ବିସ୍ମିଲ୍ଲା ଖାନ୍‌ଙ୍କ ଘରେ ଚାଲିନି ବୁଲ୍‌ଡୋଜର: ଅଖିଳେଶ ଯାଦବଙ୍କ ଦାବିକୁ ଖଣ୍ଡନ କଲା ପରିବାର

ଦେଶବିଦେଶ
Spread the love

ନୂଆଦିଲ୍ଲୀ, ୭/୧୧: ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ବୟାନବାଜି ଜୋର୍ ଧରିବାରେ ଲାଗିଛି। ଏହାରି ମଧ୍ୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ବାରାଣସୀ ତଥା ସମଗ୍ର ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତରତ୍ନ ସମ୍ମାନପ୍ରାପ୍ତ ବିଶ୍ୱପ୍ରସିଦ୍ଧ ଶେହନାଇ ବାଦକ ମରହୁମ୍ ଉସ୍ତାଦ୍ ବିସ୍ମିଲ୍ଲା ଖାନ୍‌ଙ୍କ ପୈତୃକ ଘର ଉପରେ ବୁଲ୍‌ଡୋଜର ଚାଲିଥିବା ଅଭିଯୋଗ ଆଣି ଅଖିଳେଶ ଯାଦବ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ତେବେ ତାଙ୍କର ଏହି ଦାବିକୁ ଉସ୍ତାଦ୍ ବିସ୍ମିଲ୍ଲା ଖାନ୍‌ଙ୍କ ପରିବାରବର୍ଗ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି।

ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ପୈତୃକ ବାସଭବନ ଉପରେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ବୁଲ୍‌ଡୋଜର ଚଲାଯାଇ ନାହିଁ। ବରଂ ଦୀର୍ଘ ଦିନରୁ ଅତି ଜରାଜୀର୍ଣ୍ଣ ତଥା ବିପଦସଙ୍କୁଳ ଅବସ୍ଥାରେ ଥିବା ପୁରୁଣା ଘରଟିର ପୁନର୍ନିର୍ମାଣ କାର୍ଯ୍ୟ ପରିବାରର ସଦସ୍ୟମାନେ ନିଜ ଉଦ୍ୟମ ଓ ଖର୍ଚ୍ଚରେ କରୁଛନ୍ତି। ଏହି ଐତିହାସିକ ଘରକୁ ସୁରକ୍ଷିତ ତଥା ସଂରକ୍ଷିତ ରଖିବା ସହିତ ଏଠାରେ ଉସ୍ତାଦ୍ ବିସ୍ମିଲ୍ଲା ଖାନ୍‌ଙ୍କ ସ୍ମୃତିରେ ଏକ ଭବ୍ୟ ସଂଗ୍ରହାଳୟ ନିର୍ମାଣ କରିବା ହିଁ ସେମାନଙ୍କର ମୂଳ ଉଦ୍ଦେଶ୍ୟ। ଅଖିଳେଶ ଯାଦବ ହୁଏତ କୌଣସି ଭୁଲ୍ ତଥ୍ୟ ପାଇ କିମ୍ବା ବିଭ୍ରାନ୍ତ ହୋଇ ଏଭଳି ପୋଷ୍ଟ କରିଥାଇପାରନ୍ତି ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି।

ବାରାଣସୀର ସରାଇହରହା ଅଞ୍ଚଳରେ ଉସ୍ତାଦ୍ ବିସ୍ମିଲ୍ଲା ଖାନ୍‌ଙ୍କ ପୁରୁଣା ପୈତୃକ ଘର ଅବସ୍ଥିତ। ଦୀର୍ଘଦିନ ଧରି ଏହି ଘରଟି ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିଲା। ଏହି ଘରର ଭଙ୍ଗାରୁଜା କାର୍ଯ୍ୟକୁ ନେଇ ଅଖିଳେଶ ଯାଦବ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ (ପୂର୍ବର ଟ୍ୱିଟର)ରେ ଏକ ଭିଡିଓ ସେୟାର କରିଥିଲେ। ଏହା ସହିତ ସେ ଉତ୍ତରପ୍ରଦେଶର ବିଜେପି ସରକାର ଉପରେ ବର୍ଷିଥିଲେ।

ନିଜ ପୋଷ୍ଟରେ ଅଖିଳେଶ ଲେଖିଥିଲେ, “ଯେଉଁମାନଙ୍କ ପାଇଁ ଶେହନାଇ ବାଜିନାହିଁ, ସେମାନଙ୍କଠାରୁ ଆଉ କ’ଣ ଆଶା କରାଯାଇପାରେ?” ବିଜେପି ଓ ଏହାର ବିଚାରଧାରା ସହ ଜଡ଼ିତ ଲୋକେ ସର୍ବଦା କଳା ଓ କଳାକାରଙ୍କ ବିରୋଧୀ ବୋଲି ସେ ଅଭିଯୋଗ ବାଢ଼ିଥିଲେ।

