ଓଡ଼ିଶା OJEE ଟପ୍ପର ହେଲେ ଜଗତସିଂହପୁରର ସାଇ ଆରିୟା ଅନୁଷ୍କା ନାୟକ

ରାଜ୍ୟ
Spread the love

ତିର୍ତ୍ତୋଲ : ଦୃଢ଼ ଇଚ୍ଛାଶକ୍ତି, ଅକ୍ଳାନ୍ତ ପରିଶ୍ରମ ଓ ଲକ୍ଷ୍ୟ ପ୍ରତି ଅତୁଟ ନିଷ୍ଠା ଥିଲେ ସଫଳତା ନିଶ୍ଚିତ ଭାବେ ହାସଲ ହୁଏ, ଏହି ଉକ୍ତିକୁ ପୁଣିଥରେ ପ୍ରମାଣିତ କରି ଦେଖାଇଛନ୍ତି ଜଗତସିଂହପୁର ଜିଲ୍ଲାର ମେଧାବୀ ଛାତ୍ରୀ ସାଇ ଆରିୟା ଅନୁଷ୍କା ନାୟକ। ଚଳିତ ବର୍ଷ ଓଡ଼ିଶା ଯୁକ୍ତ ପ୍ରବେଶିକା ପରୀକ୍ଷା (OJEE)ରେ ସେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ (Rank-1) ହାସଲ କରି ଜଗତସିଂହପୁର ଜିଲ୍ଲା ତଥା ତିର୍ତ୍ତୋଲ ଅଞ୍ଚଳ ପାଇଁ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛନ୍ତି।

ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର ଚନ୍ଦା ଗ୍ରାମର ଇଞ୍ଜିନିୟର ବିଶ୍ୱଜିତ ନାୟକ ଓ ଉଷାରାଣୀ ନାୟକଙ୍କ ସୁକନ୍ୟା ଅନୁଷ୍କା ଛୋଟବେଳୁ ଜଣେ ମେଧାବୀ, ଅନୁଶାସିତ ଓ ଅଧ୍ୟବସାୟୀ ଛାତ୍ରୀ ଭାବେ ପରିଚିତ। ପରିବାରର ଉପଯୁକ୍ତ ମାର୍ଗଦର୍ଶନ, ଜେଜେବାପା ବିଷ୍ଣୁ ପ୍ରସାଦ ନାୟକଙ୍କ ସ୍ନେହ-ଆଶୀର୍ବାଦ ଏବଂ ନିଜର ନିରନ୍ତର କଠିନ ପରିଶ୍ରମ ବଳରେ ସେ ଏହି ଅସାଧାରଣ ସଫଳତା ପାଇଛନ୍ତି। ଚଳିତ ବର୍ଷ OJEE ପରୀକ୍ଷାରେ ରାଜ୍ୟର ପ୍ରାୟ ୧ ଲକ୍ଷ ୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଅନୁଷ୍କା ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଏହି କୃତିତ୍ୱ ଜଗତସିଂହପୁର ଜିଲ୍ଲା ପାଇଁ ଏକ ବଡ଼ ଗର୍ବର ବିଷୟ ପାଲଟିଛି।

ଫଳ ପ୍ରକାଶ ପାଇବା ପରେ ଅନୁଷ୍କାଙ୍କ ବାସଭବନରେ ଶୁଭେଚ୍ଛୁ, ଶିକ୍ଷାବିତ୍ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ଭିଡ଼ ଲାଗି ରହିଥିଲା। ଏହି ଅବସରରେ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ନାୟକ ତାଙ୍କ ବାସଭବନରେ ପହଞ୍ଚି ଅନୁଷ୍କାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍କାଙ୍କ ଏହି ସଫଳତା ସମଗ୍ର ପଞ୍ଚାୟତ ତଥା ତିର୍ତ୍ତୋଲ ଅଞ୍ଚଳର ପ୍ରତିଭାକୁ ପ୍ରତିପାଦିତ କରୁଛି ବୋଲି ସେ ପ୍ରକାଶ କରିଥିଲେ।

ସେହିପରି ପାରାଦ୍ୱୀପ ବିଧାୟକ ତଥା ରାଜ୍ୟର ଶିଳ୍ପ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମଧ୍ୟ ଅନୁଷ୍କାଙ୍କ ବାସଭବନକୁ ଯାଇ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଷ୍ପଗୁଚ୍ଛ ପ୍ରଦାନ କରି ଅନୁଷ୍କାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସେ ଆଗାମୀ ଦିନରେ ଓଡ଼ିଶାର ନାମକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆହୁରି ଗୌରବାନ୍ୱିତ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ସାଇ ଆରିୟା ଅନୁଷ୍କା ନାୟକଙ୍କ ଏହି ପ୍ରେରଣାଦାୟୀ ସଫଳତା ଆଗାମୀ ପିଢ଼ୀର ଛାତ୍ରଛାତ୍ରୀଙ୍କ ମନରେ ଏକ ନୂଆ ଆତ୍ମବିଶ୍ୱାସ ଏବଂ ସଫଳତାର ଅଦମ୍ୟ ଆକାଂକ୍ଷା ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *