Jy

ୟୁଟ୍ୟୁବରଙ୍କୁ ଅସ୍ତ୍ର କରିଥିଲା ପାକିସ୍ତାନ, ଭାରତୀୟ ଏଜେଣ୍ଟଙ୍କୁ ଧରାଉଥିଲେ ଜ୍ୟୋତି

ଦେଶବିଦେଶ
Spread the love

ନୂଆଦିଲ୍ଲୀ : ନାମ ଯେମିତି କାମ ତା’ର ବୀପରିତ। ଦେଶକୁ ଜ୍ୟୋତି ଦେଖାଇବା ପରିବର୍ତ୍ତେ ଅନ୍ଧାରରେ ରଖିଥିଲେ। ଶତ୍ରକୁ ଗୁପ୍ତ ସୂଚନା ଦେଇ ଦେଶ ସହ ବିଶ୍ବାସଘାତ କରିଥିଲେ। ଭାରତର ସୁରକ୍ଷାକୁ ବିପଦରେ ପକାଇ ଟଙ୍କା ଏବଂ ବିଳାଶପୂର୍ଣ୍ଣ ଜୀବନଯାପନ ପାଇଁ ପାକିସ୍ତାନର ଗୁପ୍ତଚର ସାଜିଥିଲେ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା। ଆଉ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ପାକିସ୍ତାନ ତାଙ୍କୁ ଭାରତ ବିରୋଧରେ ପ୍ରୟୋଗ କରୁଥିଲା। ଭାରତୀୟ ଅଣ୍ଡରକଭର ଏଜେଣ୍ଟଙ୍କୁ ଚିହ୍ନଟ କରିବାରେ ବ୍ୟବହାର କରୁଥିଲା। ୫ ଦିନ ପାଇଁ ପୁଲିସ ହେପାଜତରେ ଥିବା ଜ୍ୟୋତି ଜେରା ସମୟରେ ଏହା ସ୍ବୀକାର କରିଛନ୍ତି।

ଏନଆଇଏ, ଗୁଇନ୍ଦା ବିଭାଗ (ଆଇବି) ଏବଂ ହରିୟାଣା ପୁଲିସର ମିଳିତ ଟିମ୍‌ ତାଙ୍କୁ ଏବେ ଜେରା କରୁଛି। ଜ୍ୟୋତିଙ୍କ ଘରୁ ପୁଲିସ ଏକ ଡାଏରୀ ମଧ୍ୟ ଜବତ କରିଛି। ଏଥିରେ ସେ ନିଜ ଅନ୍ତର୍ଜାତୀୟ ଗସ୍ତ ବିଷୟରେ ଲେଖିଛନ୍ତି। ଏହି ଡାଏରୀରେ ୧୦-୧୧ ପୃଷ୍ଠା ରହିଛି। ୮ ପୃଷ୍ଠା ଇଂରାଜୀ ଏବଂ ହିନ୍ଦୀରେ ଲେଖାଥିବା ୩ ପୃଷ୍ଠାରେ ପାକିସ୍ତାନ ବିଷୟରେ ଲେଖାଯାଇଛି। ଏଥିରେ ଅନେକ ଗୁମର ଥାଇପାରେ ବୋଲି କୁହାଯାଉଛି। ଏହି ଡାଏରୀରେ ସବିତାଙ୍କ ନାମ ରହିଛି। ସେ କିଏ? ଜ୍ୟୋତିଙ୍କ ପରିବାର ସହ ତାଙ୍କର କ’ଣ ସମ୍ପର୍କ ତାହା ଜାଣିବା ପାଇଁ ଏଜେନ୍ସି ପ୍ରୟାସ କରୁଛି।