ଅଖିଳେଶଙ୍କ ମତରେ, ସୃଜନଶୀଳ ବ୍ୟକ୍ତିବିଶେଷମାନେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ସକାରାତ୍ମକ କଳା ସମାଜ ଓ ମଣିଷ ମଧ୍ୟରେ ସମ୍ବେଦନଶୀଳତା ତଥା ସହନଶୀଳତା ବୃଦ୍ଧି କରିଥାଏ। ତେଣୁ ଭାରତରତ୍ନରେ ସମ୍ମାନିତ ଜଣେ ମହାନ ବ୍ୟକ୍ତିଙ୍କ ସାଂସ୍କୃତିକ ଓ ସଙ୍ଗୀତ ପରମ୍ପରାକୁ ନଷ୍ଟ କରିବା ସମଗ୍ର ଦେଶର ସମ୍ମାନକୁ ଆଘାତ ପହଞ୍ଚାଇବା ସହିତ ସମାନ ବୋଲି ସେ ଦର୍ଶାଇଥିଲେ।

ଏଥିସହିତ ଭବିଷ୍ୟତରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସରକାର ଗଠନ କଲେ ଉସ୍ତାଦ୍ ବିସ୍ମିଲ୍ଲା ଖାନ୍‌ଙ୍କ ଅମୂଲ୍ୟ ସଙ୍ଗୀତ ଐତିହ୍ୟକୁ ସଂରକ୍ଷିତ କରିବା ପାଇଁ ଏକ ସ୍ୱତନ୍ତ୍ର ‘ଶ୍ରବଣ ସଂଗ୍ରହାଳୟ’ ନିର୍ମାଣ କରାଯିବ ବୋଲି ମଧ୍ୟ ଅଖିଳେଶ ଘୋଷଣା କରିଥିଲେ।

ତେବେ ଅଖିଳେଶ ଯାଦବଙ୍କ ଏହି ପୋଷ୍ଟ ଭାଇରାଲ ହେବା ପରେ ବିସ୍ମିଲ୍ଲା ଖାନ୍‌ଙ୍କ ପରିବାର ସଦସ୍ୟ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ଉସ୍ତାଦ୍‌ଙ୍କ ନାତି ସିଫତେନ୍ ହୁସେନ୍ ଓ ଅଫାକ୍ ହାଇଦର ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ଘର ଉପରେ କୌଣସି ବୁଲ୍‌ଡୋଜର ଚାଲିନାହିଁ। ପ୍ରକୃତରେ ଘରଟି ବହୁ ପୁରୁଣା ହୋଇ ଖଣ୍ଡବିଖଣ୍ଡିତ ହେଉଥିବାରୁ ଏହାର ନୂତନ ଭାବେ ପୁନର୍ନିର୍ମାଣ କରାଯାଉଛି।

ପରିବାରର ସମସ୍ତ ପୁଅ ଓ ଝିଅ ମିଶି ଆପୋସ ବୁଝାମଣା ଭିତ୍ତିରେ ପୂର୍ବରୁ ହିଁ ପୈତୃକ ବାସଭବନର ପୁନର୍ନିର୍ମାଣ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହି ନିର୍ମାଣ କାର୍ଯ୍ୟରେ ପରିବାରର ସମସ୍ତ ସଦସ୍ୟ ନିଜ ନିଜ ସାମର୍ଥ୍ୟ ଅନୁଯାୟୀ ଆର୍ଥିକ ସହଯୋଗ କରୁଛନ୍ତି। ଏଥିପାଇଁ କୌଣସି ପ୍ରକାର ସରକାରୀ ଆର୍ଥିକ ଅନୁଦାନ ବା ସହାୟତା ନିଆଯାଇ ନାହିଁ।

ପରିବାର ତରଫରୁ ପ୍ରକାଶ କରାଯାଇଛି ଯେ, ଘରଟିର ଭିତ୍ତିଭୂମି ଏତେ ଦୁର୍ବଳ ହୋଇପଡ଼ିଥିଲା ଯେ, ଯେକୌଣସି ମୁହୂର୍ତ୍ତରେ କାନ୍ଥ ବା ଛାତ ଭୁଶୁଡ଼ି ବଡ଼ ଧରଣର ଅଘଟଣ ଘଟିବାର ଆଶଙ୍କା ଲାଗିରହିଥିଲା। ଏହି ସୁରକ୍ଷା ଦୃଷ୍ଟିକୋଣରୁ ହିଁ ଘରର ପୁନର୍ନିର୍ମାଣ କରିବାକୁ ପରିବାର ସ୍ଥିର କରିଥିଲା। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ କୌଣସି ଐତିହ୍ୟକୁ ନଷ୍ଟ କରିବା ନୁହେଁ, ବରଂ ତାହାକୁ ଭବିଷ୍ୟତ ପାଇଁ ଅଧିକ ସୁରକ୍ଷିତ ଭାବେ ସଂରକ୍ଷଣ କରି ରଖିବା।

