ନୂଆଦିଲ୍ଲୀ: ଭାରତରେ ଖାଦ୍ୟ ନଷ୍ଟ ହେବା ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ତଥା ଉଦ୍ବେଗଜନକ ତଥ୍ୟ ସାମ୍ନାକୁ ଆସିଛି। ଦେଶରେ ପ୍ରତିବର୍ଷ ପ୍ରାୟ ୧.୨୨ ଲକ୍ଷ କୋଟି ଟଙ୍କାର ଖାଦ୍ୟ ଲୋକଙ୍କ ଥାଳିରେ ପହଞ୍ଚିବା ପୂର୍ବରୁ ହିଁ ନଷ୍ଟ ହୋଇଯାଉଛି। କ୍ଲାଇମେଟ୍ ଟ୍ରେଣ୍ଡ୍ସର ଏକ ସଦ୍ୟତମ ରିପୋର୍ଟରୁ ଏହି ଚାଞ୍ଚଲ୍ୟକର ସୂଚନା ମିଳିଛି।
ଏପରି ବ୍ୟାପକ କ୍ଷତି ପଛରେ ଦୁଇଟି ପ୍ରମୁଖ କାରଣ ରହିଥିବା ଦର୍ଶାଯାଇଛି। ପ୍ରଥମଟି ହେଉଛି ଉତ୍ପାଦିତ ଫଳ ଓ ପନିପରିବାକୁ ସୁରକ୍ଷିତ ରଖିବା ପାଇଁ ଦେଶରେ ଆବଶ୍ୟକ ଶୀତଳଭଣ୍ଡାର (କୋଲ୍ଡ ଷ୍ଟୋରେଜ୍)ର ଘୋର ଅଭାବ ଏବଂ ଦ୍ୱିତୀୟଟି ହେଉଛି ଜଳବାୟୁ ତଥା ମୌସୁମୀ ପ୍ରବାହରେ ଅସ୍ୱାଭାବିକ ପରିବର୍ତ୍ତନ ସହ ବୃଦ୍ଧି ପାଉଥିବା ଅତ୍ୟଧିକ ଗରମ। ଏହି ଦୁଇଟି କାରଣ ଯୋଗୁଁ ପ୍ରତିବର୍ଷ ବିପୁଳ ପରିମାଣର ଖାଦ୍ୟ ସାମଗ୍ରୀ ନଷ୍ଟ ହେବାରେ ଲାଗିଛି।
ଦେଶରେ ମୋଟ ଉତ୍ପାଦିତ ତଟକା ପନିପରିବା ଓ ଫଳ ମଧ୍ୟରୁ ମାତ୍ର ୪ ପ୍ରତିଶତ ସାମଗ୍ରୀକୁ ଶୀତଳଭଣ୍ଡାରରେ ସାଇତି ରଖିବାର ସୁବିଧା ଉପଲବ୍ଧ ରହିଛି। ଅବଶିଷ୍ଟ ଉତ୍ପାଦଗୁଡ଼ିକୁ ପାରମ୍ପରିକ ତଥା ଘରୋଇ ଶୈଳୀରେ ରଖାଯାଉଥିବାରୁ ସେଥିରୁ ପ୍ରଚୁର ପରିମାଣର ଫଳ ଓ ପନିପରିବା ପଚି ନଷ୍ଟ ହୋଇଯାଉଛି। ଖାଦ୍ୟ ସାମଗ୍ରୀ ଏଭଳି ବର୍ବାଦ ହେବା ଦ୍ୱାରା ବଜାରରେ ଅଭାବୀ ପରିସ୍ଥିତି ସୃଷ୍ଟି ହେଉଛି। ଫଳସ୍ୱରୂପ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇ ମହଙ୍ଗା ମାଡ଼ ସାଧାରଣ ଖାଉଟିଙ୍କ ଘରୋଇ ବଜେଟକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଉଛି।
