ସାଇଫନ ନିକଟରୁ ତାଳବରେଇ ମସଜିଦ ପର୍ଯ୍ୟନ୍ତ କେନାଲ ବନ୍ଧ ରାସ୍ତା ଓ ପୋଲ ନିର୍ମାଣ ନିମନ୍ତେ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ଦାବି

ରାଜ୍ୟ
Spread the love

ଝଙ୍କଡ଼, ୫।୧୧  : ତିର୍ତ୍ତୋଲ ବ୍ଲକ କୃଷ୍ଣାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ପାଇକାକୂଳ ଗ୍ରାମ ସାଇଫନ ନିକଟରୁ ତାଳବରେଇ ମସଜିଦ ପର୍ଯ୍ୟନ୍ତ କେନାଲ ବନ୍ଧ ରାସ୍ତା ଓ ପୋଲ ନିର୍ମାଣ ନିମନ୍ତେ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହୋଇଛି। ଏହି କେନାଲ ବନ୍ଧ ପାର୍ଶ୍ୱରେ ୨୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ ବର୍ଷା ଦିନେ ଯାତାୟାତ କ୍ଷେତ୍ରରେ ଚରମ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ଏଠାକୁ ଆମ୍ବୁଲାନ୍ସ ପହଞ୍ଚିପାରୁ ନାହିଁ। ଫଳରେ ଗୁରୁତର ରୋଗୀ ଏବଂ ବୃଦ୍ଧବୃଦ୍ଧାଙ୍କୁ ଖଟିଆରେ ବୋହି ମୁଖ୍ୟ ରାସ୍ତାକୁ ନେବାକୁ ପଡ଼ୁଛି। ଅନ୍ୟପକ୍ଷରେ, କେନାଲ ଉପରେ ପୋଲଟିଏ ନଥିବାରୁ ସ୍ଥାନୀୟ ବିଦ୍ୟାଳୟ କିମ୍ବା ବଜାରକୁ ଯିବା ପାଇଁ ଲୋକଙ୍କୁ ପ୍ରାୟ ୨ କିଲୋମିଟର ବୁଲି ଯିବାକୁ ପଡ଼ୁଛି।

ପୂର୍ବରୁ ଏହି କେନାଲ ବନ୍ଧ ଉପରେ ମୋରମ ବିଛାଯାଇଥିଲା, ମାତ୍ର ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ପୋଲ ନିର୍ମାଣ ନିମନ୍ତେ ଗ୍ରାମବାସୀଙ୍କ ତରଫରୁ ୨୦୧୯ ମସିହାରେ ବ୍ୟାରେଜ ଡିଭିଜନ କଟକର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ରାସ୍ତା ନିର୍ମାଣ ପାଇଁ ତତ୍କାଳୀନ ସାଂସଦ ଡ. ରାଜଶ୍ରୀ ମଲ୍ଲିକ ଏବଂ ପୂର୍ବତନ ବିଧାୟକ ବିଜୟ ଶଙ୍କର ଦାସ ସୁପାରିଶ ମଧ୍ୟ କରିଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇପାରି ନାହିଁ।

କେନାଲ ଉପରେ ତୁରନ୍ତ ଏକ ପୋଲ ନିର୍ମାଣ ସହିତ ସ୍ଥାୟୀ ରାସ୍ତା ନିର୍ମାଣ କରିବାକୁ ସକିଲ ଅଲ୍ଲୀ, ସେକ ନାସିର ଅଲ୍ଲୀ, ସେକ ଜାକିର ଅଲ୍ଲୀ, ସବିରା ପର୍‌ଭିନ, ଜମିଲ ଅଲ୍ଲୀ, ତାରାନୁମ ପର୍‌ଭିନ, ନଜମା ବେଗମ, ଜାକିର ଅଲ୍ଲୀ, କାଲି ବିବି, ସେଖ ଅନସାର ଅଲ୍ଲୀ, ସାହୀନ ପର୍‌ଭିନ, ସଲମା ବିବି, ଲଜିନା ଖାତୁନ, ସେଖ ସୁନେତ ଅଖତର ଅଲ୍ଲୀଙ୍କ ସମେତ ସମସ୍ତ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *