ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ‘ଅଖିମୁଠି ଅନୁକୂଳ’ ସହ ୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ସିଏମ୍-କିଷାନ ସହାୟତା

ରାଜ୍ୟ
Spread the love

କଟକ  : ପବିତ୍ର ଅକ୍ଷୟ ତୃତୀୟା ତଥା ରାଜ୍ୟସ୍ତରୀୟ ‘କୃଷକ ଦିବସ’ ଅବସରରେ କଟକର ବିଦ୍ୟାଧରପୁରସ୍ଥିତ ଆନ୍ତର୍ଜାତିୟ ଧାନ ଗବେଷଣା କେନ୍ଦ୍ର (NRRI) ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର କୃଷକ ସମାଜର ଉନ୍ନତି ପାଇଁ ସରକାରଙ୍କ ଦୃଢ଼ ସଂକଳ୍ପକୁ ଦୋହରାଇଛନ୍ତି।

ଶାସ୍ତ୍ରୀୟ ପରମ୍ପରାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ NRRI ଫାର୍ମ ପରିସରରେ ମାଟିମା’ର ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ ନିଜେ ହଳ ଧରି ବିଲରେ ବିହନ ବୁଣି ‘ଅଖିମୁଠି ଅନୁକୂଳ’ କରିଥିଲେ। ଏହି ପ୍ରକ୍ରିୟା ମାଧ୍ୟମରେ ସେ ଚଳିତ ବର୍ଷର ଖରିଫ ଚାଷ କାର୍ଯ୍ୟର ଶୁଭ ମନାସିଥିଲେ।

ଚାଷୀଙ୍କୁ ଆର୍ଥିକ ସ୍ତରରେ ସହାୟତା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ‘ସିଏମ୍ କିଷାନ’ ଯୋଜନାର ପାଣ୍ଠି ଉନ୍ମୋଚନ କରିଥିଲେ। ରାଜ୍ୟର ପ୍ରାୟ ୪୧ ଲକ୍ଷ ୬୮ ହଜାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ମୋଟ ୮୩୮ କୋଟି ୪୮ ଲକ୍ଷ ଟଙ୍କାର ସହାୟତା ରାଶି ହସ୍ତାନ୍ତର କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷିର ବିକାଶରେ ହିଁ ରାଜ୍ୟ ଓ ଦେଶର ପ୍ରଗତି ନିହିତ ଏବଂ ଚାଷୀ ଭାଇଭଉଣୀଙ୍କ ସର୍ବାଙ୍ଗୀନ କଲ୍ୟାଣ ପାଇଁ ବର୍ତ୍ତମାନର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।

ଏହି ରାଜ୍ୟସ୍ତରୀୟ ଉତ୍ସବରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, କଟକ ସାଂସଦ ଭର୍ତୃହରି ମହତାବ ଏବଂ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରେଇ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏଥିସହ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଏବଂ ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ଜନପ୍ରତିନିଧି, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ କୃଷି ବିଭାଗର ବହୁ ପଦାଧିକାରୀ ସାମିଲ ହୋଇ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ।   ସରକାରଙ୍କ ଏହି ସହାୟତା ରାଶି ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତରେ ଚାଷୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି।

Leave a Reply

Your email address will not be published. Required fields are marked *