ଭୁବନେଶ୍ବର: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଆସିବା ପରେ ୨୦୧୫ ମସିହାରେ ପୂର୍ବର ଯୋଜନା ଆୟୋଗକୁ ଭାଙ୍ଗି ତା ସ୍ଥାନରେ ନିତି ବା ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁସନ୍ ଫର୍ ଟ୍ରାନ୍ସଫର୍ମିଂ ଇଣ୍ଡିଆ ଗଠନ କରିଥିଲେ। କ୍ଷମତାକୁ ଆସିବାର ଦୁଇ ବର୍ଷ ପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପଥ ଅନୁସରଣ କରିଛନ୍ତି। ପୂର୍ବରୁ ଥିବା ଯୋଜନା ବୋର୍ଡ ସ୍ଥାନରେ ଏବେ ସିଟି-ଓଡ଼ିଶା ବା ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ସ (ଏସ୍ଆଇଟିଆଇ)-ଓଡ଼ିଶା ଗଠନ କରିବାକୁ ଯାଉଛନ୍ତି। ଏହା ରାଜ୍ୟ ସରକାରଙ୍କ ଏକ ଶୀର୍ଷସ୍ତରୀୟ ରଣନୈତିକ ପରାମର୍ଶଦାତା ସଂସ୍ଥା ଭାବେ କାର୍ଯ୍ୟ କରିବ। ସମୃଦ୍ଧ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ହାସଲ ଦିଗରେ ଏହା ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ କରିବ। ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ଏକ ସଂକଳ୍ପ ପ୍ରକାଶ ପାଇଛି।
ରାଜ୍ୟ ସରକାର ୨୦୨୪ ଜୁଲାଇ ୧୮ରେ ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଦେଇଛନ୍ତି। ଯେହେତୁ ପାରମ୍ପରିକ ଯୋଜନା ପ୍ରଣାଳୀ ବର୍ତ୍ତମାନ ସମୟରେ ଅପ୍ରାସଙ୍ଗିକ ହୋଇପଡ଼ିଛି, ସିଟି ବା ଏସ୍ଆଇଟିଆଇ ଓଡ଼ିଶା ବର୍ତ୍ତମାନ ସମୟରେ ଏକ ଦୂରଦୃଷ୍ଟିସମ୍ପନ୍ନ ବିକଳ୍ପ ବ୍ୟବସ୍ଥା ପ୍ରଦାନ କରିବ। ବିକାଶର ଲକ୍ଷ୍ୟ ହାସଲ କରିବା ପାଇଁ ନୀତି ପ୍ରସ୍ତୁତ କରିବାକୁ ଆଧୁନିକ ଚିନ୍ତାଧାରା ସହିତ ନବସୃଜନ, ସହଯୋଗମୂଳକ ସଂଘୀୟ ବ୍ୟବସ୍ଥା ଏବଂ ମାପଯୋଗ୍ୟ ଫଳାଫଳ ସମ୍ପର୍କରେ ପରାମର୍ଶ ଯୋଗାଇଦେବ। ଏହା ସର୍ବୋଚ୍ଚ ସ୍ତରରେ ସରକାରଙ୍କୁ ରଣନୈତିକ ଦିଗ୍ଦର୍ଶନ ପ୍ରଦାନ କରିବ। ସିଟି-ଓଡ଼ିଶା ମୁଖ୍ୟତଃ ଛଅଟି ବିଷୟ ଉପରେ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ କରିବ। ସେଗୁଡ଼ିକ ହେଲା ଅର୍ଥନୀତି ଓ ଅର୍ଥ, ଗ୍ରାମୀଣ ଅର୍ଥନୀତି ଓ ଜୀବିକା, ନିଯୁକ୍ତି ଓ ସହରୀ ବିକାଶ, ଚିନ୍ତାଧାରା ଓ ନବସୃଜନ, ଶକ୍ତି ପରିବର୍ତ୍ତନ ଏବଂ ଶେଷରେ ପରିବେଶ, ଜଙ୍ଗଲ, ଖଣି ଓ ପ୍ରାକୃତିକ ସମ୍ପଦ। ସିଟି ଓଡ଼ିଶାର ଏକ ଗଭର୍ଣ୍ଣିଂ କାଉନ୍ସିଲ୍ ବା ପରିଚାଳନା ପରିଷଦ ରହିବ।
