ପୁରୀ ବେଳାଭୂମିରେ ଅଘଟଣ: ସମୁଦ୍ରରେ ବୁଡ଼ି ରାଜସ୍ଥାନର ୨ ପର୍ଯ୍ୟଟକଙ୍କ ମୃତ୍ୟୁ, ୩ ଗୁରୁତର

ରାଜ୍ୟ
Spread the love

ପୁରୀ: ସୋମବାର ଅପରାହ୍ନ ପ୍ରାୟ ୫ଟା ସମୟରେ ପୁରୀ ସମୁଦ୍ରକୂଳରେ ଏକ ଦୁଃଖଦ ଅଘଟଣ ଘଟିଯାଇଛି। ରାଜସ୍ଥାନରୁ ଆସିଥିବା ୯ ଜଣିଆ ପର୍ଯ୍ୟଟକ ଦଳ ସମୁଦ୍ରରେ ଗାଧୋଉଥିବା ସମୟରେ ହଠାତ୍ ଏକ ପ୍ରବଳ ଉଚ୍ଚ ଜୁଆର ଆସିଥିଲା। ଏହି ଉଚ୍ଚ ଲହଡ଼ିର ପ୍ରଖର ସ୍ରୋତରେ ପଡ଼ି ୫ ଜଣ ପର୍ଯ୍ୟଟକ ସମୁଦ୍ର ଗର୍ଭକୁ ଭାସିଯାଇ ବୁଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଏବେ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଘଟଣା ଘଟିବା ପୂର୍ବରୁ ବେଳାଭୂମିରେ ନିୟୋଜିତ ଥିବା ଲାଇଫ୍ ଗାର୍ଡମାନେ ପର୍ଯ୍ୟଟକମାନଙ୍କୁ ସମୁଦ୍ର ଭିତରକୁ ବେଶୀ ଦୂର ନଯିବା ପାଇଁ ଏବଂ ଉଚ୍ଚ ଜୁଆର ତଥା ଅଶାନ୍ତ ସମୁଦ୍ରକୁ ଦେଖି ସତର୍କ ରହିବାକୁ ବାରମ୍ବାର ସଚେତନ କରିଥିଲେ। ମାତ୍ର ସେମାନେ ଏହି ସତର୍କ ସୂଚନାକୁ ଖାତିର ନକରି ବିପଦପୂର୍ଣ୍ଣ ଭାବେ ସମୁଦ୍ରରେ ଗାଧୋଉଥିଲେ। ଅଘଟଣ ସମ୍ପର୍କରେ ଖବର ପାଇ ପୁଲିସ, ଅଗ୍ନିଶମ ବାହିନୀ ଓ ଲାଇଫ୍ ଗାର୍ଡ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମିଳିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଦ୍ଧାରକାରୀ ଦଳ ତୁରନ୍ତ ୪ ଜଣଙ୍କୁ ସମୁଦ୍ର ଭିତରୁ ଉଦ୍ଧାର କରି ଜରୁରୀ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ଉଦ୍ଧାର ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ପର୍ଯ୍ୟଟକ ସମୁଦ୍ର ସ୍ରୋତରେ ଭାସିଯାଇ ନିଖୋଜ ଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଦୁଇ ଜଣ ପର୍ଯ୍ୟଟକ ହେଲେ ରାଜସ୍ଥାନର ଚୂତରା ରାମ (୨୩) ଓ ପଦ୍ମା ରାମ (୨୨)। ଉଦ୍ଧାର ହୋଇଥିବା ଅନ୍ୟ ତିନି ଜଣଙ୍କୁ ଡାକ୍ତରୀ ଟିମ୍‌ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଖାଯାଇ ଚିକିତ୍ସା ଜାରି ରହିଛି।

ଏହି ଅଭାବନୀୟ ଘଟଣା ପରେ ପୁରୀ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପର୍ଯ୍ୟଟକ ଓ ସାଧାରଣ ଜନତାଙ୍କୁ ବିନମ୍ର ଅନୁରୋଧ କରାଯାଉଛି ଯେ, ଉଚ୍ଚ ଜୁଆର କିମ୍ବା ସମୁଦ୍ର ଅଶାନ୍ତ ଥିବା ସମୟରେ କେହି ହେଲେ ଗାଧୋଇବାକୁ ସମୁଦ୍ର ଭିତରକୁ ଯାଆନ୍ତୁ ନାହିଁ। ନିଜ ଜୀବନର ସୁରକ୍ଷା ଦୃଷ୍ଟିରୁ ବେଳାଭୂମିରେ ନିୟୋଜିତ ଲାଇଫ୍ ଗାର୍ଡଙ୍କ ପରାମର୍ଶ, ନିର୍ଦ୍ଦେଶ ଓ ସତର୍କ ସୂଚନାକୁ ସମସ୍ତେ କଡ଼ାକଡ଼ି ଭାବେ ପାଳନ କରନ୍ତୁ।

Leave a Reply

Your email address will not be published. Required fields are marked *