ଦୁର୍ଦ୍ଦାନ୍ତ ଅପରାଧୀଙ୍କ ପାଖରେ ରହିବ ଲରେନ୍ସ ବିଷ୍ଣୋଇ, ବାହାର ଦୁନିଆରୁ ଯୋଗାଯୋଗ ବିଚ୍ଛିନ୍ନ

ଦେଶବିଦେଶ
Spread the love

ନୂଆଦିଲ୍ଲୀ: ଜେଲ୍‌ ଭିତରେ ରହି ବାହାରେ ଆତଙ୍କ ଖେଳାଉଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଉପରେ ଏବେ ପ୍ରଶାସନର କଡ଼ା କଟକଣା ଜାରି ହୋଇଛି। ଏଣିକି ସେ ଆଉ ବାହାର ଦୁନିଆ ସହ କୌଣସି ପ୍ରକାର ଯୋଗାଯୋଗ କରିପାରିବ ନାହିଁ। ତାକୁ ଅହମ୍ମଦାବାଦର ସାବରମତୀ ସେଣ୍ଟ୍ରାଲ ଜେଲର ଏକ ସ୍ୱତନ୍ତ୍ର ତଥା ଅତି ଉଚ୍ଚ ସୁରକ୍ଷା ବିଶିଷ୍ଟ (ହାଇ-ସିକ୍ୟୁରିଟି) ବ୍ଲକକୁ ସ୍ଥାନାନ୍ତର କରାଯାଇଛି। ଅଗଷ୍ଟ ୨୦୨୩ରୁ ସାବରମତୀ ଜେଲରେ ବନ୍ଦୀ ଥିବା ଲରେନ୍ସ ବିଷ୍ଣୋଇକୁ ଏବେ ସମ୍ପୂର୍ଣ୍ଣ ଏକାନ୍ତ କୋଠରୀ (ସଲିଟାରୀ କନଫାଇନମେଣ୍ଟ)ରେ ରଖାଯାଇଛି।

ଜେଲ ଭିତରୁ ସେ ଯେପରି ନିଜର ବେଆଇନ କାରବାର ତଥା ଅପରାଧିକ ନେଟୱାର୍କ ଚଳାଇ ନପାରିବ, ସେଥିପାଇଁ ବାହାର ଦୁନିଆ ସହ ତାର ସମସ୍ତ ସମ୍ପର୍କ ବିଚ୍ଛିନ୍ନ କରାଯାଇଛି। ତାର କାର୍ଯ୍ୟକଳାପ ଉପରେ ଚବିଶ ଘଣ୍ଟିଆ ସିସିଟିଭି ନଜର ରଖାଯିବା ସହ ସ୍ୱତନ୍ତ୍ର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। କେବଳ ଆବଶ୍ୟକ ପଡ଼ିଲେ ସେ ନିଜର ଆଇନଜୀବୀଙ୍କୁ ଭେଟିପାରିବ ଏବଂ ଭିଡିଓ କନଫରେନ୍ସିଂ କିମ୍ବା ସିଧାସଳଖ କୋର୍ଟ ଶୁଣାଣିରେ ହାଜର ହେବା ବ୍ୟତୀତ ଅନ୍ୟ କାହା ସହ ମଧ୍ୟ କୌଣସି ପ୍ରକାର ଯୋଗାଯୋଗ କରିପାରିବ ନାହିଁ। ଏପରିକି ପରିବାର ଲୋକଙ୍କ ସହ ଫୋନ୍ କଲ୍ ବା ସାକ୍ଷାତ ଉପରେ ମଧ୍ୟ କଡ଼ା ପ୍ରତିବନ୍ଧକ ଲଗାଯାଇଛି।

ସେପଟେ ଜେଲ୍‌ର ଏହି ସ୍ୱତନ୍ତ୍ର ବ୍ଲକରେ ବହୁ କୁଖ୍ୟାତ ତଥା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରଖାଯାଇଛି। ୨୦୦୮ ଅହମ୍ମଦାବାଦ ସିରିୟଲ ବୋମା ବିସ୍ଫୋରଣ ଘଟଣାର ଦୋଷୀଙ୍କ ସମେତ ଅନେକ ଆତଙ୍କବାଦୀ ଓ ଅପରାଧୀଙ୍କୁ ଏହି ବ୍ଲକରେ ବନ୍ଦୀ କରି ରଖାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ଉକ୍ତ ବ୍ଲକକୁ ଚାରୋଟି ପୃଥକ ଭାଗରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ସେକ୍ସନରେ ୫୦ ଜଣ ଲେଖାଏଁ କଏଦୀ ରହିବା ଭଳି ବ୍ୟବସ୍ଥା ରହିଛି ଏବଂ ସର୍ବମୋଟ ୨୦୦ ଜଣ ଅତି ବିପଦଜ୍ଜନକ ଅପରାଧୀଙ୍କୁ ରଖିବା ପାଇଁ ହିଁ ଜେଲ୍‌ର ଏହି ହାଇ-ସିକ୍ୟୁରିଟି ବ୍ଲକକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି। ସମଗ୍ର ପରିସରକୁ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରି ଜେଲ ପ୍ରଶାସନ ସୁରକ୍ଷା ପ୍ରୋଟୋକଲକୁ ଆହୁରି ମଜଭୁତ କରିଛି।

Leave a Reply

Your email address will not be published. Required fields are marked *