ଭୁବନେଶ୍ୱର: ମଇ ୧ ତାରିଖ, ଶ୍ରମିକ ଦିବସ ଠାରୁ ରାଜ୍ୟର ୩୭ଟି ସାଂଗଠନିକ ଜିଲ୍ଲାରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଅଭିଯାନ ଆରମ୍ଭ ହେବ। ଏନେଇ ଆଜି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଦଳ ସୂତ୍ରରୁ ମିଳିଥିବା ସୂଚନାରେ, ବୈଠକରେ, ପାର୍ଟିର ସାଂଗଠନିକ ଦୃଷ୍ଟିକୋଣରୁ ବୁଥ କମିଟି ଠାରୁ ଆରମ୍ଭ କରି ମଣ୍ଡଳ କମିଟି ଓ ଜିଲ୍ଲା କମିଟି ପର୍ଯ୍ୟନ୍ତ ବିସ୍ତୃତ ଆଲୋଚନା କରାଯାଇଥିଲା । ଦଳର ପ୍ରତିଷ୍ଠା ଦିବାସ, ଆମ୍ବେଦକର ଜୟନ୍ତୀ ଏବଂ ବିଶେଷ ଭାବେ ସଂପ୍ରତି ଚାଲୁ ରହିଥିବା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନର ସମୀକ୍ଷା କରାଯାଇଥିଲା । ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ପ୍ରାୟ ସଫଳତାର ସହ ସମାପ୍ତ ହୋଇସାରିଛି ଏବଂ ବର୍ତ୍ତମାନ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରକୁ ସଫଳ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା । ଆସନ୍ତା ମେ ୧ ତାରିଖରୁ ମାସ ଶେଷ ସୁଦ୍ଧା ରାଜ୍ୟର ୩୭ଟି ସାଙ୍ଗଠନିକ ଜିଲ୍ଲାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ରାଜ୍ୟ ସାଧାରଣ ସଂପାଦକ ବିରଂଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି ।
ଏହି ବୈଠକରେ ପାର୍ଟିର ସମସ୍ତ ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ପ୍ରଭାରୀମାନଙ୍କ ସାମତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାରୀ ପରିଡା, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ପ୍ରଭାରୀମାନେ ଉପସ୍ଥିତ ଥିଲେ ।
