ଗତିରାଉତ ପାଟଣାରେ ରାମଲାଲାଙ୍କ ପ୍ରତିଷ୍ଠା ଉତ୍ସବ: ମନ୍ଦିର ପ୍ରବେଶ କରି ରାଜ୍ୟବାସୀଙ୍କ ମଙ୍ଗଳ ମନାସିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରାଜ୍ୟ
Spread the love

କଟକ  : ପବିତ୍ର ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତରେ କଟକ ସଦର ଅନ୍ତର୍ଗତ ଗତିରାଉତ ପାଟଣା ଅଞ୍ଚଳ ଆଧ୍ୟାତ୍ମିକତାରେ ଉଦ୍‌ଭାସିତ ହୋଇଉଠିଛି। ଏଠାରେ ନବନିର୍ମିତ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଓ ରାମଲାଲାଙ୍କ ଗର୍ଭଗୃହ ପ୍ରବେଶ କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନ୍ଦିର ପରିଦର୍ଶନ କରି ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ସମଗ୍ର ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି।

ସୋମବାର ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ରାଜନୀତିର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ। ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବଡ଼ମ୍ବା ବିଧାୟକ ବିଜୟ ଦଳବେହେରା ଏବଂ ନିଆଳି ବିଧାୟକ ଛବି ମଲ୍ଲିକ ଏହି ଉତ୍ସବରେ ଯୋଗଦେଇ ରାମଲାଲାଙ୍କ ଦର୍ଶନ କରିଥିଲେ। ସେହିପରି ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧିମାନେ ମଧ୍ୟ ଏହି ଗୌରବମୟ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ।

ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିମାନେ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବା ପରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସେମାନଙ୍କୁ ପାରମ୍ପରିକ ରୀତିରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପ୍ରଭୁଙ୍କ ପ୍ରତିଷ୍ଠା ଉତ୍ସବକୁ ନେଇ ସମଗ୍ର ଅଞ୍ଚଳରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।

ଏହି ବୃହତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ପ୍ରଦୀପ ଦଳାଇ, ପ୍ରମୋଦ ଦଳାଇ, ନିରଜ ଲୋଚନ ବେହେରା, ରାଜକିଶୋର ରାଉତ, ଗୋବିନ୍ଦ ପରିଡ଼ା, କୁଞ୍ଜବିହାରୀ ପରିଡ଼ା, ସୁଶାନ୍ତ ରାଉତ, ଧୁଳେନ୍ଦ୍ର ସେଠୀ, ସୁଶିଲ ରାଉତ, ଅଧିର ରାଉତ ଓ ଭଜମୋହନ ପରିଡ଼ା ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଗତିରାଉତ ପାଟଣାର ସମସ୍ତ ଗ୍ରାମବାସୀଙ୍କ ଅକୁଣ୍ଠ ସହଯୋଗ ଓ ନିଷ୍ଠା ଯୋଗୁଁ ଏହି ପ୍ରତିଷ୍ଠା ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଛି। ପ୍ରଭୁ ଶ୍ରୀରାମଙ୍କ ଏହି ନୂତନ ମନ୍ଦିର ଆଗାମୀ ଦିନରେ ଅଞ୍ଚଳର ଏକ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ପାଲଟିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *