ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଦୁବାଇ ସହର ସବୁବେଳେ ନୂତନ ଉଦ୍ୟମ ଜାରି ରଖିଛି। ଆକାଶଚୁମ୍ବୀ ଅଟ୍ଟାଳିକା, କଡ଼ା ସୁରକ୍ଷା ବ୍ୟବସ୍ଥା, ବିଳାସପୂର୍ଣ୍ଣ ଜୀବନଶୈଳୀ ଏବଂ ବୁର୍ଜ ଖଲିଫାର ଚୁମ୍ବକୀୟ ଆକର୍ଷଣ ପୂର୍ବରୁ ହିଁ ଲୋକଙ୍କୁ ଆକର୍ଷିତ କରିଆସୁଛି। ଏବେ ଏହି ଧାରାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି—ତାହା ହେଉଛି ସୁନାରେ ନିର୍ମିତ ଏକ ସ୍ୱତନ୍ତ୍ର ଚଲାପଥ।
ଦୁବାଇରେ ୨୪ କ୍ୟାରେଟ ବିଶୁଦ୍ଧ ସୁନାରେ ଏକ ଚଲାପଥ ନିର୍ମାଣ କରାଯାଉଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଜଣାପଡ଼ିଛି। ଫଳରେ ଦୁବାଇ ଯାଉଥିବା ପର୍ଯ୍ୟଟକମାନେ ଏହି ୨୪ କ୍ୟାରେଟ ସୁନାରେ ତିଆରି ରାସ୍ତାରେ ଚାଲିବାର ଅପୂର୍ବ ଅନୁଭୂତି ପାଇପାରିବେ। ସାଧାରଣତଃ ସୁନାର ରାସ୍ତାରେ ଚାଲିବା କଥା କେବଳ ସ୍ୱପ୍ନ କିମ୍ବା କଳ୍ପନାରେ ଥାଏ, କିନ୍ତୁ ଦୁବାଇ ପ୍ରଶାସନ ଏହି ସ୍ୱପ୍ନକୁ ବାସ୍ତବତାରେ ପରିଣତ କରି ଦେଖାଇବାକୁ ଯାଉଛି।
‘ଗଲ୍ଫ ଟୁଡେ’ (Gulf Today)ର ଏକ ରିପୋର୍ଟ ଅନୁସାରେ, ଏହା ବିଶ୍ୱର ପ୍ରଥମ ତଥା ସବୁଠାରୁ ଦୀର୍ଘ ସୁବର୍ଣ୍ଣ ପଥ ହେବ, ଯାହା ସମଗ୍ର ବିଶ୍ୱର ଆକର୍ଷଣର ପ୍ରମୁଖ କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଦୁବାଇ ଗୋଲ୍ଡ ଡିଷ୍ଟ୍ରିକ୍ଟ ସୂଚନା ଦେଇଛି।
ଦୁବାଇ ଗୋଲ୍ଡ ଡିଷ୍ଟ୍ରିକ୍ଟର ବାଣିଜ୍ୟିକ ବିଭାଗର ବରିଷ୍ଠ ନିର୍ଦ୍ଦେଶକ ରସିଦ ଅଲ୍ ହରମୌଦିଙ୍କ ଅନୁଯାୟୀ, ଆସନ୍ତା ଦୁଇ ମାସ ମଧ୍ୟରେ ଏହି ସୁବର୍ଣ୍ଣ ପଥ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଉନ୍ମୁକ୍ତ ହୋଇପାରେ। ଏହି ସୁନାପଥ ନିର୍ମାଣ ପଛରେ ମୁଖ୍ୟତଃ ଦୁଇଟି ଉଦ୍ଦେଶ୍ୟ ରହିଛି। ପ୍ରଥମତଃ, ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏକ ଅଭୂତପୂର୍ବ ଓ ଚିରସ୍ମରଣୀୟ ଅନୁଭୂତି ପ୍ରଦାନ କରିବା; ଦ୍ୱିତୀୟତଃ, ସୁନା ବ୍ୟବସାୟ ଓ ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱସ୍ତରୀୟ କେନ୍ଦ୍ରସ୍ଥଳ ଭାବରେ ଦୁବାଇର ସ୍ଥାନକୁ ଆହୁରି ସୁଦୃଢ଼ କରିବା। ଏହି ଅଭିନବ ପ୍ରକଳ୍ପ ସମଗ୍ର ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପର୍ଯ୍ୟଟନ ଶିଳ୍ପକୁ ଆହୁରି ଗତିଶୀଳ କରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଦୁବାଇ ଗୋଲ୍ଡ ଡିଷ୍ଟ୍ରିକ୍ଟ ଜାନୁଆରୀ ୨୦୨୬ରେ ଦେଇରା (Deira) ଅଞ୍ଚଳରେ ଶୁଭାରମ୍ଭ ହୋଇଥିଲା। ସୁନା ବାଣିଜ୍ୟ, ଖୁଚୁରା ଅଳଙ୍କାର ବ୍ୟବସାୟ ଏବଂ ଉନ୍ନତ ପର୍ଯ୍ୟଟନ ଅନୁଭୂତିକୁ ଏକାଠି ଯୋଡ଼ିବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ। ସୁବର୍ଣ୍ଣ ପଥର ପରିକଳ୍ପନା ମଧ୍ୟ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ଏକ ପ୍ରମୁଖ ଅଂଶ।
ଦୁବାଇ ମିଡିଆ ଅଫିସର ସୂଚନା ଅନୁସାରେ, ଏହି ଜିଲ୍ଲାରେ ସୁନା, ଅଳଙ୍କାର, ଅତର (Perfumes), ପ୍ରସାଧନ ସାମଗ୍ରୀ (Cosmetics) ଏବଂ ବିଳାସମୟ ଜୀବନଶୈଳୀ ସହ ଜଡ଼ିତ ପାଖାପାଖି ୧,୦୦୦ଟି ପ୍ରତିଷ୍ଠିତ ଦୋକାନ ରହିଛି। ଏହା ସହିତ ଏହି ଜିଲ୍ଲାରେ ଏକ ବିଶାଳ ସୁନା ଓ ଅଳଙ୍କାର ପ୍ରଦର୍ଶନୀ ଆୟୋଜନ କରିବାକୁ ଯୋଜନା ଚାଲିଛି, ଯାହା ପୂରା ମଧ୍ୟପ୍ରାଚ୍ୟର ସର୍ବବୃହତ୍ ପ୍ରଦର୍ଶନୀ ହେବ। ଏଠାରେ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ଉଦ୍ୟୋଗୀମାନଙ୍କ ପାଇଁ ଅତିରିକ୍ତ ଅଫିସ୍ ସ୍ପେସ୍ ଏବଂ ଖୁଚୁରା ଆଉଟଲେଟ୍ ଯୋଗାଇ ଦେବା ନିମନ୍ତେ କାର୍ଯ୍ୟ ଜାରି ରହିଛି।
ପ୍ରତିଷ୍ଠା ପରଠାରୁ ଏହି ଗୋଲ୍ଡ ସିଟିରେ ସୁନା ହୋଲସେଲ୍ ବ୍ୟବସାୟ କାର୍ଯ୍ୟାଳୟ ସଂଖ୍ୟାରେ ୨୦ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି ବୋଲି ଅଲ୍ ହରମୌଦି ପ୍ରକାଶ କରିଛନ୍ତି। ସେହିପରି ସୁନା, ଅଳଙ୍କାର, ମୂଲ୍ୟବାନ ପଥର ଏବଂ ଲଗଜୁରି ଘଣ୍ଟା (Luxury Watches) ବିକ୍ରି କରୁଥିବା ଷ୍ଟୋରଗୁଡ଼ିକର ସଂଖ୍ୟାରେ ମଧ୍ୟ ୧୫ ପ୍ରତିଶତ ବୃଦ୍ଧି ଘଟିଛି। ସହରରେ ଆଉଟଲେଟ୍ ସଂଖ୍ୟା ବଢ଼ାଇବା ଉଦ୍ଦେଶ୍ୟରେ ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଥିବାରୁ, ଆଗାମୀ ବର୍ଷ ମଧ୍ୟରେ ଏଠାକୁ ଆସୁଥିବା ବ୍ୟବସାୟିକ କମ୍ପାନୀଗୁଡ଼ିକର ସଂଖ୍ୟା ୧୦% ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ସୁବର୍ଣ୍ଣ ପଥର ଅଭିନବ ଚିନ୍ତାଧାରା ବିଶ୍ୱବ୍ୟାପୀ ବ୍ୟବସାୟୀ ଏବଂ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରସିଦ ଅଲ୍ ହରମୌଦି ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି।
