ସୁନ୍ଦରଗ୍ରାମ ହାଇସ୍କୁଲର ପ୍ଲାଟିନମ୍ ଜୁବୁଲିରେ ମୁଖ୍ୟମନ୍ତ୍ରୀ: ଶିକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା, ବଜେଟରେ ୩୧,୯୯୭ କୋଟିର ବ୍ୟବସ୍ଥା ଓ ମୋବାଇଲ୍ ମୋହ ଛାଡ଼ିବାକୁ ପରାମର୍ଶ

ରାଜ୍ୟ
Spread the love

ଭୁବନେଶ୍ୱର : କଟକ ଜିଲ୍ଲା ସୁନ୍ଦରଗ୍ରାମ ସରକାରୀ ହାଇସ୍କୁଲର ଗୌରବମୟ ୭୫ ବର୍ଷ ପୂର୍ତ୍ତି ତଥା ପ୍ଲାଟିନମ୍ ଜୁବୁଲି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା କ୍ଷେତ୍ରକୁ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଭାବେ ଅଭିହିତ କରିବା ସହ ବିଦ୍ୟାଳୟର ସଫଳ ଯାତ୍ରାକୁ ପ୍ରଶଂସା କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ସୁନ୍ଦରଗ୍ରାମ ହାଇସ୍କୁଲ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଏହି ଅଞ୍ଚଳର ସାମାଜିକ ଓ ବୌଦ୍ଧିକ ପ୍ରଗତିର ଏକ ପ୍ରମୁଖ କେନ୍ଦ୍ର। ସାଢ଼େ ସାତ ଦଶନ୍ଧି ପୂର୍ବେ ରୋପଣ କରାଯାଇଥିବା ଏହି ଶିକ୍ଷାର ଚାରା ଆଜି ଏକ ବିଶାଳ ବଟବୃକ୍ଷରେ ପରିଣତ ହୋଇ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଜ୍ଞାନର ଆଲୋକ ପ୍ରଦାନ କରୁଛି। ସେ ବିଦ୍ୟାଳୟର ପ୍ରତିଷ୍ଠାତା ଓ ଏହାର ଉନ୍ନତି ପାଇଁ ତ୍ୟାଗ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେ କହିଥିଲେ ଯେ, ପୁରାତନ ଛାତ୍ରଙ୍କ ସଫଳତା ହିଁ ବିଦ୍ୟାଳୟର ପ୍ରକୃତ ଗର୍ବ ଏବଂ ଆଧୁନିକ ଛାତ୍ରଛାତ୍ରୀ ସେମାନଙ୍କୁ ଆଦର୍ଶ ଭାବେ ଗ୍ରହଣ କରିବା ଉଚିତ୍।

ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିକ୍ଷା କେବଳ ପାଠ୍ୟଜ୍ଞାନ ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ, ଏହା ଚରିତ୍ର ଓ ମୂଲ୍ୟବୋଧ ଗଠନର ମାଧ୍ୟମ ହେବା ଆବଶ୍ୟକ। ବର୍ତ୍ତମାନର ଡିଜିଟାଲ୍ ଯୁଗରେ ମୋବାଇଲ୍ ଓ ସୋସିଆଲ୍ ମିଡିଆର ଅତିରିକ୍ତ ବ୍ୟବହାରରୁ ଦୂରେଇ ରହି ଜ୍ଞାନାର୍ଜନ ଓ ନିଜର ଦକ୍ଷତା ବିକାଶ ଉପରେ ଫୋକସ୍ କରିବାକୁ ସେ ପରାମର୍ଶ ଦେଇଥିଲେ।

ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ୨୦୨୬-୨୭ ବଜେଟରେ ୩୧,୯୯୭ କୋଟି ଟଙ୍କାର ପ୍ରାବଧାନ କରିଛନ୍ତି, ଯାହାକି ମୋଟ ବଜେଟର ୧୦.୩ ପ୍ରତିଶତ। ନୂତନ ଶିକ୍ଷାନୀତି ୨୦୨୦ ଅନୁସାରେ ଡିଜିଟାଲ୍ ଶିକ୍ଷା, ସ୍ମାର୍ଟ କ୍ଲାସ୍‌ରୁମ୍‌ ଓ ଅନଲାଇନ୍ ପ୍ରଣାଳୀକୁ ଗୁରୁତ୍ୱ ଦିଆଯାଉଛି। ଏହା ସହ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନା ମାଧ୍ୟମରେ ଗ୍ରାମୀଣ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ଗତ ଦେଢ଼ ବର୍ଷ ମଧ୍ୟରେ ୨୦ ହଜାର ଶିକ୍ଷକଙ୍କ ନିଯୁକ୍ତି ଦିଆଯାଇଥିବା ବେଳେ ଆଗାମୀ ଦିନରେ ଏହି ପ୍ରକ୍ରିୟା ଆହୁରି ଜୋରଦାର ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟର ୪ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ। ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ସରକାର ୪୫୦ କୋଟି ଟଙ୍କା ଘୋଷଣା କରିଥିବାରୁ ସ୍ଥାନୀୟ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ଡଃ ବିଭୁପ୍ରସାଦ ତରାଇ, ନିଆଳି ବିଧାୟକ ଛବି ମଲ୍ଲିକ, ବିଶିଷ୍ଟ ସାହିତ୍ୟିକ ମନୋରଞ୍ଜନ ପାଣିଗ୍ରାହୀ, ପୁରାତନ ଛାତ୍ର ଡଃ ସୁନିଲ କୁମାର ଷଡଙ୍ଗୀ, ପ୍ଲାଟିନମ୍ ଜୁବୁଲି କମିଟିର ସଭାପତି ସୁଶାନ୍ତ କୁମାର ଦାଶ, ସମ୍ପାଦକ ଫଣିଭୂଷଣ ମହାନ୍ତି ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଇତିଶ୍ରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବ ସୁନ୍ଦରଗ୍ରାମ ତଥା ଆଖପାଖ ଅଞ୍ଚଳରେ ଏକ ନୂତନ ଉତ୍ସାହ ଖେଳାଇ ଦେଇଛି।

Leave a Reply

Your email address will not be published. Required fields are marked *