲିଛି।
