ପାରିବାରିକ ବିବାଦର ସଫଳ ସମାଧାନ କଲା ଆନ୍ତର୍ଜାତୀୟ ମାନବାଧିକାର ବାହିନୀ: ପଟ୍ଟାମୁଣ୍ଡାଇରେ ବୁଦ୍ଧିଜୀବୀ ଓ ଗ୍ରାମବାସୀଙ୍କ ପ୍ରଶଂସା

ରାଜ୍ୟ
Spread the love

ପଟ୍ଟାମୁଣ୍ଡାଇ: ପିଲାଙ୍କ ଖେଳକୁଦକୁ କେନ୍ଦ୍ର କରି ଘଟିଥିବା ଏକ ପାରିବାରିକ ବିବାଦ ପୋଲିସ ଓ ଅଦାଲତ ପର୍ଯ୍ୟନ୍ତ ପହଞ୍ଚିବା ପରେ ଭୟଭୀତ ହୋଇ ଗାଁ ଛାଡ଼ିଥିବା ଦୁଇଟି ପରିବାର ମଧ୍ୟରେ ଆପୋଷ ବୁଝାମଣା କରାଇଛି ଆନ୍ତର୍ଜାତୀୟ ମାନବାଧିକାର ବାହିନୀ (ଆଇଏଚ୍‌ଆରଏଫ୍‌‌)। ସଂଗଠନର ଏହି ଉଦ୍ୟମ ଫଳରେ ଦୀର୍ଘ ଦିନର ବିବାଦର ସମାପ୍ତି ଘଟିବା ସହ ପରିବାରଗୁଡ଼ିକ ନିଜ ଘରକୁ ଫେରିଛନ୍ତି।

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳରେ ଛୋଟ ପିଲାଙ୍କ କଳିକୁ ନେଇ ଗୋଟିଏ ବଂଶର ଦୁଇ ପରିବାର ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗଣ୍ଡଗୋଳ ପରେ ଘଟଣାଟି ଡାକ୍ତରଖାନା ଏବଂ ପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ପହଞ୍ଚିଥିଲା। ଥାନାସ୍ତରରେ କାଉନସେଲିଂ ମାଧ୍ୟମରେ ସମାଧାନ ନହୋଇପାରିବାରୁ ଉଭୟ ପକ୍ଷରୁ ପରସ୍ପର ବିରୋଧରେ ଏତଲା ଦାୟର ହୋଇ ମାମଲା ଅଦାଲତକୁ ସ୍ଥାନାନ୍ତର ହୋଇଥିଲା। ଏହାପରେ କିଛି ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଭୁଲ ପରାମର୍ଶ ତଥା ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଉଭୟ ପରିବାର ପ୍ରାୟ ୧୫ ଦିନ ଧରି ଗାଁ ଛାଡ଼ି ଅନ୍ୟତ୍ର ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିଲେ।

ଏହି ସମୟରେ ପରିବାରବର୍ଗ ସାହାଯ୍ୟ ପାଇଁ ଆନ୍ତର୍ଜାତୀୟ ମାନବାଧିକାର ବାହିନୀ ସହ ଯୋଗାଯୋଗ କରିଥିଲେ। ସଂଗଠନର ଅଧ୍ୟକ୍ଷ ବିଶ୍ୱଜିତ ମଲ୍ଲିକ ଘଟଣାର ଗୁରୁତ୍ୱ ବୁଝି ନିଜ ଟିମ୍ ସହିତ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ। ତାଙ୍କ ମଧ୍ୟସ୍ଥତାରେ ଦୁଇ ପକ୍ଷ ମଧ୍ୟରେ ଥିବା ଭୁଲ ବୁଝାମଣା ଦୂର ହୋଇ ପାରସ୍ପରିକ ସହମତିରେ ବିବାଦର ସମାଧାନ ହୋଇଥିଲା।

ଏହି ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଏବଂ ବୁଦ୍ଧିଜୀବୀ ମହଲରେ ସନ୍ତୋଷ ପ୍ରକାଶ ପାଇବା ସହ ଆଇଏଚ୍‌ଆରଏଫ୍‌ ଟିମ୍ ଓ ତାର କର୍ମକର୍ତ୍ତାଙ୍କ ଏଭଳି ସମାଜସେବା କାର୍ଯ୍ୟକୁ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *