ଜଗତସିଂହପୁର : ବକେୟା ବିଲ୍ ପାସ୍ କରାଇଦେବା ନାଁରେ ଲାଞ୍ଚ ନେବା ଜଣେ ସରକାରୀ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି। ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ତଥା ଡିପିସି (ସମଗ୍ର ଶିକ୍ଷା ଅଭିଯାନ) କାର୍ଯ୍ୟାଳୟର ପ୍ରୋଗ୍ରାମର ଚନ୍ଦ୍ରଜିତ ପରିଜାଙ୍କୁ ଭିଜିଲାନ୍ସ ଟିମ୍ ରଙ୍ଗେହାତ ଗିରଫ କରିଛି।
ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଡିଜିଟାଲ୍ ବ୍ଲାକ୍ବୋର୍ଡ ସ୍ଥାପନ କରିଥିବା ଜଣେ ଠିକାଦାର ନିଜର ବକେୟା ପ୍ରାପ୍ୟ ପାଇବା ପାଇଁ ଆବେଦନ କରିଥିଲେ। ଟେକ୍ନିକାଲ୍ ତଥା ପ୍ରୋକ୍ୟୁରମେଣ୍ଟ କମିଟିର ସଦସ୍ୟ ଭାବେ କାର୍ଯ୍ୟ ଯାଞ୍ଚ କରି ବିଲ୍ ପ୍ରଦାନ ପ୍ରମାଣପତ୍ର ଦେବା ଦାୟିତ୍ୱ ପ୍ରୋଗ୍ରାମର ଶ୍ରୀ ପରିଜାଙ୍କ ଉପରେ ନ୍ୟସ୍ତ ଥିଲା। ମାତ୍ର ବାରମ୍ବାର ଅନୁରୋଧ ସତ୍ତ୍ୱେ ସେ କାମ ଯାଞ୍ଚ ନକରି ବିଲ୍ ଛାଡ଼ିବା ପାଇଁ ଅଭିଯୋଗକାରୀଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଏହି ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ, ଗୁରୁବାର ଅଭିଯୋଗକାରୀଙ୍କ ଠାରୁ ଶ୍ରୀ ପରିଜା ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଏହି ଘଟଣା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଶ୍ରୀ ପରିଜାଙ୍କ ସହ ଜଡ଼ିତ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି। ଏ ନେଇ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅଧୀନରେ ମାମଲା (କେସ୍ ନଂ-୩୯) ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।
