ଇରାନକୁ ଟ୍ରମ୍ପଙ୍କ ଅନ୍ତିମ ଚେତାବନୀ:ସର୍ତ୍ତ ମାନିବା ପାଇଁ ଶେଷ ସୁଯୋଗ

ଦେଶବିଦେଶ
Spread the love

ୱାସିଂଟନ: ଯଦି ଇରାନ ୟୁରାନିୟମ ସମୃଦ୍ଧୀକରଣ ଏବଂ ସାମୁଦ୍ରିକ ନିୟନ୍ତ୍ରଣ ଉପରେ ଆମେରିକାର ସର୍ତ୍ତ ମାନିବାକୁ ମନା କରେ, ତେବେ ଆମେରିକା ଆଲୋଚନାରୁ ଆକ୍ରମଣକୁ ଓହ୍ଲାଇବ ଏବଂ ଇରାନ ଏହାର ଭୟାନକ ପରିଣତି ଭୋଗିବାକୁ ବାଧ୍ୟ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ସର୍ତ୍ତମାନିବା ପାଇଁ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ହିଁ ଇରାନ ପାଇଁ ଶେଷ ସୁଯୋଗ।ଇସଲାମାବାଦରେ ଚାଲିଥିବା ବର୍ତ୍ତମାନର କୂଟନୈତିକ ପ୍ରୟାସ ଉପରେ ସମଗ୍ର ବିଶ୍ବର ନଜର ରହିଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଏହି ପ୍ରକ୍ରିୟାକୁ ଅଧିକ ଜଟିଳ କରିଦେଇଛି। ହ୍ୱାଇଟ୍ ହାଉସ୍ ପାରମ୍ପାରିକ କୂଟନୀତିର ସୀମା ପାର କରିସାରିଛି ବୋଲି ଆଜି ଇରାନକୁ ସଙ୍କେତ ଦେଇଛି ଏବଂ ବୁଧବାର ସୁଦ୍ଧା ଚୁକ୍ତିରେ ପହଞ୍ଚିବାକୁ ଇରାନ ବାଧ୍ୟ ବୋଲି ଟ୍ରମ୍ପଙ୍କ ବୟାନ ପୁଣି ଉତ୍ତେଜନା ବଢ଼ାଇ ଦେଇଛି। ଆମେରିକାର ସ୍ବତନ୍ତ୍ର ଦୂତ ଷ୍ଟିଭ୍ ୱିଟକୋଫ୍ ଏବଂ ଜାରେଡ୍ କୁଶନର୍‌ଙ୍କ ନେତୃତ୍ୱରେ ଆମେରିକୀୟ ପ୍ରତିନିଧି ଦଳ ଆସନ୍ତାକାଲି ଇସଲାମାବାଦ ପହଞ୍ଚିବେ। ସେରେନା ହୋଟେଲ ଏବଂ ‘ରେଡ୍ ଜୋନ୍’ ଚତୁପାର୍ଶ୍ୱରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଉକ୍ତ ଅଂଚଳରେ ମୋବାଇଲ୍ ସିଗ୍‌ନାଲ ଜାମ୍ କରାଯାଇଛି ଏବଂ ଯାନ ଚଳାଚଳ ଉପରେ ମଧ୍ୟ କଟକଣା ଲଗାଯାଇଛି। ଇରାନକୁ ତାର ସମସ୍ତ ସମୃଦ୍ଧ ୟୁରାନିୟମ ଗଚ୍ଛିତ ଭଣ୍ଡାର ହସ୍ତାନ୍ତର କରିବାକୁ ଆମେରିକା ସର୍ତ୍ତ ରଖିଛି ଏବଂ ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ୍ ଏହାକୁ ଅସମ୍ଭବ ବୋଲି ଦର୍ଶାଇ ପ୍ରତ୍ୟାଖ୍ୟାନ କରିଛନ୍ତି। ଅନ୍ୟପକ୍ଷରେ ତେହେରାନ ଆମେରିକାର ସାମୁଦ୍ରିକ ଅବରୋଧର ତୁରନ୍ତ ଅନ୍ତ ଦାବି କରିଛି,।
ହର୍ମୁଜ ପ୍ରଣାଳୀରେ ଗୁଳି ବିନିମୟ ଏବଂ ଜାହାଜଗୁଡ଼ିକ ଉପରେ ଆକ୍ରମଣ ପରେ ପରିବେଶ ଆହୁରି ତିକ୍ତ ହୋଇଛି। ରାଷ୍ଟ୍ରପତି ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଇରାନ ସେନା ଶନିବାର ଦିନ ବିଭିନ୍ନ ଜାହାଜ ଉପରେ ଗୁଳି ଚଳାଇ ଦୁଇ ସପ୍ତାହର ଅସ୍ତ୍ରବିରତିକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରିଛି। ତେହେରାନ ଯଦିଓ ଦାବି କରୁଛି ଯେ ଏହା କେବଳ ଅନଧିକୃତ ପ୍ରବେଶ ବିରୁଦ୍ଧରେ ନିଜର ସାମୁଦ୍ରିକ ସାର୍ବଭୌମତ୍ୱକୁ ରକ୍ଷା କରୁଥିଲା, କିନ୍ତୁ ଏହି ଘଟଣା ୱାସିଂଟନକୁ ପୁଣି ଥରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ସୁଯୋଗ ଦେଇଛି।ଏହି ସଙ୍କଟ ସମୟରେ ପାକିସ୍ତାନ ଫିଲ୍ଡ ମାର୍ଶଲ ଅସୀମ ମୁନୀରଙ୍କ ଭୂମିକା ଏବେ ଚର୍ଚ୍ଚାରେ ରହିଛି। ପାକିସ୍ତାନର ରାଜନେତାଙ୍କୁ ପଛରେ ପକାଇ ସେ କୂଟନୀତିରେ ଶ୍ରେୟ ନେବାକୁ ଜୋର୍‌ଦାର ପ୍ରୟାସ ଚଳାଇଛନ୍ତି। ପାକିସ୍ତାନୀ ସେନା ମୁଖ୍ୟଙ୍କ ପ୍ରତି ଟ୍ରମ୍ପଙ୍କ ସର୍ବସାଧାରଣ ପ୍ରଶଂସା ମଧ୍ୟ ଚର୍ଚ୍ଚାରେ ରହିଛି। ଅସ୍ତ୍ରବିରତି ଶେଷ ହେବାକୁ ମାତ୍ର ୪୮ ଘଣ୍ଟା ବାକି ଥିବାବେଳେ କୌଣସି ପକ୍ଷ ପରସ୍ପରକୁ ବିଶ୍ବାସ କରୁନଥିବାରୁ ମଧ୍ୟପ୍ରାଚ୍ୟ ପୁଣି ଯୁଦ୍ଧ ମୁହାଁ ହେବ ବୋଲି ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *