ଶ୍ରୀମନ୍ଦିର ବାହାରେ ବେଆଇନ ମହାପ୍ରସାଦ ବିକ୍ରି: ଭକ୍ତ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ, କାର୍ଯ୍ୟାନୁଷ୍ଠାନ ଦାବି

ରାଜ୍ୟ
Spread the love

ପୁରୀ, ୦୯/୧୧: ଶ୍ରୀମନ୍ଦିର ବାହାରେ ବେଆଇନ ଭାବେ ବିକ୍ରି ହେଉଛି ମହାପ୍ରସାଦ। ଉତ୍ତର ଦ୍ୱାର ନିକଟରେ ଖଲିପତ୍ରରେ କିଛି ଅସାଧୁ ବ୍ୟକ୍ତି ଖୁଲମଖୁଲା ମହାପ୍ରସାଦ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଶ୍ରଦ୍ଧାଳୁ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କୋଟି କୋଟି ଜଗନ୍ନାଥ ପ୍ରେମୀ ତଥା ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ମହାପ୍ରସାଦ ଅମୃତ ସମାନ ଏବଂ ଏହାର ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ମର୍ଯ୍ୟାଦା ରହିଛି।

ସାଧାରଣତଃ ଶ୍ରୀମନ୍ଦିର ପରିସରସ୍ଥ ଆନନ୍ଦ ବଜାରରେ ନିର୍ଦ୍ଦିଷ୍ଟ ନିୟମ ଅନୁଯାୟୀ ଭକ୍ତମାନଙ୍କୁ ମହାପ୍ରସାଦ ମିଳିଥାଏ। ସୁଆର ମହାସୁଆର ନିଯୋଗ ପକ୍ଷରୁ ଏଥିପାଇଁ ସୁବ୍ୟବସ୍ଥା ଗ୍ରହଣ କରାଯାଇଛି। କିନ୍ତୁ ବର୍ତ୍ତମାନ ଶ୍ରୀମନ୍ଦିର ବାହାରେ, ବିଶେଷ କରି ଉତ୍ତର ଦ୍ୱାର ନିକଟରେ କିଛି ଅସାଧୁ ବ୍ୟକ୍ତି ଖଲିପତ୍ରରେ ମହାପ୍ରସାଦ ବିକ୍ରି କରୁଥିବା ନଜରକୁ ଆସିଛି। ଏହାକୁ ଦେଖି ସଚେତନ ଭକ୍ତ ଓ ସେବାୟତମାନେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ମହାପ୍ରଭୁଙ୍କ ପବିତ୍ର ମହାପ୍ରସାଦକୁ ଶ୍ରୀମନ୍ଦିର ବାହାରେ ବିକ୍ରି କରିବା ପାଇଁ ଏହି ବ୍ୟକ୍ତିମାନଙ୍କୁ କିଏ ଅନୁମତି ଦେଲା? ବାସ୍ତବରେ ସୁଆର ମହାସୁଆର ନିଯୋଗ କିମ୍ବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ବାହାରେ ମହାପ୍ରସାଦ ବିକ୍ରୟ ନିମନ୍ତେ କୌଣସି ଅନୁମତି କିମ୍ବା ବ୍ୟବସ୍ଥା କରାଯାଇ ନାହିଁ। ତଥାପି ପ୍ରଶାସନର ଆଖି ଆଗରେ ସମ୍ପୂର୍ଣ୍ଣ ବେଆଇନ ଭାବେ ଏହି ଖୋଲା କାରବାର ନିର୍ଦ୍ୱନ୍ଦ୍ୱରେ ଚାଲିଛି। ଦୂରଦୂରାନ୍ତରୁ ଆସୁଥିବା ନିରୀହ ଭକ୍ତମାନେ ବାଧ୍ୟହୋଇ ଅଧିକ ଦର ଦେଇ ମହାପ୍ରସାଦ କିଣୁଥିବା ବେଳେ ବାରମ୍ବାର ଠକାମିର ଶିକାର ହେଉଥିବା ଅଭିଯୋଗ ହେଉଛି।

ଏଭଳି ପରିସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୁଲିସ ପ୍ରଶାସନର ଭୂମିକା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ବାହାରେ ଏଭଳି ଖୋଲାଖୋଲି ଭାବେ ଅନଧିକୃତ ଭାବେ ମହାପ୍ରସାଦ ବିକ୍ରି ଚାଲିଥିବା ବେଳେ କାହିଁକି ଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ, ତାହାକୁ ନେଇ କ୍ଷୋଭ ପ୍ରକାଶ ପାଇଛି। ଶ୍ରୀମନ୍ଦିରର ପବିତ୍ରତା ଓ ମହାପ୍ରସାଦର ଗାରିମା ରକ୍ଷା କରିବା ପାଇଁ ପ୍ରଶାସନ ତୁରନ୍ତ ଏହି ଅସାଧୁ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହା ସହିତ ଉତ୍ତର ଦ୍ୱାର ସମେତ ସମସ୍ତ ଚାରି ଦ୍ୱାର ନିକଟରେ ସୁରକ୍ଷା ଯାଞ୍ଚ କଡ଼ାକଡ଼ି କରାଯିବା ଆବଶ୍ୟକ। ନିର୍ଦ୍ଧାରିତ ଆନନ୍ଦ ବଜାର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଯଦି ଏପରି ବେଆଇନ ଭାବେ ମହାପ୍ରସାଦ ବିକ୍ରି ହେଉଥାଏ, ତେବେ ତାହାକୁ ତୁରନ୍ତ ସମ୍ପୂର୍ଣ୍ଣ ବନ୍ଦ କରାଯାଉ ବୋଲି ଶ୍ରୀଜଗନ୍ନାଥ ପ୍ରେମୀ ଓ ବୁଦ୍ଧିଜୀବୀ ମହଲରୁ ଦୃଢ଼ ଦାବି ହୋଇଛି।

Leave a Reply

Your email address will not be published. Required fields are marked *