କଟକ ସଦର : ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୋଧରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆଜି ପ୍ରତିବାଦର ସ୍ୱର ଶାଣିତ ହୋଇଛି। ରାଜ୍ୟ ବିଜେଡିର ଆହ୍ୱାନ କ୍ରମେ ଆଜି ଶୁକ୍ରବାର ଦିନ କଟକ ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ କର୍ମୀ ଓ ଦଳର ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଥିଲେ।
ଏହି ଅବସରରେ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥିଲା। ଚାଷୀ ସମସ୍ୟା ଓ ସରକାରଙ୍କ ବିଫଳତାକୁ ଦର୍ଶାଇ ଦଳୀୟ ନେତା ଓ କର୍ମୀମାନେ ମୁଣ୍ଡରେ ଧାନ ବସ୍ତା ମୁଣ୍ଡାଇ ଏକ ବଡ଼ ଧରଣର ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ପହଞ୍ଚିଥିଲେ। ଏହାପରେ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହଙ୍କ ପୌରୋହିତ୍ୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ଏହି ସଭାରେ କଟକ ଲୋକସଭା ସାଂସଦ ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର, ବାରବାଟୀ-କଟକ ବିଧାୟକ ସୌଭିକ ବିଶ୍ୱାଳ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ସରକାରଙ୍କ ଉପରେ ବର୍ଷିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେଡି ଉପସଭାପତି ଦେବୀ ମିଶ୍ର ଓ ପ୍ରତାପ ଜେନା, ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା, ଡଃ ପ୍ରମୋଦ ମଲ୍ଲିକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ରାଜ୍ୟ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ସୁବୋଧ ବେହେରା, ସଦର ବିଜେଡି ନେତା ବିଳାସ ମଲ୍ଲିକ, ସହର ବିଜେଡି ନେତା ମଧୁସୂଦନ ସାହୁ ଓ ଡଃ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିକୁ କଡ଼ା ସମାଲୋଚନା କରିଥିଲେ।
ସରକାରଙ୍କ ଜନବିରୋଧୀ ଆଭିମୁଖ୍ୟ ଯୋଗୁଁ ସାଧାରଣ ଲୋକେ ଓ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି ବୋଲି ଅଭିଯୋଗ କରି ବିଜେଡି ନେତାମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ସରକାର ଏହି ନୀତିରେ ପରିବର୍ତ୍ତନ ନକରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ ହେବ।