ଏହା ମଧ୍ୟରେ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇ ପାଇଁ କାମ କରୁଥିବା ଅଲି ହାସନଙ୍କ ସହ ଜ୍ୟୋତି ହ୍ବାଟସ୍‌ଆପ୍‌ରେ କଥା ହେଉଥିବା ସାମ୍ନାକୁ ଆସିଛି। ଏଥିରେ ସେ ଭାରତର ଅଣ୍ଡରକଭର ଅପରେସନ ବିଷୟରେ ଆଲୋଚନା କରୁଛନ୍ତି। ହାସନ ପଚାରୁଛି ଯେ ଅଟାରୀ ସୀମାକୁ ଯାତ୍ରା ସମୟରେ କୌଣସି ଅଣ୍ଡରକଭର ଏଜେଣ୍ଟଙ୍କୁ ଦେଖିଥିଲେ କି? କାହାକୁ ସ୍ବତନ୍ତ୍ର ପ୍ରୋଟୋକଲ ମିଳିଥିଲା କି? ଏହାର ଉତ୍ତରରେ ଜ୍ୟୋତି ନା କହିଥିଲେ। ସେମାନେ ଏତେ ମୂର୍ଖ ନୁହେଁ ବୋଲି ଉଲ୍ଲେଖ କରିଥିଲେ। ଏହାକୁ ନେଇ ଭାରତୀୟ ଏଜେନ୍ସିଙ୍କ ଚିନ୍ତା ବଢିଛି। ଭାରତୀୟ ଏଜେଣ୍ଟଙ୍କୁ ଚିହ୍ନଟ କରିବା ପାଇଁ ପାକିସ୍ତାନ ଜ୍ୟୋତିଙ୍କୁ ବ୍ୟବହାର କରୁଥିଲା ବୋଲି ସେମାନେ ଆଶଙ୍କା କରୁଛନ୍ତି। ସୀମାରେ ଥିବା ଗୁପ୍ତଚର ନେଟୱର୍କର ସେ ଅଂଶ ଥିଲେ କି ନାଇଁ ତାହା ଜାଣିବାକୁ ଭାରତୀୟ ଏଜେନ୍ସି ଗୁଡିକ ପ୍ରୟାସ କରୁଛନ୍ତି। ସୋମବାର ଜେରା ସମୟରେ ଜ୍ୟୋତିଙ୍କୁ ଆତଙ୍କବାଦୀଙ୍କ ସହ ଲିଙ୍କ ନେଇ ପଚରା ଯାଇଥିଲା। ଏହି ସମୟରେ ତାଙ୍କ ସ୍ମାର୍ଟଫୋନ ଏବଂ ଲାପଟପ୍‌ର ଡିଜିଟାଲ ଫରେନସିକ ଯାଞ୍ଚ କରାଯାଇଥିଲା। ତାଙ୍କ କ୍ଲାଉଡ ଷ୍ଟୋରେଜରେ ବିଏସ୍‌ଏଫ୍‌ କାର୍ୟ୍ୟକଳାପ, ରାଡାର ଲୋକେସନ, ହାଇ ସିକ୍ୟୁରିଟି ଜୋନ୍‌ ଦେଖାଯାଉଥିବା ଅନେକ ଭିଡିଓ ମିଳିଥିଲା।

ସେହିପରି ସେ ଏକ ଅନ୍ତର୍ଜାତୀୟ ନମ୍ବର ଏବଂ ଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସ ସହ କ୍ରମାଗତ ଭାବେ ଯୋଗାଯୋଗରେ ଥିଲେ ବୋଲି କଲ୍‌ ବିବରଣୀରୁ ଜଣାପଡ଼ିଛି। ସେ ଭାରତରୁ ବହିଷ୍କୃତ ପାକିସ୍ତାନ ଉଚ୍ଚାୟୁକ୍ତ ଦାନିଶଙ୍କ ସମ୍ବନ୍ଧିତ ଜାଲ୍‌ ପ୍ରୋଫାଇଲ ସହ ଚାଟ୍‌ ଏବଂ ଗ୍ରୁପରେ ସାମିଲ ଥିଲେ ବୋଲି ଜଣାପଡ଼ିଛି। ପୋଷ୍ଟ କରିଥିବା ଭିଡିଓର ମେଟା ଡାଟା ଅନୁଯାୟୀ ସାଧାରଣ ନାଗରିକଙ୍କ ପାଇଁ ନିଷିଦ୍ଧ ଥିବା ପାକିସ୍ତାନୀ ଅଞ୍ଚଳକୁ ଯାଇଥିଲେ। ପାକିସ୍ତାନୀ ଆଇପିରୁ ଜ୍ୟୋତିଙ୍କ ଜିମେଲ ଖୋଲା ଯାଇଥିଲା ବୋଲି ମଧ୍ୟ ଜଣାପଡ଼ିଛି। ଅନ୍ୟପକ୍ଷରେ ପାକିସ୍ତାନ ସୀମାକୁ ଲାଗି ରହିଥିବା ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ବାଡମେରର ମୁନାବାୱ ରେଳ ଷ୍ଟେସନର ଭିଡିଓ ସେ ବନାଇ ଥିଲେ ବୋଲି ଜଣା ପଡିଛି। ଏଥିରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ସାମରିକ ସୂଚନା ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ବାହାର ବ୍ୟକ୍ତିଙ୍କ ମୁନାବାୱ ଗସ୍ତ ଏବଂ ଭିଡିଓ ସୁଟିଂ ଉପରେ କଟକଣା ରହିଛି। ଏବେ ପ୍ରଶାସନ ମାମଲାର ଯାଞ୍ଚ କରୁଛି।

Leave a Reply

Your email address will not be published. Required fields are marked *