କଟକର ନାମକରଣକୁ ନେଇ ବଢୁଛି ବିବାଦ: ରେଭେନ୍ସାରୁ ମିଳିଲା ‘KATAK’ ଲେଖାଥିବା ଐତିହାସିକ ପ୍ରମାଣ, ସଂଶୋଧନ ପାଇଁ ଦାବି ଜୋର

କଟକ ରାଜ୍ୟ
Spread the love

କଟକ ସଦର : ରାଜ୍ୟ ସରକାର ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ସହରଗୁଡ଼ିକର ଇଂରାଜୀ ନାମକୁ ସଂଶୋଧନ କରି ସୁଦ୍ଧ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ନାମକରଣ କରୁଥିବା ବେଳେ, ଏଥିରେ ‘କଟକ’ ବାଦ୍ ପଡ଼ିବାକୁ ନେଇ ଏବେ ବିବାଦ ତୀବ୍ର ହେବାରେ ଲାଗିଛି। ସହରର ପୁରାତନ ସଂସ୍କୃତି ଓ ଅସ୍ମିତାକୁ ରକ୍ଷା କରିବା ପାଇଁ ‘CUTTACK’ ବଦଳରେ ‘KATAK’ ଲେଖିବାକୁ ବିଭିନ୍ନ ମହଲରୁ ଦାବି ହେଉଥିବା ବେଳେ ଏବେ ଏକ ବଳିଷ୍ଠ ପ୍ରମାଣ ସାମ୍ନାକୁ ଆସିଛି।

ଏହି ନାମକରଣ ବିବାଦ ମଧ୍ୟରେ ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିପାରିଛି। ବିଶ୍ୱବିଦ୍ୟାଳୟର ଏକ ପୁରାତନ କୋଠରୀରେ ଥିବା ଏକ ଐତିହାସିକ ଆଇରନ୍ ଚେଷ୍ଟ (ଲୁହା ସିନ୍ଦୁକ) ଉପରେ ସ୍ପଷ୍ଟ ଭାବରେ ‘KATAK’ ବୋଲି ଲେଖାଯାଇଥିବା ଦେଖିବାକୁ ମିଳିଛି। ବ୍ରିଟିଶ ଶାସନ କାଳର ଏହି ପୁରାତନ ସିନ୍ଦୁକରେ ଥିବା ଲେଖା ପ୍ରମାଣ କରୁଛି ଯେ, ପୂର୍ବରୁ ଏହାର ସ୍ପେଲିଂ ‘KATAK’ ବ୍ୟବହାର କରାଯାଉଥିଲା।

ସୂଚନାଯୋଗ୍ୟ ଯେ, ସରକାର ନିକଟରେ ଅନେକ ଜିଲ୍ଲାର ନାମ ସଂଶୋଧନ କରିଥିଲେ ମଧ୍ୟ କଟକ ଏଥିରୁ ବାଦ୍ ପଡ଼ିଛି। ‘CUTTACK’ ଲେଖାଯାଉଥିବାରୁ ଅଣ-ଓଡ଼ିଆ ଭାଷାଭାଷୀମାନେ ଏହାକୁ ‘କୁଟକ’ ବୋଲି ଭୁଲ୍ ଉଚ୍ଚାରଣ କରୁଛନ୍ତି, ଯାହା ସହରର ଗାରିମାକୁ କ୍ଷୁଣ୍ଣ କରୁଥିବା ଅଭିଯୋଗ ହେଉଛି। ରେଭେନ୍ସାରୁ ମିଳିଥିବା ଏହି ନୂତନ ତଥ୍ୟକୁ ଭିତ୍ତି କରି ଏବେ ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ସରକାରଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି।

ସାଧାରଣରେ ଦାବି ହେଉଛି ଯେ, ଯଦି ପୁରାତନ ଦସ୍ତାବିଜ୍ ଏବଂ ଐତିହାସିକ ବସ୍ତୁରେ ‘KATAK’ ବ୍ୟବହାର କରାଯାଉଥିଲା, ତେବେ ସରକାର ଏହି ବନାନକୁ ଗ୍ରହଣ କରିବାରେ କୌଣସି ପ୍ରତିବନ୍ଧକ ରହିବା କଥା ନୁହେଁ। ବର୍ତ୍ତମାନର ‘CUTTACK’ ବଦଳରେ ‘KATAK’ ନାମ ରଖିବା ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ ଏବଂ ଭାଷାପ୍ରେମୀମାନେ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି।

ଏହି ପ୍ରମାଣ ମିଳିବା ପରେ ସରକାର ଆଗାମୀ ଦିନରେ କଟକର ନାମ ପରିବର୍ତ୍ତନ ପାଇଁ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *