Supremecourtwikimediacommons 1068x665

ଡିଜିପି ଚୟନରେ ରୋକ୍‌ ଲଗାଇଲେ ସୁପ୍ରିମ୍ କୋର୍ଟ, ୧୮ରେ ପରବର୍ତ୍ତୀ ଶୁଣାଣି

ରାଜ୍ୟ
Spread the love

ଭୁବନେଶ୍ବର: ଓଡ଼ିଶାର ନୂଆ ପୁଲିସ ଡିଜି ଚୟନ ପ୍ରକ୍ରିୟାର ଚୂଡ଼ାନ୍ତ ବୈଠକ ପୂର୍ବରୁ ସାମୟିକ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ଗୁରୁବାର ସନ୍ଧ୍ୟା ୫ଟାରେ ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିସନ(ୟୁପିଏସ୍‌ସି) ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକର କେଇଘଣ୍ଟା ପୂର୍ବରୁ ସୁପ୍ରିମ୍‌ ‌‌କୋର୍ଟଙ୍କ ରୋକ୍‌ ପରେ ବିଭିନ୍ନ ମହଲରେ ହଟଚମଟ ସୃଷ୍ଟି ହୋଇଛି। ସୁପ୍ରିମ କୋର୍ଟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ତିନିଜଣିଆ ଖଣ୍ଡପୀଠ ୟୁପିଏସ୍‌ସିଙ୍କୁ ଡିଜିପି ଚୟନ ପ୍ରକ୍ରିୟାରୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବିରତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତିନି ଜଣିଆ ଖଣ୍ଡପୀଠରେ ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ସହ ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଏବଂ ବିଚାରପତି ଭି ମୋହନା ମଧ୍ୟ ସାମିଲ ଅଛନ୍ତି। ତେବେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଡିଜିପି ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ନ ଦେବାକୁ ୟୁପିଏସ୍‌ସିକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୧୮ ତାରିରେ ହେବ ବୋଲି ଆଜି ଶୁଣାଣି ବେଳେ କୁହାଯାଇଛି।
ତେବେ ବରିଷ୍ଠ ଆଇନଜୀବୀ ପି ଚିଦାମ୍ବରମ୍ ଯୁକ୍ତି ରଖିଥିଲେ ଯେ ୟୁପିଏସ୍‌ସିର ଏମପେନେଲମେଣ୍ଟ କମିଟି ଓଡ଼ିଶାର ନୂଆ ଡିଜିପି ପଦ ପାଇଁ ନାମ ଚୂଡ଼ାନ୍ତ କରିବାକୁ ଥିବାରୁ ଏହାର ତୁରନ୍ତ ଶୁଣାଣି ଆବଶ୍ୟକ ବୋଲି ସେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଡିଜିପି ଚୟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୟୁପିଏସ୍‌ସିକୁ ନାମ ପଠାଯିବା ଏବଂ ପରବର୍ତ୍ତୀ ସମୟରେ ସେହି ତାଲିକାରେ ପରିବର୍ତ୍ତନ ହୋଇଥିବା ଅଭିଯୋଗକୁ ନେଇ ପ୍ରଶ୍ନ ଉଠାଇଥିଲେ। ଚୟନ ପ୍ରକ୍ରିୟାର ଆଇନଗତ ବୈଧତା ନେଇ ଅଦାଲତଙ୍କ ହସ୍ତକ୍ଷେପ ଆବଶ୍ୟକ ବୋଲି ଯୁକ୍ତି ରଖିଥିଲେ।
ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ୍‌ ଜେନେରାଲ୍‌ ପିତାମ୍ବର ଆଚାର୍ଯ୍ୟ ଯୁକ୍ତିରଖି ଡିଜିପି ଚୟନ ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ। ନିୟମ ଅନୁଯାୟୀ ରାଜ୍ୟ ସରକାର ଚୟନ ପ୍ରକ୍ରିୟାକୁ ଆଗକୁ ବଢ଼ାଇଥିବା ଅଦାଲତଙ୍କୁ ଜଣାଇଥିଲେ। ଜନସ୍ୱାର୍ଥ ମାମଲାର ଗ୍ରହଣଯୋଗ୍ୟତାକୁ ମଧ୍ୟ ପ୍ରଶ୍ନ କରିଥିଲେ। ତାଙ୍କ ଯୁକ୍ତି ଥିଲା ଯେ ଏହି ବିବାଦ ମୂଳତଃ ଏକ ସେବା ସମ୍ବନ୍ଧୀୟ ମାମଲା। ତେବେ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ଉଲ୍ଲେଖ କରିଥିଲେ ଯେ, ଚୟନ ପ୍ରକ୍ରିୟା ଦ୍ୱାରା ପ୍ରଭାବିତ ହୋଇଥିବା କୁହାଯାଉଥିବା କୌଣସି ଅଧିକାରୀ ନିଜେ ସୁପ୍ରିମକୋର୍ଟଙ୍କ ନିକଟକୁ ଆସିନାହାନ୍ତି। ଏହାପରେ ଖଣ୍ଡପୀଠ ପ୍ରକାଶ ସିଂହ ମାମଲାରେ ଆମିକସ୍ କ୍ୟୁରି ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନଙ୍କ ମତାମତ ନେଇଥିଲେ। ରାମଚନ୍ଦ୍ରନ୍ ଜନସ୍ୱାର୍ଥ ଆବେଦନକୁ ସମର୍ଥନକରି କହିଥିଲେ ଯେ ଓଡିଶା ଡିଜିପି ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରାଯାଉଛି। ଆମିକସ୍ କ୍ୟୁରିଙ୍କ ଯୁକ୍ତିକୁ ଗୁରୁତ୍ୱ ଦେଇ ସୁପ୍ରିମକୋର୍ଟ ୟୁପିଏସସି ପକ୍ଷରୁ ଉପସ୍ଥିତ ଆଇନଜୀବୀଙ୍କୁ ଆଜିର ନିର୍ଦ୍ଧାରିତ ବୈଠକକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଡିଜିପି ଚୟନ ପ୍ରକ୍ରିୟାରେ କୌଣସି ପ୍ରକାରର ପଛଦ୍ୱାର ନିଯୁକ୍ତି ଗ୍ରହଣଯୋଗ୍ୟ। ପରବର୍ତ୍ତୀ ଶୁଣାଣି ତାରିଖ ପର୍ଯ୍ୟନ୍ତ ୟୁପିଏସ୍‌ସି ଏହି ପ୍ରକ୍ରିୟା ନିମନ୍ତେ କୌଣସି ବୈଠକ କରିବା ଉଚିତ ନୁହେଁ ବୋଲି ଖଣ୍ଡପୀଠର ଅନ୍ୟତମ ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି ମୋହନା ମଧ୍ୟ କହିଥିଲେ। ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ୟୁପିଏସ୍‌ସିକୁ ଚୟନ ପ୍ରକ୍ରିୟାକୁ ଆଗକୁ ବଢ଼ାଇବାରେ ବାରଣ କରିନଥିଲେ ମଧ୍ୟ ୧୮ ଅଗଷ୍ଟ ପୂର୍ବରୁ ଏହାକୁ ଚୂଡ଼ାନ୍ତ ନ କରିବାକୁ ସ୍ପଷ୍ଟ କରିଛନ୍ତି। ତେଣୁ ନୂଆ ଡିଜିପି ଚୟନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଏବେ ୧୮ ତାରିଖର ଶୁଣାଣି ଉପରେ ନିର୍ଭର କରୁଛି।
ଅନ୍ୟପଟେ ବର୍ତ୍ତମାନର ଡିଜିପି ୱାଇ ବି ଖୁରାନିଆ ଅଗଷ୍ଟ ୧୬ରେ ଅବସର ନେବାକୁ ଥିବାରୁ ଏହି ମାମଲା ଆହୁରି ଗୁରୁତ୍ୱ ବହନ କରୁଛି। ୧୬ ତାରିଖ ପରେ ନୂଆ ଡିଜିପି ନିଯୁକ୍ତି ହୋଇନଥିଲେ ରାଜ୍ୟ ସରକାର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ କାମଚଳା ଡିଜି ଦାୟିତ୍ୱ ଦେଇପାରନ୍ତି। ତେବେ ରାଜ୍ୟ ପୁଲିସର ଶୀର୍ଷ ପଦରେ ୧୬ ତାରିଖ ପରେ କିଏ ଦାୟିତ୍ୱ ନେବେ, ତାହା ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଆସନ୍ତା ୧୮ରେ ସୁପ୍ରିମକୋର୍ଟର ପରବର୍ତ୍ତୀ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି। ଅଦାଲତଙ୍କ ଆଭିମୁଖ୍ୟ ପରେ ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରକ୍ରିୟା କେଉଁ ଦିଗକୁ ଯିବ, ତାହା ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *