ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭୁବନେଶ୍ୱରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ୧୬୯ କୋଟି ଟଙ୍କାର ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ତାଲିମ ପ୍ରତିଷ୍ଠାନର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ଆଶୀର୍ବାଦରେ ଭୁବନେଶ୍ୱର ନୂଆ ଭାରତକୁ ଏକ ନୂଆ ସଂସ୍ଥାନ ଦେଇଛି । ଭୁବନେଶ୍ୱରରେ ଆରବିଆଇ ଡାଟା ସେଣ୍ଟର ଏବଂ ସାଇବର ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଉଦଘାଟନ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରୁଛି । ଏହା ଓଡ଼ିଶା ସହିତ ସମଗ୍ର ଦେଶର ଲୋକଙ୍କ ପାଇଁ ହିତକର ହେବ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଏହି କାର୍ଯ୍ୟକ୍ରମ ପ୍ରମାଣିତ କରୁଛି ଯେ ଭାରତରେ ଶାସନ ପଦ୍ଧତି କେତେ ବଦଳୁଛି ଏବଂ କେତେ ଶୀଘ୍ର ବଦଳୁଛି । ବିକାଶର ପ୍ରାଥମିକତା, ବିକାଶର ବିସ୍ତାର ଏବଂ ସମାଜର ଶେଷ ବ୍ୟକ୍ତି ପାଖରେ ବିକାଶ ପହଞ୍ଚାଇବା ହିଁ ହେଉଛି ଆମ ଫୋକସ୍ ବା ମୁଖ୍ୟ ଲକ୍ଷ୍ୟ । ସ୍ୱାଧୀନତା ପରେ ଦେଶରେ ବଡ଼ ବଡ଼ ସହରର ବିକାଶ ହେଲା, ବଡ଼ ବଡ଼ ସଂସ୍ଥାନର ନିର୍ମାଣ ହେଲା ଏବଂ ବଡ଼ ହସ୍ପିଟାଲ୍ ମଧ୍ୟ ନିର୍ମାଣ ହେଲା । କିନ୍ତୁ ଦେଶର ଗୋଟିଏ ବଡ଼ ଭାଗ ମୌଳିକ ସୁବିଧାକୁ ଅପେକ୍ଷା କରି ରହିଥିଲା । ଦିଲ୍ଲୀରେ ବଡ଼ ହସ୍ପିଟାଲ୍ ଥିଲା, କିନ୍ତୁ ଛୋଟ ଅଞ୍ଚଳର ଲୋକଙ୍କୁ ଚିକିତ୍ସା ପାଇଁ ଦୀର୍ଘ ବାଟ ଯିବାକୁ ପଡ଼ୁଥିଲା । ବଡ଼ ସହରରେ ସବୁ ସୁବିଧା ଥିଲା, କିନ୍ତୁ ଛୋଟ ସହର ଏବଂ ଗାଁରେ ରାସ୍ତା, ବିଜୁଳି ଏବଂ ପାଣି ପରି ମୌଳିକ ସୁବିଧା ପାଇବା ମଧ୍ୟ ଆହ୍ୱାନପୂର୍ଣ୍ଣ ଥିଲା । ରେଲୱେ ଷ୍ଟେସନ ସାଧାରଣ ଲୋକଙ୍କ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା, କିନ୍ତୁ ସେହି ସମୟରେ ରେଲୱେ ଷ୍ଟେସନଗୁଡ଼ିକର ଆଧୁନିକୀକରଣ ହୋଇପାରି ନଥିଲା । ଅର୍ଥାତ୍ ବିକାଶର ଲାଭ ସମାନ ଭାବେ ଦେଶର ପ୍ରତ୍ୟେକ କ୍ଷେତ୍ର ଏବଂ ସବୁ ଲୋକଙ୍କ ପାଖରେ ପହଞ୍ଚାଇବା ଏକ ବଡ଼ ଆହ୍ୱାନ ହୋଇ ରହିଥିଲା ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆମେ ଏଥିରେ ପରିବର୍ତ୍ତନ ଆଣିବା ପାଇଁ ଏକ ଦୃଢ଼ ପ୍ରୟାସ କଲୁ । ପ୍ରୋ-ପିପୁଲ୍, ପ୍ରୋ-ଆକ୍ଟିଭ୍ ଏବଂ ଗୁଡ୍ ଗଭରନାନ୍ସ ମଡେଲ୍ ନେଇ ଆମେ ଆଗକୁ ଚାଲିଲୁ । ଆମ ପାଇଁ ବିକାଶର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଭାରତର ସନ୍ତୁଳିତ ବିକାଶ ତଥା ଗାଁ ଏବଂ ଛୋଟ ସହରଗୁଡ଼ିକୁ ସୁଯୋଗ ଦେବା । ଆମର ଲକ୍ଷ୍ୟ ହେଉଛି ଗରିବ ପରିବାରକୁ ସମ୍ମାନ ସହ ବଞ୍ଚିବାର ଅଧିକାର ଦେବା ଏବଂ ସମସ୍ତଙ୍କ ମନରେ ଏହି ଭରସା ସୃଷ୍ଟି କରିବା ଯେ ଦେଶର ବିକାଶ ଯାତ୍ରାରୁ ସେମାନେ କେବେ ବି ବାଦ୍ ପଡ଼ିନାହାନ୍ତି ।
ପିଏମ୍ ମୋଦୀ କହିଛନ୍ତି, ନାଗରିକଙ୍କ ଜୀବନକୁ ସରଳ କରିବା ଏବଂ ସେମାନଙ୍କ ସ୍ୱପ୍ନକୁ ନୂଆ ସୁଯୋଗ ଦେବା ହିଁ ପ୍ରକୃତ ଗଭରନାନ୍ସ ବା ସୁଶାସନ ଅଟେ । ଦଶନ୍ଧି ଦଶନ୍ଧି ଧରି ଦେଶର ଗରିବ ଏବଂ ମଧ୍ୟବିତ୍ତ ପରିବାରଗୁଡ଼ିକୁ ବ୍ୟାଙ୍କିଂ ସିଷ୍ଟମରୁ ଦୂରେଇ ରଖାଯାଇଥିଲା । ଗରିବଙ୍କ ନାଁରେ ଷାଠିଏ ଏବଂ ସତୁରି ଦଶନ୍ଧିରେ ବ୍ୟାଙ୍କଗୁଡ଼ିକର ଜାତୀୟକରଣ କରାଗଲା ସତ, କିନ୍ତୁ ୨୦୧୪ ମସିହା ଯାଏ ଦେଶର ଅଧାରୁ ଅଧିକ ଲୋକ ବ୍ୟାଙ୍କିଂ ଇକୋସିଷ୍ଟମରୁ ସମ୍ପୂର୍ଣ୍ଣ ବାହାରେ ଥିଲେ । ଗରିବ, କ୍ଷୁଦ୍ର ଚାଷୀ, ମାଆ ଏବଂ ଭଉଣୀମାନେ ଏହା ବିଷୟରେ ଚିନ୍ତା ମଧ୍ୟ କରିପାରୁ ନଥିଲେ । ଆଜି ଭାରତରେ ଡିଜିଟାଲ୍ ବ୍ୟାଙ୍କିଂ ୨୪ ଘଣ୍ଟିଆ ବ୍ୟାଙ୍କିଂ ସେବା ଯୋଗାଇ ସମସ୍ତଙ୍କୁ ଯୋଡ଼ିପାରିଛି । କିନ୍ତୁ ୨୦୧୪ ପୂର୍ବରୁ ଏକ ଭିନ୍ନ ପ୍ରକାରର ‘ଫୋନ୍ ବ୍ୟାଙ୍କିଂ’ ଯୁଗ ଚାଲିଥିଲା । ଦିଲ୍ଲୀରେ କଂଗ୍ରେସର କିଛି ଖାସ୍ ବା ପସନ୍ଦର ଲୋକଙ୍କୁ ଫୋନ୍ ବ୍ୟାଙ୍କିଂ ଜରିଆରେ ହଜାର ହଜାର କୋଟି ଟଙ୍କାର ଲୋନ୍ ଦିଆଯାଉଥିଲା । ଅନ୍ୟପକ୍ଷରେ ଗରିବ ଏବଂ ମଧ୍ୟବିତ୍ତ ପରିବାର ଲୋକଙ୍କୁ ଏକ ବ୍ୟାଙ୍କ ଖାତା ଖୋଲିବା ପାଇଁ ମଧ୍ୟ ଗ୍ୟାରେଣ୍ଟର ଦରକାର ପଡ଼ୁଥିଲା । କିନ୍ତୁ କଂଗ୍ରେସର ସେହି ଫୋନ୍ ବ୍ୟାଙ୍କିଂ ସ୍କିମରେ ଧନୀକ ଶ୍ରେଣୀଙ୍କ ପାଇଁ ହଜାର ହଜାର କୋଟି ଟଙ୍କା ଯେକୌଣସି ସମୟରେ ଉପଲବ୍ଧ ରହୁଥିଲା । ଏହି କୁବ୍ୟବସ୍ଥାର ପରିଣାମ ଏପରି ହୋଇଥିଲା ଯେ ଭାରତର ସମଗ୍ର ବ୍ୟାଙ୍କିଂ ସିଷ୍ଟମକୁ ଏନପିଏ (NPA) ଗ୍ରାସ କରିନେଇଥିଲା ।
ପ୍ରଧାନମନ୍ତ୍ରୀ କହିଛନ୍ତି, କୌଣସି ବଡ଼ ପରିବର୍ତ୍ତନ ଆଣିବା ପାଇଁ ବଡ଼ ଚିନ୍ତାଧାରା ରହିବା ଏକାନ୍ତ ଦରକାର । ଯଦି ଉଦ୍ଦେଶ୍ୟ ଠିକ୍ ଥାଏ, ତେବେ ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇପାରିବ । ସଂକୀର୍ଣ୍ଣ ବା ଛୋଟ ଚିନ୍ତାଧାରା ଯୋଗୁଁ ସମ୍ଭାବନା ସୀମିତ ହୋଇ ରହିଯାଏ । ଗତ କିଛି ବର୍ଷ ମଧ୍ୟରେ ଭାରତ ‘ଡିଜିଟାଲ୍ ଇଣ୍ଡିଆ’ର ଯେଉଁ ନୂଆ ଇକୋସିଷ୍ଟମ ବିକଶିତ କରିଛି, ତାହା ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ ସେବା ପହଞ୍ଚାଇ ପାରିଛି । ଆଜି ଭାରତର ବ୍ୟାଙ୍କିଂ ସିଷ୍ଟମ ସମଗ୍ର ବିଶ୍ୱର ଏକ ଅତ୍ୟନ୍ତ ସଶକ୍ତ ବ୍ୟାଙ୍କିଂ ସିଷ୍ଟମ ଭାବେ ଉଭା ହୋଇଛି । ପୂର୍ବେ ଫୋନ୍ ବ୍ୟାଙ୍କିଂ ସିଷ୍ଟମରେ ଦିଲ୍ଲୀର କେବଳ କିଛି ଖାସ୍ ପରିବାର ହିଁ ଲାଭାର୍ଥୀ ଥିଲେ; କିନ୍ତୁ ଆଜି ଡିଜିଟାଲ୍ ବ୍ୟାଙ୍କିଂ ମାଧ୍ୟମରେ ଦେଶର ପ୍ରତ୍ୟେକ ନାଗରିକ ପ୍ରକୃତ ଲାଭାର୍ଥୀ ହୋଇପାରିଛନ୍ତି ।
ପିଏମ୍ ଆହୁରି ମଧ୍ୟ କହିଛନ୍ତି, ଏହି ଓଡ଼ିଶା ମାଟିରେ ଥରେ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀରୁ ଟଙ୍କାଏ ପଠାଇଲେ ତଳସ୍ତରର ଜନତାଙ୍କୁ କେବଳ ୧୫ ପଇସା ହିଁ ମିଳୁଛି । କିନ୍ତୁ ଆଜି ସ୍ଥିତି ବଦଳିଛି; ଆଜି ଦିଲ୍ଲୀରୁ ଟଙ୍କାଏ ଆସିଲେ, ପୂରା ଟଙ୍କାଟି ଯାକ ସିଧାସଳଖ ଲାଭାର୍ଥୀଙ୍କ ପାଖରେ ପହଞ୍ଚୁଛି । ଆଜି କ୍ଷୁଦ୍ର ଉଦ୍ୟମୀଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ଏବଂ ଗୃହିଣୀମାନଙ୍କୁ ବିନା ଗ୍ୟାରେଣ୍ଟିରେ ଲୋନ୍ ମିଳିପାରୁଛି । ଦିନ ଥିଲା ଯେତେବେଳେ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ କେବଳ ଧନୀ ଲୋକଙ୍କ ପାଇଁ ସୀମିତ ଥିଲା; କିନ୍ତୁ ଆଜି ଏହା ଦେଶର ପ୍ରତ୍ୟେକ ସାଧାରଣ ନାଗରିକଙ୍କ ପାଇଁ ସୁଲଭ ହୋଇପାରିଛି । ଏହା ସାଧାରଣ ଲୋକଙ୍କ ଆତ୍ମସମ୍ମାନ ଏବଂ ଆତ୍ମନିର୍ଭରଶୀଳତାର ପ୍ରତୀକ ଅଟେ । ଆମ ପାଇଁ ‘ନାଗରିକ ଦେବୋ ଭବଃ’ ହିଁ ପ୍ରକୃତ ସୁଶାସନର ମୂଳମନ୍ତ୍ର ।
