ଭୁବନେଶ୍ୱର : ମଧ୍ୟାହ୍ନ ଭୋଜନ (ଏମ୍ଡିଏମ୍) ଯୋଜନାର ଅର୍ଥ ମଞ୍ଜୁର କରିବା ପାଇଁ ପୂର୍ବତନ ପ୍ରଧାନଶିକ୍ଷକଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଳିପାଟଣା ବ୍ଲକ୍ ଅଧୀନ ଏକ ସରକାରୀ ୟୁପି ସ୍କୁଲର ପ୍ରଧାନଶିକ୍ଷକ ଶେଖ୍ ରିୟାଜ ଅଲ୍ଲୀ।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ ପୂର୍ବତନ ପ୍ରଧାନଶିକ୍ଷକ ସେହି ବିଦ୍ୟାଳୟରେ ଥିବା ସମୟରେ ପାଣ୍ଠି ଅନୁଦାନ ବିଳମ୍ବ ହେତୁ ନିଜ ପକେଟରୁ ୪ ମାସର ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବହନ କରିଥିଲେ। ତେବେ ପାଣ୍ଠି ମଞ୍ଜୁର ହେବା ପୂର୍ବରୁ ସେ ସେଠାରୁ ବଦଳି ହୋଇ ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ ସରକାରୀ ନିୟମ ଅନୁସାରେ ସେହି ଖର୍ଚ୍ଚ ଟଙ୍କା ଚେକ୍ ମାଧ୍ୟମରେ ପ୍ରଦାନ କରିବାକୁ ସେ ବର୍ତ୍ତମାନର ପ୍ରଧାନଶିକ୍ଷକ ରିୟାଜ ଅଲ୍ଲୀଙ୍କୁ ଅନୁରୋଧ କରିଥିଲେ। ମାତ୍ର ଚେକ୍ ପ୍ରଦାନ ବାବଦକୁ ଶ୍ରୀ ଅଲ୍ଲୀ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।
ଏ ନେଇ ପୂର୍ବତନ ପ୍ରଧାନଶିକ୍ଷକ ନିରାଶ ହୋଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ସୋମବାର ଅଭିଯୋଗକାରୀଙ୍କଠାରୁ ଦାବି ମୁତାବକ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଅଭିଯୁକ୍ତ ପ୍ରଧାନଶିକ୍ଷକ ଶେଖ୍ ରିୟାଜ ଅଲ୍ଲୀଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ସମସ୍ତ ରାସାୟନିକ ପ୍ରଲେପଯୁକ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଟ୍ରାପ୍ ପରେ ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଶ୍ରୀ ଅଲ୍ଲୀଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ପି.ସି. (ସଂଶୋଧିତ) ଆକ୍ଟ, ୨୦୧୮ର ଧାରା ୭ ଅଧୀନରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