ନିର୍ଦ୍ଧାରିତ ଯୋଜନା ଅନୁଯାୟୀ, ପୁନର୍ନିର୍ମାଣ ପରେ ଘରର ତଳ ମହଲା ବା ଗ୍ରାଉଣ୍ଡ ଫ୍ଲୋରରେ ଉସ୍ତାଦ୍ ବିସ୍ମିଲ୍ଲା ଖାନ୍‌ଙ୍କ ସ୍ମୃତିରେ ଏକ ସ୍ମାରକୀ ସଂଗ୍ରହାଳୟ ଗଢ଼ିତୋଳା ଯିବ। ସେଠାରେ ତାଙ୍କର ସଙ୍ଗୀତ ସାଧନା, ସାଧାରଣ ଜୀବନ ଓ ଅବିସ୍ମରଣୀୟ ସ୍ମୃତି ସହିତ ଜଡ଼ିତ ବିଭିନ୍ନ ବିରଳ ସାମଗ୍ରୀକୁ ପ୍ରଦର୍ଶନୀ ତଥା ସଂରକ୍ଷଣ ପାଇଁ ରଖାଯିବାର ଯୋଜନା ରହିଛି। ଅନ୍ୟପକ୍ଷରେ, ନିର୍ମାଣ ହେବାକୁ ଥିବା ପ୍ରଥମ ମହଲାରେ ପରିବାରର ସଦସ୍ୟମାନେ ବସବାସ କରିବେ।

ଏହି ସ୍ମାରକୀ ପାଇଁ ସରକାରୀ ସହାୟତା ଗ୍ରହଣ କରିବାକୁ ମଧ୍ୟ ପରିବାରର କୌଣସି ଆପତ୍ତି ନାହିଁ। ଯଦି ସରକାର ଏହି ମହାନ କଳାକାରଙ୍କ ଐତିହ୍ୟର ସଂରକ୍ଷଣ ପାଇଁ ସହଯୋଗର ହାତ ବଢ଼ାନ୍ତି, ତେବେ ତାହାକୁ ପରିବାର ପକ୍ଷରୁ ସହୃଦୟତାର ସହ ସ୍ୱାଗତ କରାଯିବ। କେବଳ ସରକାର ନୁହନ୍ତି, ଅଖିଳେଶ ଯାଦବ ମଧ୍ୟ ବ୍ୟକ୍ତିଗତ ବା ଦଳୀୟ ସ୍ତରରେ ଏହି ସଂଗ୍ରହାଳୟ ନିର୍ମାଣ ପାଇଁ କୌଣସି ସହଯୋଗ କରିବାକୁ ଚାହିଁଲେ ସେଥିରେ ପରିବାରର କୌଣସି ଆପତ୍ତି ରହିବ ନାହିଁ ବୋଲି ସଦସ୍ୟମାନେ ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଉସ୍ତାଦ୍ ବିସ୍ମିଲ୍ଲା ଖାନ୍ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତରତ୍ନ’ରେ ସମ୍ମାନିତ ହୋଇଥିଲେ। ତାଙ୍କ ଶେହନାଇର ମଧୁର ଝଙ୍କାର ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ସମଗ୍ର ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା। ସେ ଭାରତୀୟ ସମନ୍ୱିତ ‘ଗଙ୍ଗା-ଜମୁନା ତହଜିବ୍‌’ର ଏକ ଅନନ୍ୟ ପ୍ରତୀକ ଭାବେ ବିବେଚିତ। ଧର୍ମ, ଜାତି ଓ ରାଜନୀତିର ଊର୍ଦ୍ଧ୍ୱରେ ରହି ତାଙ୍କ ମହାନ ବ୍ୟକ୍ତିତ୍ୱକୁ ଦେଶବାସୀ ସର୍ବଦା ଅଶେଷ ଶ୍ରଦ୍ଧା ଓ ସମ୍ମାନ ଜଣାଇ ଆସିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ପୈତୃକ ଘରର ପୁନର୍ନିର୍ମାଣକୁ ନେଇ ସୃଷ୍ଟି ହୋଇଥିବା ରାଜନୈତିକ ବିବାଦ ଉପରେ ଏବେ ପରିବାରର ସ୍ପଷ୍ଟୀକରଣ ଆସିବା ପରେ ଘଟଣାଟି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *