ପଞ୍ଜାବ ଅମୃତସରରେ ବିଷାକ୍ତ ମଦ ପିଇ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଏହି ଘଟଣା ମଜୀଠାର ମଡଇ ଗାଁ ଓ ଭାଗଲୀ ଗାଁରେ ଘଟିଛି । ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ।
ପୋଲିସ ମୁତାବକ, ସୋମବାର ରାତିରେ ଅମୃତସର ଜିଲ୍ଲା ମଜୀଠା ଓ ମଡଇ ଗାଁ ଓ ଭାଗଲି ଗାଁରେ ବିଷାକ୍ତ ମଦ ପିଇବା କାରଣରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତଦେହକୁ ପୋଲିସ ଜବତ କରି ପୋଷ୍ଟମର୍ଟମ୍ ପାଇଁ ପଠାଇଛି । ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରଯାଉଛି ।
ତେବେ ସୋମବାର ରାତିରେ ପୋଲିସ ବିଷାକ୍ତ ମଦ ବିଷୟରେ ଖବର ପାଇ ଯାଞ୍ଚ ପାଇଁ ଯାଇଥିଲା । ରବିବାର ସନ୍ଧ୍ୟାରେ ଗୋଟିଏ ସ୍ଥାନରୁ ଏହି ମଦ କିଣାଯାଇଥିଲା । କିଛି ଲୋକଙ୍କ ଜୀବନ ସୋମବାର ସକାଳେ ଚାଲିଯାଇଥିଲା ବୋଲି ସୂଚନା ମିଳିଥିଲା ।
ଅମୃତସର ଏସଏସପି ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି, ଏହି ମାମଲାର ଯାଞ୍ଚ ଏବେ ଆରମ୍ଭ ହୋଇଛି । ବିଷାକ୍ତ ମଦ କାରବାରର ମୁଖ୍ୟ ଅଭିଯୁକ୍ତ ପ୍ରଭଜିତ୍ ସିଂଙ୍କୁ ତୁରନ୍ତ ଗିରଫ କରାଯାଇଛି । ଏହାସହ ଏହି ମାମଲାରେ ଅନ୍ୟ ୫ ଅଭିଯୁକ୍ତମାନଙ୍କୁ ଗିରଫ କରି ପୋଲିସ ଯାଂଚ କରୁଛି । ମୃତଦେହର ମେଡିକାଲ ଯାଞ୍ଚ କରାଯାଉଛି ।