ମୁମ୍ବାଇ : ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର (ଫରେକ୍ସ ରିଜର୍ଭ)ରେ ଲଗାତାର ହ୍ରାସ ଦେଖିବାକୁ ମିଳିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପକ୍ଷରୁ ଶୁକ୍ରବାର ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଅକ୍ଟୋବର ୨ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୧୨.୯୫ ବିଲିୟନ ଡଲାର ହ୍ରାସ ପାଇ ୭୩୪.୬୦ ବିଲିୟନ ଡଲାରକୁ ଖସିଆସିଛି। ମୁଖ୍ୟତଃ ବିଦେଶୀ ମୁଦ୍ରା ସମ୍ପତ୍ତି (ଏଫ୍ସିଏ) ଏବଂ ସ୍ୱର୍ଣ୍ଣ ଭଣ୍ଡାର ମୂଲ୍ୟରେ ହ୍ରାସ ଯୋଗୁଁ ଏହି ସ୍ଥିତି ଉପୁଜିଛି।
ଏହା ପୂର୍ବରୁ ସେପ୍ଟେମ୍ବର ୨୫ ତାରିଖରେ ଶେଷ ହୋଇଥିବା ସପ୍ତାହରେ ମଧ୍ୟ ଫରେକ୍ସ ରିଜର୍ଭରେ ୧୮.୩୪ ବିଲିୟନ ଡଲାରର ହ୍ରାସ ଘଟି ୭୪୭.୫୬ ବିଲିୟନ ଡଲାର ରହିଥିଲା। ତେବେ ସେପ୍ଟେମ୍ବର ୪ ତାରିଖ ସପ୍ତାହରେ ପ୍ରବାସୀ ଭାରତୀୟଙ୍କ ରିହାତିଯୁକ୍ତ ସ୍ୱାପ୍ (Swap) ବ୍ୟବସ୍ଥା ଓ ପ୍ରବଳ ପୁଞ୍ଜି ପ୍ରବାହ ଯୋଗୁଁ ଏହା ୭୮୫.୭୦ ବିଲିୟନ ଡଲାରର ସର୍ବକାଳୀନ ସର୍ବୋଚ୍ଚ ସ୍ତର (ଅଲ୍-ଟାଇମ୍ ହାଇ) ଛୁଇଁଥିଲା।
ଆର୍ବିଆଇ ରିପୋର୍ଟ ଅନୁସାରେ, ଅକ୍ଟୋବର ୨ ସୁଦ୍ଧା ବୈଦେଶିକ ମୁଦ୍ରା ସମ୍ପତ୍ତି ୧୦.୬୬ ବିଲିୟନ ଡଲାର କମି ୬୦୪.୭୪ ବିଲିୟନ ଡଲାରରେ ପହଞ୍ଚିଛି। ସେହିପରି ଦେଶର ସ୍ୱର୍ଣ୍ଣ ଭଣ୍ଡାର ମୂଲ୍ୟ ୨.୨୮ ବିଲିୟନ ଡଲାର ହ୍ରାସ ପାଇ ୧୦୬.୪୧ ବିଲିୟନ ଡଲାରକୁ ଖସିଛି। ଅନ୍ୟପକ୍ଷରେ, ସ୍ପେଶାଲ ଡ୍ରଇଂ ରାଇଟ୍ସ (ଏସ୍ଡିଆର୍) ୧୫ ମିଲିୟନ ଡଲାର ବୃଦ୍ଧି ପାଇ ୧୮.୬୫ ବିଲିୟନ ଡଲାର ହୋଇଥିବା ବେଳେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ନିକଟରେ ଭାରତର ସଞ୍ଚିତ ସ୍ଥିତି ୧୫ ମିଲିୟନ ଡଲାର ହ୍ରାସ ପାଇ ୪.୭୮ ବିଲିୟନ ଡଲାର ରହିଛି।