ରିପୋର୍ଟ ଅନୁଯାୟୀ, ଦେଶରେ ୩୦ରୁ ୪୦ ପ୍ରତିଶତ ଫଳ ଓ ପନିପରିବା ବଜାର ତଥା ଖାଉଟିଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହିଁ ନଷ୍ଟ ହୋଇଯାଉଛି। ସେହିପରି ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପରିବହନ ବ୍ୟବସ୍ଥାର ତ୍ରୁଟି ଯୋଗୁଁ ପ୍ରାୟ ୫ରୁ ୬ ପ୍ରତିଶତ ଖାଦ୍ୟଶସ୍ୟ ରାସ୍ତାରେ ହିଁ ଖରାପ ହୋଇଯାଉଛି। ଏହାର ସିଧାସଳଖ ପ୍ରଭାବ ବଜାର ଦର ଉପରେ ପଡ଼ୁଥିବାରୁ ଖାଦ୍ୟ ମୁଦ୍ରାସ୍ଫୀତି ୮.୨୦ ପ୍ରତିଶତରେ ପହଞ୍ଚିଯିବାର ଆଶଙ୍କା ଦେଖାଦେଇଛି।
ଭାରତରେ ଦେଖାଦେଇଥିବା ଏଭଳି ସ୍ଥିତି ସମ୍ପର୍କରେ କ୍ଲାଇମେଟ୍ ଟ୍ରେଣ୍ଡ୍ସର ଗବେଷଣା ମୁଖ୍ୟ ପଲକ ବାଲିଆନ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ ଏଥିପାଇଁ କେବଳ ଚାଷ କିମ୍ବା ଚାଷୀ ଦାୟୀ ନୁହନ୍ତି, ବରଂ ଆମର ସମଗ୍ର ପ୍ରଶାସନିକ ବ୍ୟବସ୍ଥା ଓ ଭିତ୍ତିଭୂମି ହିଁ ଏଥିପାଇଁ ମୁଖ୍ୟତଃ ଦାୟୀ। ଭାରତରେ ଖାଦ୍ୟଶସ୍ୟ ତଥା ଫଳ-ପନିପରିବା ନଷ୍ଟ ହେବା କେବଳ ଚାଷବାସର ସମସ୍ୟା ନୁହେଁ, ବରଂ ଏହା ଦେଶର ଦୁର୍ବଳ ଭିତ୍ତିଭୂମି ଓ ସପ୍ଲାଇ ଚେନ୍ର ବିଫଳତାକୁ ସ୍ପଷ୍ଟ ପ୍ରମାଣିତ କରୁଛି।
ଉତ୍ପାଦିତ ସାମଗ୍ରୀର ପ୍ରାୟ ଏକ-ତୃତୀୟାଂଶ ଫଳ ଓ ପନିପରିବା ଖାଉଟିଙ୍କ ପାଖରେ ପହଞ୍ଚିବା ପୂର୍ବରୁ ନଷ୍ଟ ହେବା ସହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅସମୟରେ ହେଉଥିବା ବର୍ଷା ଏହି କ୍ଷତିକୁ ଆହୁରି ଗୁରୁତର କରିଦେଉଛି। ତେଣୁ ଦେଶରେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ଚାଷୀ ଓ ଖାଉଟିଙ୍କୁ ସୁରକ୍ଷା ଦେବାକୁ ହେଲେ ଶୀତଳଭଣ୍ଡାର ନେଟୱାର୍କକୁ ବ୍ୟାପକ କରିବା ଏବଂ ପରିବହନ ବ୍ୟବସ୍ଥାରେ ଆମୂଳଚୂଳ ସଂସ୍କାର ଆଣିବା ଜରୁରୀ ବୋଲି ପଲକ ବାଲିଆନ ପରାମର୍ଶ ଦେଇଛନ୍ତି। ଏଥିସହ ସରକାରୀ ସ୍ତରରେ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରି ତୁରନ୍ତ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