ମୁଖ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷ ରହିବେ। ଏଥିସହ ଜଣେ ଉପାଧ୍ୟକ୍ଷ, ଚାରିଜଣ ପୂର୍ଣ୍ଣକାଳୀନ ସଦସ୍ୟ, ନଅଜଣ ଏକ୍ସ-ଅଫିସିଓ ସଦସ୍ୟ ଏବଂ ଦୁଇଜଣ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିବେ। ଏହି ପରିଷଦର ବୈଠକ ବର୍ଷକୁ ଅତିକମ୍ରେ ଥରେ ହେବ। ସିଟି ଓଡ଼ିଶାର ଉପାଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତ ହେବେ ଏବଂ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିବ। ବିଭିନ୍ନ କ୍ଷେତ୍ରର ଚାରିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ କରିବେ। ସେମାନେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇବେ। ଉନ୍ନୟନ କମିସନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହାର ସଦସ୍ୟ ସଚିବ ଦାୟିତ୍ୱ ତୁଲାଇବେ। ମୁଖ୍ୟମନ୍ତ୍ରୀ ଜଣେ ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର ବା ସିଇଓ ନିଯୁକ୍ତ କରିବେ। ସିଇଓ ଆଇଏଏସ୍ କ୍ୟାଡରର ଜଣେ ପ୍ରମୁଖ ସଚିବ କିମ୍ବା କମିସନର-ତଥା-ସଚିବ ପାହ୍ୟାର ହୋଇଥିବେ। ଏଥିସହିତ ସମ୍ପୃକ୍ତ ବିଷୟବସ୍ତୁ ଉପରେ ଜ୍ଞାନ ଓ ଅଭିଜ୍ଞତା ଥିବା ଜଣେ ପ୍ରୋଗ୍ରାମ ଡାଇରେକ୍ଟର, ଏକ ବହୁମୁଖୀ ପ୍ରୋଜେକ୍ଟ ଇମ୍ପ୍ଲିମେଣ୍ଟେସନ୍ ୟୁନିଟ୍ (ପିଆଇୟୁ) ଏବଂ ଦୈନନ୍ଦିନ କାର୍ଯ୍ୟ ପାଇଁ ଏକ ପ୍ରଶାସନିକ ୟୁନିଟ୍ ରହିବ। ସିଟି ଓଡ଼ିଶା ଅଧୀନରେ ଷ୍ଟେଟ୍ ମନିଟରିଂ ଆଣ୍ଡ ଇଭାଲ୍ୟୁଏସନ୍ ଅଫିସ ବା ରାଜ୍ୟ ଅନୁଧ୍ୟାନ ଓ ମୂଲ୍ୟାୟନ କାର୍ଯ୍ୟାଳୟ ମଧ୍ୟ ରହିବ। ପ୍ରମାଣ ସଂଚାଳିତ ଶାସନ ପାଇଁ ଏହା ଏକ ନୋଡାଲ୍ ସଂସ୍ଥା ଭାବେ କାର୍ଯ୍ୟ କରିବ। ସିଟି ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ଯୋଜନା ଓ ସଂଯୋଜନ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରିବ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଯୋଜନା ବୋର୍ଡ ଏକ ଧଳାହାତୀ ପୋଷା କେନ୍ଦ୍ରରେ ପରିଣତ ହୋଇଥିଲା। ଦୀର୍ଘ ୧୭ ବର୍ଷ ଧରି ବୋର୍ଡର ବୈଠକ ଥରୁଟିଏ ବି ବସି ନଥିଲା। ନୂଆ ସରକାର ଆସିବା ପରେ ତାହାର ଭବିଷ୍ୟତ ନେଇ ପ୍ରଶ୍ନ ଉଠିଥିଲା। ସରକାର ଯୋଜନା ବୋର୍ଡକୁ ପୁନର୍ବାର କାର୍ଯ୍ୟକାରୀ କରିବେ ନା କେନ୍ଦ୍ରର ନିତି ଆୟୋଗ ଢାଞ୍ଚାରେ ନୂଆ ସଂସ୍ଥା ଗଠନ କରିବେ, ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା।
